ବରାଙ୍ଗ ଗ୍ରାମର ୨୩ ପରିବାରର ଫସଲ ଚୋରି ମାମଲା; ନ୍ୟାୟ ଦାବିରେ ଦଳିତ ମହାସଂଘର ବିକ୍ଷୋଭ

ପିପିଲି: ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ପଞ୍ଚାୟତର ବରାଙ୍ଗ ଗ୍ରାମର ୨୩ ପରିବାରଙ୍କ ଜମିରୁ ଗତ ୪ବର୍ଷ ଧରି ବଳପୂର୍ବକ ଭାବେ ଫସଲ ଚୋରି କରି ନିଆଯାଉଛି। ସେମାନଙ୍କ ଜମିରୁ ମାଟି ଖୋଳି ବିକ୍ରି କରାଯାଉଛି। ପ୍ରତିବାଦ କଲେ ଘଣ୍ଟ ବଜାଇ ସେମାନଙ୍କୁ ନିର୍ଦ୍ଧୁମ ମାଡ ମରାଯାଉଛି। ଏନେଇ ଅସ୍ତରଙ୍ଗ ପୁଲିସରେ ଏକାଧିକବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାଜନୈତିକ ଚାପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ପ୍ରତିବାଦରେ ତଥା ଉକ୍ତ ୨୩ ନିର୍ଯାତିତ ପରିବାରକୁ ନ୍ୟାୟ ପ୍ରଦାନ କରାଯିବା ଦାବିରେ ଜାତୀୟ ଦଳିତ, ଆଦିବାସୀ ଓ ମାଇନୋରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ଓ ସଂପାଦିକା ସୋନିଲତା ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ପୂର୍ବାହ୍ନରେ ୧ ହଜାରରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳାମାନେ ସିଉଳା ପେଟ୍ରୋଲ ଟାଙ୍କିଠାରୁ ଏକ ପଦଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରି ନବୀନ ନିବାସ ଅଭିମୁଖେ ଯାଇଥିଲେ। ତେବେ ଉତ୍ତରା ବଜାରଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। କମିଶନରେଟ୍‌‌ ପୁଲିସ ଓ ପୁରୀ ପୁଲିସର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ୪ଦଫା ଦାବିପତ୍ରକୁ ସେମାନଙ୍କଠାରୁ ପୁଲିସ ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି ପ୍ରଦାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ଅସ୍ତରଙ୍ଗ ବରାଙ୍ଗ ଗ୍ରାମର ୨୩ଟି ପରିବାରକୁ ଗତ ୨୦୦୮ ମସିହାରେ ରାଜ୍ୟ ସରକାର ୧ ଏକର ଲେଖାଏଁ ଜମି ଯୋଗାଇ ଦେଇଥିଲେ। ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ଡିହବେଘାରୀ ମୌଜାରେ ଥିବା ଦେବୀ ନଦୀର ଶାଖା ନଦୀ ପଠାରେ ଥିବା ଜମିକୁ ସରକାର ସେମାନଙ୍କୁ ପ୍ରଦାନ କରିବା ସହ ଜମିର ପଟ୍ଟା ମଧ୍ୟ ପ୍ରଦାନ କରିଥିଲେ। ଉକ୍ତ ୨୩ ପରିବାର ସେହି ଦିନଠାରୁ ସେହି ଜମିକୁ ସମତଳ କରି ସେଠାରେ ଧାନ, ମୁଗ, ବିରି, ଚିନାବାଦାନ, ଆଳୁ, ବାଇଗଣ, ଭେଣ୍ଡି ସହ ଅନ୍ୟାନ୍ୟ ଫସଲ କରି ଗୁଜୁରାଣ ମେଣ୍ଟାଉଥିଲେ। ଜମିରେ ବିହନ ବୁଣି ସାର ପିଡିଆ ଦେଇ ସେମାନେ ବହୁ ପରିଶ୍ରମ କରି ଫସଲ କରୁଥିବା ବେଳେ ୨୦୧୯ ମସିହାଠାରୁ ଅନ୍ୟ କେତେକ ଲୋକେ ଉକ୍ତ ଫସଲକୁ ବଳପୂର୍ବକ ଭାବେ ଅମଳ କରି ନେଉଥିବା ଉକ୍ତ ୨୩ ପରିବାର