Patra electronics

ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ରଜ ଉତ୍ସବ

ନାଟ୍ୟ କୋଣାର୍କର ଧର୍ମପଦ କାଶୀନାଥ ସାହୁଙ୍କ ଜୀବନୀ ଉପରେ ପୁସ୍ତକ ଉନ୍ମୋଚିତ

ପିପିଲି : ଓଡିଶାର ନାଟ୍ୟଜଗତରେ ଯେଉଁ କେତେଜଣଙ୍କ ନାମ ବତ୍ତର୍ମାନ ସ୍ମରଣ କରାଯାଇପାରେ ତନ୍ମଧ୍ୟରୁ ମାଷ୍ଟର କାଶୀନାଥ ସାହୁ ସର୍ବାଗ୍ରେ ପୂଜିତ । ସେ ଥିଲେ ଏକାଧାରାରେ ଜଣେ ମଞ୍ଚଶିଳ୍ପୀ, ମଞ୍ଚ ନିର୍ଦ୍ଦେଶକ, ଶିକ୍ଷାନୁରାଗୀ ଓ ସମାଜ ସଂସ୍କାରକ । ଅଗ୍ରଣୀ ନାଗରିକ ସଂଗଠନ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ଜଇସପାଟଣା ସ୍ଥିତ ଶାନ୍ତି ମଇଦାନ ଠାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଓ ରଜ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତବ୍ୟକ୍ତ କରିଛନ୍ତି ।
ପିପିଲି ସାଂସ୍କୃତିକ ପରିଷଦର ମୁଖ୍ୟ ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ସ୍ୱର୍ଗତ କାଶୀନାଥ ସାହୁ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ଥିଲେ ବୋଲି ପ୍ରକାଶ କରିଥିଲେ । ପିପିଲି ଅଞ୍ଚଳରେ ଶିକ୍ଷାର ଅଭାବକୁ ଅନୁଭବ କରି ସେ ନିଜେ ଜମି କିଣି ଜବାହର ବିଦ୍ୟାପୀଠ ଓ ନିଜ ଗ୍ରାମ ହରିପୁରରେ ହାଇସ୍କୁଲ ପ୍ରତିଷ୍ଠା କରି ଚୀର ସ୍ମରଣୀୟ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ମିଶ୍ର ଯୋଗଦେଇ କାଶୀନାଥ ସାହୁ ଓଡିଶା ନାଟ୍ୟ ଜଗତର ଅମ୍ଲାନ ପ୍ରତିଭା ଥିଲେ ବୋଲି ପ୍ରକାଶ କରିଥିଲେ ।

କାଶୀନାଥଙ୍କ ନାଟ୍ୟ କଳାକାର ଜୀବନ ରାସଲୀଳା ଠାରୁ ଆରମ୍ଭ ହୋଇ ୧୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ ଓ ନିର୍ଦ୍ଦେଶନାରେ ପହଞ୍ଚି ଅନ୍ନପୂର୍ଣ୍ଣା ଥିଏଟରରେ ଶେଷ ହୋଇଥିଲା ବୋଲି ସେ କହିଥିଲେ । ବିହାର ପୁଷା ସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଗିନିଜ୍‍ ବୁକ ଅଫ୍‍ ୱାର୍ଲଡ ରେକର୍ଡଧାରୀ ବୈଜ୍ଞାନିକ ଡ଼ଃ ପୋଥୁଲା ଶ୍ରୀନିବାସ ବ୍ରହ୍ମାନନ୍ଦ ନିଜ ବକ୍ତବ୍ୟରେ ଦୟାନଦୀ ଓ ଗଙ୍ଗୁଆନଦୀ ପ୍ରଦୂଷଣ ଉପରେ ନିଜର ବକ୍ତବ୍ୟ ରଖିଥିବା ବେଳେ ସୋଆ ବିଶ୍ୱବିଦ୍ୟାଳୟର କୂଳପତି ଡ଼ଃ ଅଶୋକ କୁମାର ମହାପାତ୍ର ତ୍ୟାଗ ଦ୍ୱାରା ମଣିଷ କିପରି ଚିରସ୍ମରଣୀୟ ହୋଇ ରହିପାରେ ବୋଲି କାଶୀନାଥ ସାହୁଙ୍କୁ ଅଭିହିତ କରିଥିଲେ । ପରିଷଦର ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର ବିବରଣୀ ପାଠ କରିବା ଅବସରରେ ପରିଷଦର ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ ସେ ସୂଚନା ଦେଇ ଏହା ପରିଷଦର ଚତୁର୍ଥ ପୁସ୍ତକ ଏବଂ ଦ୍ୱାଦଶତମ ରିପୋର୍ଟ ବୋଲି ସୂଚନା ଦେଇଥିଲେ । ସ୍ୱର୍ଗତ ସାହୁ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ବୋଲି ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ପ୍ରକାଶ କରିବା ସହ ପରିଷଦର କାଯ୍ୟଧାରାକୁ ଉଚ୍ଚପ୍ରଶଂସା କରିଥିଲେ । ସ୍ୱାଧୀନତାର ୭୫ ବର୍ଷରେ ଓଡିଶାର ପ୍ରଗତି ଉପରେ ପରିଷଦ ପକ୍ଷରୁ ଏକ ଜାତୀୟ ସେମିନାର କରାଯିବ ବୋଲି ସେ ସୂଚନା ଦେଇଥିଲେ ।
ଏହି ଅବସରରେ ‘କାଶୀନାଥ ସାହୁଙ୍କ ଜୀବନୀ ଓ କାର୍ଯ୍ୟଧାରାର ଏକ ଝଲକ’ଓ “ଗଙ୍ଗୁଆନଦୀର ବାସ୍ତବ ରୂପରେଖ, ସ୍ଥିତି, ପ୍ରବାହ ଏବଂ ଦୟାନଦୀରେ ଏହାର ବିଲୟ’ ଶୀର୍ଷକ ଦୁଇଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସମାଜସେବୀ ସୁଦର୍ଶନ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍‍ ହେମନ୍ତ କୁମାର ପ୍ରଧାନ ସ୍ୱର୍ଗତ କାଶୀନାଥ ସାହୁଙ୍କ ଜୀବନୀ ସଂପର୍କରେ ସୂଚନା ଦେଇଥିଲେ । ଗଙ୍ଗୁଆ ନଦୀ ପ୍ରଦୂଷଣ ଉପରେ ପରିଷଦର ସହସଂପାଦକ ଦୀନବନ୍ଧୁ ବେହୁରା ଏକ ତଥ୍ୟଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଶେଷରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସେଠାରେ ଆୟୋଜିତ ଏକ ଫଟୋ ପ୍ରଦର୍ଶନୀକୁ ବିଧାୟକ ଉଦ୍‍ଘାଟନ କରିଥିଲେ । ପରେ ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟଗୁରୁ ପବିତ୍ର କୁମାର ପରିଡା, ଜଗଦିଶ ସାହୁ, ଲକ୍ଷୀପ୍ରୀୟା ଜେନା, ସଦାଶିବ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

Comments are closed.