ପିପିଲି : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସୋମବାର ସମଗ୍ର ଦେଶ ଉତ୍ସବମୁଖର ହୋଇଥିଲା। ଏଥିପାଇଁ ପିପିଲିର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳ ରାମମୟ ହୋଇଥିବା ବେଳେ ଚାରିଆଡେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପିପିଲିର ବିଭିନ୍ନ ସଂଗଠନ ଓ ଧର୍ମାନୁଷ୍ଠାନ ପକ୍ଷରୁ ଏହି ଅବସରରେ ବିଭିନ୍ନ ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଘରର ଛାତ ଉପରେ ଗେରୁଆ ରଙ୍ଗର ପତାକା ଉଡୁଥିବା ବେଳେ ମଠ, ମନ୍ଦିର ଓ ଅଧିକାଂଶ ଘର ସମ୍ମୁଖରେ ସଂନ୍ଧ୍ୟାରେ ଦୀପ ଜଳୁଥିବା ଦେଖିବାକୁ ମିଳିଥିଲା।
ପିପିଲିର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ପରିଷଦ ପକ୍ଷରୁ ହାଟଛକ ଠାରେ ବ୍ଳକ ସ୍ତରୀୟ ରାମ ଦରବାର ମହୋତ୍ସବର ଆୟୋଜନ କରାଯାଇଥିଲା। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଯଜ୍ଞ, ଶ୍ରୀରାମ ନାମ ଜପ, ପ୍ରବଚନ, ଭଜନ ସମାରୋହ, ନୃତ୍ୟନାଟିକା ଆଦି ପରିବେଷଣ କରାଯାଇଥିବା ବେଳେ ମଧ୍ୟାହ୍ନରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ରାମଖେଚୁଡି ବଣ୍ଟନ କରାଯାଇଥିଲା।
ସେହିପରି ପିପିଲି ଇନ୍ଦିରା ମଇଦାନ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବଙ୍କ ପୀଠରେ ଯୋଗ ସମିତି ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଛନା, ଯଜ୍ଞ, ଶ୍ରୀରାମ ନାମ ଜପ ଆଦି ଅନୁଷ୍ଠିତ ହୋଇଥିବା ବେଳେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ପିପିଲି ଡେଲ୍ଟା ଛକ ଠାରେ ବାବା ବାଲୁଙ୍କେଶ୍ୱର ଦେବ ପୂଜା କମିଟି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏହି ଅବସରରେ ଶ୍ରୀରାମଙ୍କୁ ପୂଜାର୍ଚ୍ଛନା, ଅର୍ଘ୍ୟ ଦାନ, ପୁଷ୍ପାଞ୍ଜଳୀ ଅର୍ପଣ, ବାଲ୍ୟ ପ୍ରସାଦ ବଣ୍ଟନ ଆଦି କରାଯାଇଥିବା ବେଳେ ସେଠାରେ ଏଲ୍ଇଡି ପରଦା ମାଧ୍ୟମରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପଭୋଗ କରିଥିଲେ। ସେହିପରି ଦାଣ୍ଡମୁକୁନ୍ଦପୁର ଠାରେ ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଷ୍ଣୁ କଲ୍ୟାଣ ମହାଯଜ୍ଞ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ପିପିଲିର ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ ସ୍ଥାନୀୟ ବ୍ଲକଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଡାକ୍ତରଖାନାଛକ, ହାଟଛକ, ଥାନାଛକ, ଚାନ୍ଦୁଆବଜାର ଦେଇ ଶ୍ରୀସଙ୍କଟମୋଚନ ହନୁମାନଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୨ ହଜାରରୁ ଉର୍ଦ୍ଧ ଯୁବକମାନେ ଯୋଗଦେଇଥିବା ବେଳେ ସମଗ୍ର ଅଞ୍ଚଳ ‘ଜୟ ଶ୍ରୀରାମ’ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା। ଏହାକୁ ସ୍ଥାନୀୟ ଲୋକେ ମନଭରି ଉପଭୋଗ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପିପିଲି ଅଞ୍ଚଳର ବିଭିନ୍ନ ଗ୍ରାମରେ ଥିବା ମଠ, ମନ୍ଦିର ଓ ଧାର୍ମିକସ୍ଥଳୀରେ ଏହି ଅବସରରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ସୂଚନା ମିଳିଛି।



