ମରଣଜନ୍ତା ପାଲଟିଛି ପିପିଲି-ଜଟଣୀ ରାସ୍ତା
ପିପିଲି:ପିପିଲି-ଜଟଣୀ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖାଲଖମାରେ ପରିଣତ ହୋଇଥିବା ଏହି ମୁଖ୍ୟରାସ୍ତାର ଆବଶ୍ୟକ ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଡକର ପିପିଲି ହାଟଛକ ଠାରୁ ବୁଢାପଡା ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତାକୁ ଅତିକ୍ରମ କରିବାକୁ ହାଲୁକା ଯାନ ଓ ଭାରୀଯାନକୁ ୪୫ ମିନିଟ୍ରୁ ଏକ ଘଣ୍ଟା ସମୟ ଲାଗୁଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ।
ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଟିକେ ଅସାବଧାନତା ହେଲେ ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତାରେ ପଡ଼ି ଆହତ ହେବା ଏକପ୍ରକାର ନିଶ୍ଚିତ ଅଟେ। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଯିଏ ଥରେ ଏହି ରାସ୍ତାରେ ଯାଉଛି ସେ ଦ୍ୱିତୀୟ ଥର ଯିବାକୁ ମନବଳାଉ ନାହିଁ। ଖାଲଖମାରେ ପରିଣତ ହୋଇଥିବା ଏହି ରାସ୍ତାରେ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବକାଳ ଏହି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାର ମରାମତି ଦିଗରେ ବିଭାଗୀୟ କତ୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପିପିଲି-ଜଟଣୀ ରାସ୍ତାର ବିଭିନ୍ନ ସ୍ଥାନରେ ଶହ ଶହ ଖାଲଖମା ସୃଷ୍ଟି ହୋଇଛି।
ଏ ସଂପର୍କରେ ବାରମ୍ବାର ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଗତ ଅକ୍ଟୋବର ମାସରେ ଏହି ରାସ୍ତାର ପିପିଲି ହାଟଛକ ଠାରୁ ମାଧିପୁର ପର୍ଯ୍ୟନ୍ତ କିଛି ସ୍ଥାନରେ ଅସ୍ଥାୟୀ ଭାବେ ପିଚୁରେ ପ୍ୟାଚ୍ ପକାଯାଇଥିଲା। ମାଧିପୁର ଠାରୁ ମଠସାହି ଛକ, ଅନନ୍ତପୁର ଛକ, ବାରିମୂଳ ଛକ, କଣ୍ଟି, କାକୁଡିଆ ସମେତ ଏହି ରାସ୍ତାର ବୁଢାପଡା ଗ୍ରାମ୍ୟଛକ ପର୍ଯ୍ୟନ୍ତ ରାସ୍ତା ଉପରେ ବହୁତ ଗୁଡିଏ ଛୋଟ ବଡ ଖାଲ ସୃଷ୍ଟି ହୋଇଛି। କେଉଁଠି ୨ରୁ ୩ଇଞ୍ଚ ତ’ ପୁଣି କେଉଁଠି ଫୁଟେରୁ ଦେଢଫୁଟ ଖାଲ ହୋଇଛି। କଣ୍ଟି ନିକଟରେ ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ କାକୁଡିଆ ଛକ ଠାରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କାକୁଡିଆ ଦୟାନଦୀ ପୋଲର ଏକାଧିକ ପିଲର ର ସଂଯୋଗସ୍ଥଳ ଫାଟି ଆଁ କରିଥିବା ବେଳେ ଛୋଟ ଗାଡି ଠାରୁ ଆରମ୍ଭ କରି ଭାରୀଯାନ ଗୁଡିକ ସେହି ସ୍ଥାନ ଦେଇ ଯିବା ସମୟରେ ଚାଳକମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି।
ଏହି ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ପ୍ରତି ୧୦ ମିଟର ବ୍ୟବଧାନରେ ରାସ୍ତା ଉପରେ ଥିବା ଖାଲଖମା ଠାରୁ ଦୂରେଇ ରହିବା ପାଇଁ ଗାଡି ଚାଳକମାନେ ବାଧ୍ୟହୋଇ କେତେବେଳେ ବାମ ପାଶ୍ୱର୍ ତ’ ପୁଣି କେତେବେଳେ ଡାହାଣ ପାଶ୍ୱର୍କୁ ମଡାଇ ଗାଡି ଚଳାଉଥିବା ଯୋଗୁଁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଏଥିଯୋଗୁଁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। ଖୋର୍ଦ୍ଧା ଠାରୁ ପିପିଲି ଦେଇ ଅସ୍ତରଙ୍ଗ, କାକଟପୁର, ନିମାପଡା, କୋଣାର୍କ ଓ ପୁରୀ ଯିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବା ଯୋଗୁଁଁ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଛି। ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଗୁଡିକ ଏହି ଖାଲରେ ପଡ଼ି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି।
ଗତ ସାଢେ ୪ବର୍ଷ ତଳେ ଏହି ରାସ୍ତା ଉପରେ ନୂତନ ପିଚୁ ପକାଯାଇ ରାସ୍ତାର ଦୋହରିକରଣ କାର୍ଯ୍ୟ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁଁ ବହୁ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିଲା। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ୨୦୨୧ ଅକ୍ଟୋବର ମାସରେ ଉକ୍ତ ଖାଲ ଗୁଡିକୁ ଗୋଡି ଓ ପିଚୁ ଦ୍ୱାରା ମରାମତି କରାଯାଇଥିଲା। ତେବେ ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁଁଁ ଉକ୍ତ ସ୍ଥାନ ମାନଙ୍କରୁ ପୁନର୍ବାର ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ଏହା ପରେ ବିଭିନ୍ନ ସମୟରେ ଏହି ରାସ୍ତାର ଅସ୍ଥାୟୀ ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ କିଛି ଦିନ ପରେ ତାହା ପୂର୍ବ ଅବସ୍ଥାକୁ ଫେରି ଆସିଥିବା ଅଭିଯୋଗ ହୋଇଛି। ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ସରକାରୀ ବସ୍ ଓ ଘରୋଇ ଯାତ୍ରୀବାହୀ ବସ୍ରେ ଦୈନିକ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ପ୍ରମୁଖ ରାସ୍ତାର ଆବଶ୍ୟକ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଏହି ରାସ୍ତାର ମରାମତି ପାଇଁ ଟେଣ୍ଡର ସରିଥିବା ବେଳେ ଏଗ୍ରିମେଣ୍ଟ କରାଯିବା ପରେ ଖୁବ୍ଶିଘ୍ର ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।
Comments are closed.