ସ୍ୱାଧୀନତାର ଅମୃତ ମହୋତ୍ସବ, ସିଫାରେ ଜଳକୃଷି ପଦ୍ଧତିର ବିବିଧୀକରଣ ଶୀର୍ଷକ ଜାତୀୟ କର୍ମଶାଳା

ପିପିଲି: ଭାରତର ୭୫ତମ ସ୍ୱାଧୀନତା ଦିବସ ତଥା ଅମୃତ ମହୋତ୍ସବ ପାଳନ ଅବସରରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ସମେତ ଏହାର ୮ଟି ମତ୍ସ୍ୟ ଗବେଷଣା ସଂସ୍ଥାର ମିଳିତ ସହଯୋଗରେ ଜଳକୃଷି ପଦ୍ଧତିର ବିବିଧୀକରଣ ଉପରେ ଆଭାସୀ ମାଧ୍ୟମରେ ଏକ ଜାତୀୟ ଅଭିଯାନ ଆରମ୍ଭ ହୋଇଛି।

କେନ୍ଦ୍ର କୃଷି ଗବେଷଣା ପରିଷଦର ମତ୍ସ୍ୟବିଜ୍ଞାନ ଉପ-ମହାନିର୍ଦ୍ଦେଶକ ଡଃ ଜେ. କେ. ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଧୁନିକ ଜ୍ଞାନକୌଶଳ, ଯନ୍ତ୍ରାଂଶ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ ଜଳକୃଷି ଉତ୍ପାଦନ ବୃଦ୍ଧି ପାଇଁ ଜଳକୃଷି ପଦ୍ଧତିର ବିବିଧୀକରଣ ସହାୟକ ହେବ ବୋଲି ଆଶା ପ୍ରକାଶ କରିବା ସହ ଯୁବ ଉଦ୍ୟୋଗୀଙ୍କ ପାଇଁ ଆର୍‍ଏଏସ୍‍, ବାୟୋଫ୍ଲକ୍‍, ଆକ୍ୱାପନିକ୍ସ, ଫିମ୍‍ତା ଫ୍ଲୋଥ୍ରୋ ଆଦି ପ୍ରଣାଳୀ ବିଶେଷ ଭାବେ ଆକର୍ଷଣ ସୃଷ୍ଟି କରିଥିବା ସେ ସୂଚନା ଦେଇଥିଲେ। ଜଳକୃଷି ପଦ୍ଧତିର ବିବିଧୀକରଣ ଉପରେ ପରିଷଦର ସହ-ମହାନିର୍ଦ୍ଦେଶକ ଡଃ ବି. ପି. ମହାନ୍ତି ସମ୍ୟକ୍‍ ସୂଚନା ପ୍ରଦାନ କରିଥିବା ବେଳେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଏହି ଜାତୀୟ ଅଭିଯାନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବା ସହ ଭାରତରେ ଜଳକୃଷିର ଉନ୍ନତି ପାଇଁ ଏପରି ଯୁଗୋପଯୋଗୀ ପ୍ରୟାସ ସମୟର ଏକ ଆବଶ୍ୟକତା ବୋଲି କହିଥିଲେ। ଟି.ଏନ୍‍.ଜେ.ଏଫ୍‍.ୟୁର ପୂର୍ବତନ କୁଳପତି ଡଃ ଏସ୍‍. ଫେଲିକ୍ସ ଭାରତୀୟ ଜଳକୃଷିକୁ ଆଗେଇ ନେବା ପାଇଁ ବିଭିନ୍ନ ଜ୍ଞାନକୌଶଳର ତରିକାକୁ ପ୍ରଦର୍ଶନ କରିଥିବା ବେଳେ ଅନ୍ୟତମ ବକ୍ତା ଭାବେ ପ୍ରଧାନ ବୈଜ୍ଞାନିକ ଡଃ ବି. ସି. ମହାପାତ୍ର ଯୋଗଦେଇ ଜଳକୃଷି ପଦ୍ଧତିର ବିବିଧୀକରଣ ପାଇଁ ସିଫା କରିଥିବା କାର୍ଯ୍ୟକ୍ରମ ଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ। ସିଫାର ପ୍ରଧାନ ବୈଜ୍ଞାନିକ ତଥା ଏପିଇଡିର ମୁଖ୍ୟ ଡଃ ବି. ଆର୍‍. ପିଲାଇ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ପ୍ରଧାନ ବୈଜ୍ଞାନିକ ଡଃ ପି. ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସିଫାର ବୈଜ୍ଞାନିକମାନେ ପ୍ରତିଭାଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୬୦୦ ମତ୍ସ୍ୟଜୀବି, ଛାତ୍ର, ଉଦ୍ୟୋଗୀମାନେ ଯୋଗ ଦେଇଥିବାବେଳେ ଶେଷରେ ସିଫା ସାମାଜିକ ବିଜ୍ଞାନ ବିଭାଗର ପ୍ରଧାନ ବୈଜ୍ଞାନିକ ଡଃ ହିମାଂଶୁ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ୮ଟି ମତ୍ସ୍ୟ ଗବେଷଣା ସଂସ୍ଥା ଯଥା ସିଫା, ସିଫ୍ରି, ସିଏମ୍‍ଏଫ୍‍ଆର୍‍ଆଇ, ଏନ୍‍ବିଏଫ୍‍ଜିଆର୍‍, ଡିସିଏଫ୍‍ଆର୍‍, ସିଫେ, ସିବା ଓ ସିଫ୍ଟ ସମେତ ଦେଶର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ର ଓ ଆଞ୍ଚଳିକ ଗବେଷଣା କେନ୍ଦ୍ର ଯୋଗ ଦେଇଥିଲେ।

Comments are closed.