ମାଟି ହାଣ୍ଡି ଭିତରେ ପୂଜା ପାଉଛନ୍ତି ମା’ଉତ୍ତରାୟଣୀ

ପିପିଲି: ପୁରୀ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ସାତଶଙ୍ଖ ସ୍ଥିତ ମା’ଉତ୍ତରାୟଣୀଙ୍କ ପୀଠରେ ଶାରଦୀୟ ପୂଜା ଉତ୍ସବ ସମସ୍ତ ରୀତିନିତୀ ଅନୁଯାଇ ଅନୁଷ୍ଠିତ ହେଉଅଛି । ରବିବାର ଦିନ ଠାକୁରାଣୀ ମହିସାମର୍ଦ୍ଧନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରତ୍ୟହ ପରମ ବୈଷ୍ଣବୀ ଠାକୁରାଣୀ ମା’ଉତ୍ତରାୟଣୀଙ୍କ ଦର୍ଶନ କରିବା ସହ ଠାକୁରାଣୀଙ୍କ ପାଖରେ ମାନସିକ କରୁଥିବା ସୂଚନା ମିଳିଛି ।
ପିପିଲି ବ୍ଲକର ଯଶୁଆପୁର ପଞ୍ଚାୟତ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ସୁବଳପୁର ମୌଜାରେ ଅବସ୍ଥିତ ମା’ଉତ୍ତରାୟଣୀ ଏକ ବଡ ମାଟି ହାଣ୍ଡି ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି। ପୁରୀର ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମଦେବଙ୍କ ରାଜତ୍ୱ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ଜଣାଯାଇଛି। ଶ୍ରୀଜଗନ୍ନାଥଙ୍କ ଉତ୍ତର ଦିଗରେ ଠାକୁରାଣୀ ଆବିର୍ଭାବ ହୋଇଥିବାରୁ ମା’ଉତ୍ତରାୟଣୀ ରୂପରେ ବିଦିତ ହୋଇଥିବା ଜନଶୃତିରେ ଜଣାଯାଏ। ଜବନ ମାନଙ୍କ ଆକ୍ରମଣରୁ ଦେବୀଙ୍କୁ ରକ୍ଷା କରିବା ପାଇଁ ରାଜା ଏକ ବଡ ମାଟି ହାଣ୍ଡିରେ ଉତ୍ତରାୟଣୀଙ୍କୁ ଘୋଡାଇ ରଖିଥିବା ଯୋଗୁଁ ସେହିଦିନ ଠାରୁ ଠାକୁରାଣୀ ଉକ୍ତ ମାଟି ହାଣ୍ଡି ମଧ୍ୟରେ ପୂଜା ପାଇ ଆସୁଛନ୍ତି। ଏହି ପୀଠରେ ପ୍ରତ୍ୟହ ସକାଳ ୬ଟାରେ ଦ୍ୱାରଫିଟା ନୀତି କରାଯିବା ପରେ ବାଳଭୋଗ କରାଯାଇଥାଏ। ଦ୍ୱିପହର ଖେଚୁଡି ଭୋଗରେ ଭାତ,ଡାଲି,ମାଛ ବେସର, ଖିରୀ ଓ ଖଟା ଆଦି ଭୋଗ କରାଯାଉଥିବା ବେଳେ ସଂନ୍ଧ୍ୟାରେ ମା’ଙ୍କ ପ୍ରିୟ ଅଲଣା ବିରି ଜାଉ ଭୋଗ କରାଯାଏ। ଏକ ସ୍ୱତନ୍ତ୍ର ପ୍ରଣାଳୀରେ ଏହି ଅଲଣା ବିରି ଜାଉ ଭୋଗ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଆଦୌ ଲୁଣ ବ୍ୟବହାର କରାଯାଇନଥାଏ । ଅରୁଆ ଚାଉଳ, ଗୋଟା ବିରି, ନଡିଆ, କ୍ଷୀର, ଚିନି, କାଜୁ, ଖିସମିସ୍‍, ଗୁଜୁରାତି , କର୍ପୁର ଓ ତେଜପତ୍ରରେ ପ୍ରସ୍ତୁତ ଏହି ଅଲଣା ଜାଉ ମା’ଙ୍କର ଅତି ପ୍ରିୟ ଓ ପ୍ରସିଦ୍ଧ ଭୋଗ ଅଟେ। ମା’ଉତ୍ତରାୟଣୀଙ୍କ ପାଶ୍ୱର୍ ଦେବୀ ଭାବେ ବନଦୁର୍ଗା ଓ କନକ ଦୁର୍ଗା ପୂଜା ପାଉଥିବା ବେଳେ ତାଙ୍କ ନିକଟରେ ୧୯୯୬ ମସିହାରୁ ବଳି ପ୍ରଥା ବନ୍ଦ ହୋଇଯିବା ପରେ ଏବେ ମାଛ ବଳି ଦିଆଯାଉଥିବା ବେଳେ ପୋଡା ମାଛ ଭୋଗ କରାଯାଉଛି।
ରବିବାର ଦିନ ମା’ଉତ୍ତରାୟଣୀ ଭକ୍ତ ମାନଙ୍କୁ ମହିସାମର୍ଦ୍ଧନୀ ବେଶରେ ଦର୍ଶନ ଦେଇଥିବା ବେଳେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ଓ ମାନସୀକଧାରୀ ଭକ୍ତଙ୍କ ମଧ୍ୟରେ ବେଶ୍‍ ଆଗ୍ରହ ପରିଲକ୍ଷିତ ହୋଇଥିଲା। ସେହିପରି ୩ ତାରିଖରେ କାତ୍ୟାୟନୀ ବେଶ, ୪ ତାରିଖରେ କାଳରାତ୍ରୀ ବେଶ ଓ ୫ ତାରିଖରେ ମହାଗୌରୀ ବେଶରେ ମା’ ଉତ୍ତରାୟଣୀ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିରର ପୂଜକ ବିଚିତ୍ର କୁମାର ପାଢୀ ସୂଚନା ଦେଇଛନ୍ତି। ମା’ ଉତ୍ତରାୟଣୀ ପରମ ବୈଷ୍ଣବୀ ଠାକୁରାଣୀ ଅଟନ୍ତି। କିନ୍ତୁ ତାଙ୍କ ପାଶ୍ୱର୍ ଦେବୀ ବନଦୁର୍ଗା ଓ କନକ ଦୁର୍ଗାଙ୍କ ନିକଟରେ ବଳିପ୍ରଥା ଥିଲା ଓ ଏବେ ମାଛ ବଳି ଦିଆଯାଉଛି।

Comments are closed.