ପିପିଲି:ସମଗ୍ର ବ୍ରହ୍ମାଣ୍ଡ ଏକ ଶିକ୍ଷାକେନ୍ଦ୍ର। ଶିକ୍ଷା ହିଁ ମଣିଷକୁ ମଣିଷତ୍ୱ ସହ ପରିଚିତ କରାଏ। ମଣିଷକୁ ଆଗକୁ ବଢିବାରେ ମାର୍ଗଦର୍ଶକ ସାଜେ ଓ ମଣିଷର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରାଏ ବୋଲି ପାଣିଦୋଳ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ପାଣିଦୋଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ କମିଟିର ସଭାପତି ଅନାଦି ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ.ପ୍ରତିଭା ମହାରଥୀ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପିଲାଙ୍କୁ ଭଲ ମଣିଷ କରି ଗଢିତୋଳିବା ଦିଗରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଯୁବ ସମାଜସେବୀ ତପନ କୁମାର ନାୟକ, ଶିକ୍ଷାବିତ୍ ରାସବିହାରୀ ନାୟକ, ଅଜୟ କୁମାର ନାୟକ, କୃଷ୍ଣଚନ୍ଦ୍ର ନାୟକ, ହୃଦାନନ୍ଦ ସ୍ୱାଇଁ, ପିତବାସ ମହାନ୍ତି, ଅକ୍ଷୟ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ନାୟକ, ସରପଞ୍ଚ ଅଜୟ କୁମାର ନାୟକ, ସମାଜସେବୀ ରଶ୍ମିରଞ୍ଜନ ନାୟକ, ବ୍ରଜବିହାରୀ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଜ୍ଞାନରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଏହି ଅବସରରେ ସଂଗୀତ ଗୁରୁ ପବିତ୍ର କୁମାର ପରିଡାଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ପ୍ରମୋଦ କୁମାର ପଲେଇ, ସୁଧିର କୁମାର ନାୟକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହରିଶ୍ଚନ୍ଦ୍ର ପତି, ସରୋଜ କୁମାର ମାହୁନ୍ତ, ଦିପ୍ତିରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।



