ଗାଡି ସାଇଡ୍ ମରାକୁ କେନ୍ଦ୍ରକରି ମାର୍ପିଟ୍, ୨ ଆହତ
ପିପିଲି:ପିପିଲି ହାଟଛକ ଠାରେ ମଙ୍ଗଳବାର ଅପରାହ୍ନରେ ଏକ ବରଯାତ୍ରୀ ଦଳ ସହିତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ମାର୍ପିଟ୍ ଘଟିଥିବା ବେଳେ ଏଥିରେ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାଇ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ପିପିଲି ପୌରାଞ୍ଚଳର ହାଟଛକ ଠାରେ ଏହି ଗଣ୍ଡଗୋଳ ଘଟିଥିଲା। ଜଟଣୀ ଅଞ୍ଚଳରୁ ପିପିଲିର ଏକ ଗ୍ରାମକୁ ଯାଉଥିବା ବରଯାତ୍ରୀ ଦଳର ଗୋଟିଏ ୪ ଚକିଆ ଗାଡି ସହିତ ପିପିଲିର ଜଣେ ଯୁବକଙ୍କ ୪ ଚକିଆ ଗାଡି ମଧ୍ୟରେ ହାଟଛକ ଟ୍ରାଫିକ୍ ଉପରେ ସାଇଡ୍ ମରାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା।
ଏହାପରେ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ଘଟିଥିବା ବେଳେ ବରଯାତ୍ରୀ ଗାଡିର ଚାଳକ ଆହତ ହୋଇଥିଲା। ପିପିଲିର ଜନୈକ ଗୋବିନ୍ଦ ପ୍ରଧାନଙ୍କୁ ବରଯାତ୍ରୀ ଦଳର ଉଭୟ ପୁରୁଷ ଓ ମହିଳାମାନେ ନିସ୍ତୁକ ମାଡ ମାରିଥିଲେ। ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ସେହି ରାସ୍ତା ଦେଇ ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପିପିଲି ଥାନା ଏଏସ୍ଆଇ ସୁମନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ôଚ ଦୁଇ ଆହତଙ୍କୁ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ।
ଗୋବିନ୍ଦଙ୍କ ମୁଣ୍ଡ, ମୁଁହ ଓ ଛାତିରେ ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏସଂପର୍କରେ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୁଲିସ ଏହି ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ନେଇ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।
Comments are closed.