ପିପିଲି:ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ପାଣି ପାଇପ ପକାଇବା ପାଇଁ ରାସ୍ତା କଡରେ ଖୋଳା ଯାଇଥିବା ଗାତରେ ପଡ଼ି ଗୋଟିଏ ବାଛୁରୀ ଆହତ ହୋଇଥିବା ସୂଚନା ମିଳିଛି। ପିପିଲି-ଦାଣ୍ଡମୁକୁନ୍ଦପୁର ମୁଖ୍ୟ ରାସ୍ତାର ବଡପୋଖରୀ ନିକଟରେ ପାଣି ପାଇପ ବିଛାଇବା ପାଇଁ କିଛିଦିନ ତଳେ ରାସ୍ତା କଡରେ ଜେସିବି ଲଗାଇ ଗାତ ଖୋଳାଯାଇଛି। ସେଠାରେ ପାଇପ ପକାଯାଇନଥିବା ବେଳେ ଗାତଟି ମୁକୁଳା ପଡ଼ିଛି।
ରାସ୍ତାକୁ ଲାଗି ଏହି ଗାତ ଖୋଳାଯାଇଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ଏକ ବାଛୁରୀ ଉକ୍ତ ଗାତରେ ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀମାନେ ତାକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକେ ତା’ର ଆବଶ୍ୟକ ଚିକିତ୍ସା କରିବା ପରେ ବାଛୁରୀଟି ସୁସ୍ଥ ହୋଇଥିଲା। ଗୁରୁବାର ସଂନ୍ଧ୍ୟାରେ ଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଗାତ ମଧ୍ୟକୁ ବାଇକ୍ ସହ ପଶିଯାଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି।
ଏହି ଗାତ ଯୋଗୁଁଁ ସ୍ଥାନୀୟ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ ଗାତକୁ ଲାଗି ରହିଥିବା ଘରର ବାସିନ୍ଦାମାନେ ସେମାନଙ୍କ ଦୁଇ ଓ ଚାରି ଚକିଆ ଯାନକୁ ଘରୁ ବାହାରକୁ କାଢି ପାରୁନଥିବା ବେଳେ ଦୁର୍ଘଟଣା ଆଶଙ୍କାରେ ଲୋକେ ସେମାନଙ୍କ ଛୋଟ ଶିଶୁଙ୍କୁ ବାହାରକୁ ଖେଳିବାକୁ ମଧ୍ୟ ଛାଡୁନଥିବା ସୂଚନା ମିଳିଛି। ଉକ୍ତ ଗାତକୁ ପୋତିବାକୁ ସ୍ଥାନୀୟ ଲୋକେ ଠିକାଦାରଙ୍କୁ ବାରମ୍ବାର କହିବା ସତ୍ତେ୍ୱ ସେ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।
ମାଟି ଖୋଳି ପାଣି ପାଇପ୍ ବିଛାଇବା ପରେ ଗାତକୁ ତୁରନ୍ତ ପୋତିବାକୁ ନିୟମ ରହିଥିବା ବେଳେ ଏଠାରେ ଏହି ନିୟମକୁ ଠିକାଦାର ମାନୁନଥିବା ସାଧାରଣରେ ଅଭିଯୋଗ ହୋଇଛି। କୌଣସି ବଡ ଦୁର୍ଘଟଣା ଘଟି ଧନ ଓ ଜୀବନ କ୍ଷତି ଘଟିବା ପୂର୍ବରୁ ଏହି ଗାତକୁ ତୁରନ୍ତ ପୋତିବାକୁ ସାଧାରଣରେ ଦାବି କରାଯାଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।



