ବାଲେଶ୍ୱର : ଗ୍ରାମାଞ୍ଚଳ ଆବାସ ଟାର୍ଗେଟ ଆସିବାର ବହୁ ପୂର୍ବରୁ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ହିତାଧିକାରୀ ମନୋନୟନ ସହ ସେମାନଙ୍କ ବାସ୍ତବ ସ୍ଥିତି ଯାଞ୍ଚ କରାଯାଇଥିଲା। ଲୋକଙ୍କ ବିରୋଧ ସତ୍ତ୍ବେ ଜିଲାର ୧୨ ବ୍ଲକରେ ମୋଟ ୯୬ ହଜାର ହିତାଧିକାରୀଙ୍କ ସ୍ଥିତି ଯାଞ୍ଚ ଶେଷ ହୋଇଥିଲା। ଅପେକ୍ଷାକୃତ ସ୍ୱଚ୍ଛଳ ବର୍ଗ, ଯୌଥ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ହିତାଧିକାରୀ ଭାବେ ଗ୍ରହଣ କରାଯିବାକୁ ନେଇ ସେତେବେଳେ ତୁମ୍ବିତୁଫାନ ସୃଷ୍ଟି ହୋଇଥିଲା। ତ୍ରୁଟିଯୁକ୍ତ ତାଲିକା ବିରୋଧରେ ଜିଲାବ୍ୟାପୀ ଧାରଣା, ଅନଶନ ଓ ବିକ୍ଷୋଭ ଭଳି ଆନ୍ଦୋଳନାତ୍ମକ ସ୍ଥିତି ଉପୁଜିଥିଲା। ତଦନ୍ତ ତଥା ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ କାଟିବା ସାଙ୍ଗକୁ ଟାର୍ଗେଟ ଆସିବା ପରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ସେତେବେଳେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଦେଢ଼଼ ବର୍ଷ ବିତି ଯାଇଥିଲେ ବି ମନୋନୀତ ହୋଇଥିବା ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ କେବେ ମିଳିବ, ତାହା ଅନିଶ୍ଚିତତାକୁ ଚାଲିଯାଇଛି। ଅନ୍ୟପକ୍ଷରେ ୨୦୧୬ ମସିହାରୁ ଜିଲାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ୧,୧୭,୯୧୩ ଆବାସରୁ ଅଦ୍ୟାବଧି ୧୭,୯୧୫ ସମ୍ପୂର୍ଣ୍ଣ ନ ହେବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ନେଇ ଗତ ଜିଲା ତଦାରଖ କମିଟି(ଦିଶା) ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧି ଉଦ୍ବେଗ ପ୍ରକାଶ କରିଥିଲେ। ଏମିତିକି ତୁରନ୍ତ ଅସମ୍ପୂର୍ଣ୍ଣ ଆବାସ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ତାଗିଦ ବି କରିଥିଲେ। ତେବେ ୧୭ ହଜାରରୁ ଅଧିକ ଗୃହ ଅସମ୍ପୂର୍ଣ୍ଣ ରହିବା ପଛର କାରଣ ଖୋଜିବା ଓ ଏହାର ସ୍ଥାୟୀ ପ୍ରତିକାର ପ୍ରତି କେହି ଗୁରୁତ୍ୱ ଦେଇ ନ ଥିଲେ।
ଗରିବ ବର୍ଗଙ୍କ ସମେତ ନିମ୍ନ ମଧ୍ୟବିତ୍ତ ତଥା ମଧ୍ୟବିତ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ମସିହା ଜୁନ ୨୫ ତାରିଖରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ଗରିବ ପରିବାରକୁ ୧ ଲକ୍ଷ ୩୭ ହଜାର ଟଙ୍କାର ଆର୍ଥିକ ସହାୟତା ସାଙ୍ଗକୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନିମନ୍ତେ ହିତାଧିକାରୀଙ୍କୁ ଅଧିକ ୨୦ ହଜାର ଟଙ୍କା ମିଳିଥାଏ। ଏଥି ସହିତ ପାଇଖାନା ପାଇଁ ୧୨ ହଜାର ଟଙ୍କ ମଧ୍ୟ ମିଳିଥାଏ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ୨୦୧୬ ମସିହାରୁ ୨୦୨୦ ମସିହା ସୁଦ୍ଧା ୧ ଲକ୍ଷ ୧୭ ହଜାର ୯୧୩ ପରିବାରଙ୍କୁ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ଅଦ୍ୟାବଧି ୯୯ ହଜାର ୯୯୮ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୭,୯୧୫ ଘରର କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଛି। ଏଥିରେ ୨୦୧୬-୧୭ ମସିହାରେ ୧୯,୧୨୪ କାର୍ଯ୍ୟାଦେଶରୁ ଏବେ ସୁଦ୍ଧା ୧୭୬୧ଟି ଘର ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ୨୦୧୭-୧୮ରେ ୧୩୮୦ଟି ଗୃହ, ୨୦୧୮-୧୯ରେ ୧୭୬୦ ଗୃହ, ୨୦୧୯-୨୦ରେ ୬୯୩୮ ଗୃହ ଓ ୨୦୨୦-୨୧ରେ ୬୦୭୬ଟି ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ଜିଲାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୨୧୬୦ ଜଣ ଭୂମିହୀନ ପରିବାର ଆଦୌ ଘର କାମ ଆରମ୍ଭ କରି ନ ଥିବା ଜଣାଯାଇଛି। ଏହିସବୁ ଘର କେମିତି ସମ୍ପୂର୍ଣ୍ଣ ହେବ, ସେ ନେଇ ଦିଶା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରିବା ପରିବର୍ତ୍ତେ କେବଳ ତୁରନ୍ତ ଶେଷ କରିବା ପାଇଁ ଲୋକ ପ୍ରତିନିଧିମାନେ ନିର୍ଦେଶ ଦେଇଥିଲେ।
ଏବେ ନିର୍ମାଣ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ସରପଞ୍ଚ ଓ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ତଥା କନିଷ୍ଠ ଯନ୍ତ୍ରୀଙ୍କ ଅସହଯୋଗ, ଗୃହ ନିର୍ମାଣ ପାଇଁ ଠିକାଦାର ନ ମିଳିବା ସମସ୍ୟା ତଥା କରୋନା ପ୍ରଭାବରେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା, ହିତାଧିକାରୀ ପରିବାରଙ୍କୁ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୩୬ ହଜାର ଟଙ୍କାର ସରକାରୀ ସହାୟତା ଦିଆଯାଇଥାଏ। ଏହି ସହାୟତା ଅର୍ଥରେ ସାମଗ୍ରୀ କିଣି ପରିବାର ଲୋକଙ୍କ ଶ୍ରମରେ ଘର ନିର୍ମାଣ କରିବା କଥା। ମାତ୍ର ହିତାଧିକାରୀ ସଚେତନ ନ ହୋଇ ଏହି ଅର୍ଥରେ ମଜୁରି ଲଗାଇବା ଫଳରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଲୋକେ ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ ଆକାରଠାରୁ ବଡ଼ ଘର ନିର୍ମାଣ ଆରମ୍ଭ କରି ପରେ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି। ସେହିପରି ଭୂମିହୀନ ପରିବାରଙ୍କୁ ଯେଉଁ ସ୍ଥାନରେ ପ୍ରଶାସନ ପକ୍ଷରୁ ଜମି ଯୋଗାଇ ଦିଆଯାଉଛି, ସେ ସ୍ଥାନରେ ଘର କରିବାକୁ ହିତାଧିକାରୀ ରାଜି ହେଉନାହାନ୍ତି ବୋଲି ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ଏହିସବୁ ସମସ୍ୟାକୁ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରେ ହିତାଧିକାରୀଙ୍କୁ ସଚେତନ କରାଇବା, ପଞ୍ଚାୟତ ପ୍ରତିନିଧିଙ୍କୁ ଦାୟିତ୍ୱ ଦେବା ଓ ଗୃହ ନିର୍ମାଣ ସହାୟତା ଅର୍ଥ ପରିମାଣ ବୃଦ୍ଧି ଏକାନ୍ତ ଆବଶ୍ୟକ। ଏ ଦିଗରେ ଉଭୟ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଜିଲାରେ ଅସମ୍ପୂର୍ଣ୍ଣ ଗୃହ ସଂଖ୍ୟା ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ଆବାସ ଯୋଜନାରେ ୧୭,୯୧୫ ଗୃହ ଅସମ୍ପୂର୍ଣ୍ଣ
Popular Categories