ଅଭିଯୋଗ କରିଛନ୍ତି। ଚାଷ କରିବା ସମୟରେ ସେମାନଙ୍କୁ କୌଣସି ପ୍ରକାର ବାଧା ଦିଆଯାଉନଥିବା ବେଳେ ଅମଳ ସମୟରେ ସେମାନଙ୍କୁ ନିଜ ଜମିରେ ପାଦ ପକାଇବାକୁ ମଧ୍ୟ ଉକ୍ତ ଖଳପ୍ରକୃତିର ଲୋକେ ସୁଯୋଗ ଦେଉନଥିବା ଅଭିଯୋଗ ହୋଇଛି। ସେମାନେ ନିଜ ଜମିରୁ ଫସଲ ଅମଳ କରିବାକୁ ଯାଉଥିବା ବେଳେ ସେଠାରେ ଜଗିଥିବା ଜଣେ ବ୍ୟକ୍ତି ଘଣ୍ଟ ବଜାଇ ଉକ୍ତ ଅସାମାଜିକ ବ୍ୟକ୍ତିମାନଙ୍କୁ ସଜାଗ କରିଦିଏ। ତତ୍‌‌କ୍ଷଣାତ୍‌‌ ସେହି ଖଳପ୍ରକୃତିର ଲୋକେ ନାନା ମାରଣାସ୍ତ୍ରମାନ ଧରି ଜମିରେ ପହଞ୍ଚି ଫସଲ ଅମଳ କରିବାକୁ ଯାଉଥିବା ଜମି ମାଲିକମାନଙ୍କୁ ନିସ୍ତୁକ ମାଡ ମାରୁଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଉକ୍ତ ଜମିରୁ ସେମାନେ ଜେସିବି, ଟ୍ରାକ୍ଟର ଲଗାଇ ପ୍ରାୟ ୪୦ଲକ୍ଷ ଟଙ୍କା ମୂଲ୍ୟର ମାଟି ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ପ୍ରତିବାଦ କରିବା ବେଳେ ଅନେକ ଥର ହାତାହାତି ପରିସ୍ଥିତି ସୃଷ୍ଟି ହେବା ସହ ହିତାଧିକାରୀ ପରିବାର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଓ ତହସିଲଦାରଙ୍କ ସମେତ ପୁରୀ ଜିଲାପାଳ, ଉପଜିଲାପାଳଙ୍କୁ ଏସଂପର୍କରେ ଅଭିଯୋଗ କରି ନିରାଶ ହେବା ପରେ ହିତାଧିକାରୀମାନେ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣା ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ୩ଟି ମାମଲା ବଦଳରେ କେବଳ ଗୋଟିଏ ମାମଲା ରୁଜୁ କରି ପୁଲିସ ନିରବ ବସିଥିବା ସଂପର୍କରେ ମହାସଂଘର ରାଜ୍ୟ ସଭାପତି ଶ୍ରୀସେଠୀ ଅଭିଯୋଗ କରିଛନ୍ତି। ବେଆଇନ ଭାବେ ହିତାଧିକାରୀଙ୍କ ଜମିରୁ ବିକ୍ରୀ ହୋଇଥିବା ମାଟିର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାକୁ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ଠାରୁ ଆଦାୟ କରାଯାଇ ସରକାରଙ୍କ ରାଜକୋଷରେ ଜମା କରାଯିବା, ମାଟି ଖୋଳିବାରେ ବ୍ୟବହୃତ ଟ୍ରାକ୍ଟର ଓ ଜେସିବିକୁ ଜବତ କରାଯିବା, ହିତାଧିକାରୀଙ୍କ ଜମିରୁ କାଟି ନିଆଯାଇଥିବା ଫସଲର ମୂଲ୍ୟ ଆକଳନ କରାଯାଇ ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯିବା ଓ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜାତୀୟ ଦଳିତ, ଆଦିବାସୀ ଓ ମାଇନୋରିଟି ମହାସଂଘ ପକ୍ଷରୁ ଦାବି କରାଯାଇ ମଙ୍ଗଳବାର ପିପିଲିରୁ ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ବିକ୍ଷୋଭ ପଦଯାତ୍ରା କରାଯାଇଥିଲା। ୫ଦିନ ମଧ୍ୟରେ ଦାବି ପୂରଣ କରାନଗଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି।

Comments are closed.