୫୫ ବର୍ଷ ବୟସରେ ପ୍ରଥମଥର ଭୋଟ୍‌‌ ଦେବେ ଅବସରପ୍ରାପ୍ତ ସେନାଧିକାରୀ

ପିପିଲି: ଚଳିତ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଭୋଟ୍‌‌ ଦେବାକୁ ଯାଉଛନ୍ତି ୫୫ବର୍ଷୀୟ ଅବସରପ୍ରାପ୍ତ ସେନା ଅଧିକାରୀ ରାମକ୍ରୀଷ୍ଣା କର। ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମରେ ଜନ୍ମିତ ରାମକ୍ରୀଷ୍ଣା ମାତ୍ର ୧୯ବର୍ଷ ବୟସରେ ୧୯୮୯ ମସିହାରେ ଭାରତୀୟ ସେନାରେ ଯୋଗଦେଇଥିଲେ। ସେ ଜୁନିଅର କମିଶନ ଅଫିସର(ଜେସିଓ) ଭାବେ ଜାମ୍ମୁ କାଶ୍ମୀର, ଲଦାଖ ସିଆଚିନ୍‌‌, ଅରୁଣାଚଳ ପ୍ରଦେଶ ଆଦି ଅଞ୍ଚଳରେ ଦୀର୍ଘ ୩୦ବର୍ଷ କାଳ କାର୍ଯ୍ୟ କରିବା ପରେ ୨୦୧୯ ଡିସେମ୍ବର ମାସରେ ଅବସର ନେଇଥିଲେ। ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାଙ୍କର ନାମ ଅନ୍ତର୍ଭୁକ୍ତ ରହିଥିଲେ ମଧ୍ୟ ନିଜ ଚାକିରୀକାଳ ମଧ୍ୟରେ ସେ ସର୍ବାଧିକ ସମୟ ଭାରତର ସୀମା ଅଞ୍ଚଳରେ କାର୍ଯ୍ୟରତ ଥିବା ଯୋଗୁଁ କୌଣସି ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିପାରିନାହାନ୍ତି। ଭାରତୀୟ ସ୍ଥଳ ସେନାରୁ ଅବସର ନେବା ପରେ ଓଡ଼ିଶା ପୁଲିସରେ ସେ ଯୋଗ ଦେଇଥିଲେ ଓ ପୁରୀ ଜିଲାର ହାଇୱେ ପାଟ୍ରୋଲିଂ ଟିମ୍‌‌ରେ ସ୍ପେଶାଲ ପୁଲିସ ଅଫିସର(ଏସ୍‌‌ପିଓ) ଭାବେ ଏବେ ସେ କାର୍ଯ୍ୟରତ ଅଛନ୍ତି।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବାଲାଟ୍‌‌ ପେପରରେ ଭୋଟ୍‌‌ ଦେଇ ନିଜର ଅଧିକାର ସାବ୍ୟସ୍ତ କରିଥିଲେ। କିନ୍ତୁ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଭୋଟ୍‌‌ ଦେବାକୁ ଯାଉଛନ୍ତି। ଏ ସଂପର୍କରେ ଶ୍ରୀ କରଙ୍କୁ ପଚାରିବାରେ ସେ କହିଥିଲେ ଯେ, ଜୀବନରେ ମୁଁ ପ୍ରଥମଥର ପାଇଁ ୫୫ବର୍ଷ ବୟସରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ୍‌‌ ଦେବି। ପ୍ରଥମଥର ପାଇଁ ମୁଁ ଇଭିଏମ୍‌‌ ଓ ଭିଭିପାଟ୍‌‌କୁ ଆଖିରେ ଦେଖିବି। ଏଥିପାଇଁ ସେ ବହୁତ ଉତ୍ସାହିତ ଥିବାବେଳେ ଉପଯୁକ୍ତ ପ୍ରାର୍ଥୀଙ୍କୁ ସେ ଭୋଟ୍‌‌ ଦେବେ ବୋଲି କହିଛନ୍ତି। ମାତୃଭୂମି, ମାତୃଭାଷାର ସୁରକ୍ଷା ସହିତ ଶିକ୍ଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ଯିଏ କାର୍ଯ୍ୟ କରିବ, ସେଭଳି ପ୍ରାର୍ଥୀଙ୍କୁ ମୁଁ ଅଗ୍ରାଧିକାର ଦେବି ବୋଲି ଶ୍ରୀ କର କହିଛନ୍ତି। ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ସମସ୍ତେ ମତଦାନରେ ଭାଗନେଇ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Comments are closed.