ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପାଇପ୍‍ ମିସ୍ତ୍ରୀଙ୍କ ଜଘନ୍ୟ କାଣ୍ଡ: ପତ୍ନୀଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚିଲେ, କରତରେ କାଟିଲେ ପୁଅର ଗଳା

0

ଫରିଦାବାଦ: ଜନୈକ ପାଇପ ମିସ୍ତ୍ରୀ ତାର ୪ବର୍ଷର ପୁଅର ଗଳାକୁ ବିଦ୍ୟୁତଚାଳିତ କରତରେ କାଟିବା ସହ ପତ୍ନୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ଅଭିଯୋଗରେ ପୁଲିସ ହାତରେ ଗିରଫ ହୋଇଛି। ଶନିବାର ବିଳମ୍ବିତ ରାତିରେ ହରିୟାନା ଫରିଦାବାଦ ଜିଲାର ହରିପୁରା ଗ୍ରାମରେ ଘଟିଛି ଏଭଳି ଜଘନ୍ୟ ଘଟଣା। ଶ୍ରବଣ କୁମାର(୩୦) ନାମକ ଜନୈକ ପାଇପ ମିସ୍ତ୍ରୀ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଗ୍ରାମବାସୀଙ୍କ ସହଯୋଗକ୍ରମେ ପୁଲିସ ଶ୍ରବଣଙ୍କୁ ଗିରଫ କରିଛି। ୨୦୧୩ରେ ଶ୍ରବଣଙ୍କ ସହ ରେଖାଙ୍କ ବିବାହ ହୋଇଥିଲା। ତେବେ ବିବାହ ପରଠାରୁ ଶ୍ରବଣ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥିଲା ବୋଲି ତାଙ୍କ ଭାଇ ବିକ୍ରମ ପୁଲିସ ଆଗରେ ଅଭିଯୋଗ କରିଛନ୍ତି। ଶନିବାର ଅନୁରୂପ ଘଟଣା ଉଗ୍ର ରୂପ ନେବାରୁ ଶ୍ରବଣ ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ନିଜ ଭାଇଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇ ନିକଟରେ ଥିବା ରେଳ ଲାଇନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ଗ୍ରାମର ସରପଞ୍ଚ ହରି ସିଂହ ଘଟଣା ସମ୍ପର୍କରେ ଜାଣି ପାରି ଶ୍ରବଣଙ୍କୁ ଅଟକାଇବା ସହ ପୁଲିସକୁ ଖବର ଦେଇଥିଲେ। ଶ୍ରବଣଙ୍କ ନାମରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ମା’ ପୁଅଙ୍କ ବ୍ୟବଚ୍ଛେଦ କରିଛି।

Leave A Reply