ବିଭିନ୍ନ ଦାବି ନେଇ ଆଦିବାସୀ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା
ପିପିଲି : ଜାତୀୟ ଦଳିତ, ଆଦିବାସୀ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ପିପିଲିରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ପିପିଲିର ପେଟ୍ରୋଲ ଟାଙ୍କି ଛକ ଠାରୁ ଶୋଭାଯାତ୍ରାରେ ବାହାରିି ପିପିଲି ବଜାର ଦେଇ ପିପିଲି ଡ଼ାକ୍ତରଖାନା ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଶ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଆର୍ପିଆଇ ସଭାପତି ଅବ୍ଦୁଲ ୱାଲି, ରାଜ୍ୟ ସଂପାଦକ ବିଜୟ ଭୋଇ, ଖୋର୍ଦ୍ଧା ଜିଲା ସଭାପତି ଭାଗିରଥୀ ବେହେରା, ସଂପାଦକ ଭିକାରୀ ନାୟକ, ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୋନିଲତା ସେଠୀ, କାଳି ସାମଲ, ସରିତା ପଲେଇ, ନିମାପଡାର ନାରୀନେତ୍ରୀ କାନ୍ତି ମଲ୍ଲିକ ପ୍ରମୁଖ ଯୋଗଦେଇ ପିପିଲି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସରକାରୀ ଉଦାସିନତା ସମ୍ପର୍କରେ ଆଲୋକପାତ କରିଥିଲେ। ପୁରୀ ଜିଲାରେ ସମସ୍ତ ମୁଖ୍ୟ ରାଜପଥ କଡରୁ ମଦ ଦୋକାନକୁ ହଟାଇବା, ପିପିଲି ସରକାରୀ ଡାକ୍ତରଖାନାରେ ବିଭିନ୍ନ ବିଭାଗରେ ଦକ୍ଷ ଡାକ୍ତରଙ୍କୁ ନିଯୁକ୍ତି କରାଯିବା, ସେଠାରେ ଆଇସିୟୁ, ଓଟି, ବିଶ୍ରାମ କକ୍ଷ ପ୍ରତିଷ୍ଠା କରାଯିବା ସହ ଡାକ୍ତରଖାନା ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖାଯାଇ ରୋଗୀଙ୍କୁ ୨୪ ଘଣ୍ଟିଆ ମାଗଣା ଓøଷଧ ଯୋଗାଇଦେବା, ସାମୁଦ୍ରିକ ବାତ୍ୟା ଫଣି’ରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କ କୃଷିଋଣକୁ ଛାଡ କରାଯିବା ଆଦି ଦାବି ସମ୍ବଳିତ ଏକ ସ୍ମାରକପତ୍ରକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ମେଡିକାଲ ଅଫିସରଙ୍କୁ ପ୍ରଦାନ କରାଯାଇଥିଲା। ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଚେତାବନୀ ଦେଇଥିଲେ।
Comments are closed.