କରୋନାର ପ୍ରଥମ ତରଙ୍ଗ ସମୟରେ ପ୍ଲାଜମା ଚିକିତ୍ସା ବହୁ ଫଳପ୍ରଦ ହୋଇଥିଲା। ଗୁରୁତର ରୋଗୀମାନେ ପ୍ଲାଜମା ଦ୍ବାରା ସୁସ୍ଥ ହେଉଥିଲେ। କିନ୍ତୁ ୨ୟ ତରଙ୍ଗରେ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେଉନାହିଁ। ପ୍ଲାଜମା ଚିକିତ୍ସା ସତ୍ବେ ସଂକ୍ରମିତ ପ୍ରାଣ ହରାଉଛନ୍ତି। ତେଣୁ ଖୁବଶୀଘ୍ର ଏହାକୁ ଚିକିତ୍ସା ପରିଚାଳନା ନିର୍ଦେଶାବଳୀ (ସିଏମଜି)ରୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି।
ଭାରତୀୟ ଚିକିତ୍ସ ଗବେଷଣା ପରିଷଦ (ଆଇସିଏମଆର) ଏବଂ କୋଭିଡ-୧୯ ପାଇଁ ଗଠିତ ଜାତୀୟ ଟାସ୍କ ଫୋର୍ସ ମଧ୍ୟରେ ଗତ ଶୁକ୍ରବାର ଅନୁଷ୍ଠିତ ବୈଠକରେ ପ୍ଲାଜମା ଥେରାପିକୁ ସିଏମଜିରୁ ହଟାଇବାକୁ ସମହତି ହୋଇଛି।
ନିକଟରେ କିଛି ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନଙ୍କୁ ଚିଠି ଲେଖି କରୋନା ଚିକିତ୍ସାରେ ପ୍ଲାଜମା ଥେରାପିକୁ ଅବୈଜ୍ଞାନିକ ବୋଲି କହିଥିଲେ। ଏହି ଚିଠିର ନକଲ ଆଇସିଏମଆର ପ୍ରମୁଖ ବଳରାମ ଭାର୍ଗବ ଏବଂ ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆଙ୍କୁ ବି ପଠାଯାଇଥିଲା। ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ଲାଜମା ଥେରାପି ଯୋଗୁ ମହାମାରୀର ପ୍ରକୋପ କମ୍ ହେବା ବଦଳରେ ବୃଦ୍ଧି ପାଇପାରେ। କାରଣ ଏହା ଦ୍ବାରା ଭୂତାଣରୁ ଅଧିକ ବିଷାକ୍ତ ସ୍ବରୂପର ବିକଶିତ ହେବାର ବିପଦ ରହିଛି।
ସୂଚନାଯୋଗ୍ୟ, ପ୍ଲାଜମା ଥେରାପିରେ କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରେ ମହଜୁଦ ଥିବା ଆଣ୍ଟିବଡିକୁ ଗୁରୁତର ରୋଗୀଙ୍କୁ ଦିଆଯାଇଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ୧୧ ହଜାର ୫୮୮ ରୋଗୀଙ୍କ ଉପରେ ଏହାର ପରୀକ୍ଷଣ କରାଯିବା ପରେ ଦେଖାଯାଇଥିଲା ଯେ, ରୋଗୀଙ୍କ ମୃତ୍ୟୁ ଏବଂ ସୁସ୍ଥ ହାର ଅନୁପାତରେ କୌଣସି ଫରକ ଆସି ନ ଥିଲା।



