ଶିକ୍ଷା ବିକାଶ ସମିତିର ପ୍ରଧାନାଚାର୍ଯ୍ୟ ଓ ସଂପାଦକଙ୍କ ସମ୍ମିଳନୀ

ପିପିଲି:ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ, ପୁରୀ ବିଭାଗର ପ୍ରଧାନାଚାର୍ଯ୍ୟ ଓ ସଂପାଦକ ମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଏଥିରେ ପୁରୀ ବିଭାଗର ୫୩ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ପ୍ରଧାନାଚାର୍ଯ୍ୟ ଓ ସଂପାଦକମାନେ ଯୋଗଦେଇଥିବା ସୂଚନା ମିଳିଛି।
ଏହି ଅବସରରେ ଆୟୋଜିତ ଉତ୍ସବରେ ପିପିଲି ବ୍ଲକ ବିଡିଓ ରଶ୍ମିତା ନାଥ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‍ଘାଟନ କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ଶିକ୍ଷା ବ୍ୟବସ୍ଥା ସଂପର୍କରେ ସେ ଆଲୋକପାତ କରିବା ସହ ମାର୍ଗଦର୍ଶନ କରିଥିଲେ। ଶିକ୍ଷା ବିକାଶ ସମିତିର ପୂର୍ବ ସମ୍ଭାଗ ସଂପାଦକ ପ୍ର୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିକାଶ ସମିତିର ସଂଗଠନ ସଂପାଦକ ରମାକାନ୍ତ ମହାନ୍ତ, ପୁରୀ ବିଭାଗ ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି, ପୂର୍ବ ସମ୍ଭାଗ ସଂଯୋଜକ ଶିରିଶ କୁମାର ହାତୀ, ପୁରୀ ଜିଲା ପ୍ରମୁଖ ଅକ୍ଷୟ କୁମାର ଜେନା, ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତିର ଉତ୍କଳ ପ୍ରାନ୍ତ ବିଦ୍ୟାମନ୍ଦିର ବିଭାଗର ଶୈକ୍ଷିକ ସଂଯୋଜକ କୈଳାଶ ଚନ୍ଦ୍ର ମିଶ୍ର, ପୂର୍ବ ସମ୍ଭାଗ ସଭାପତି କୁଳମଣୀ ମିଶ୍ର, ଖୋର୍ଦ୍ଧା ବିଭାଗର ସହ-ବିଭାଗ ପ୍ରମୁଖ ସୁଦର୍ଶନ ମିଶ୍ର, ପୁରୀ ବିଭାଗ ସହ-ନିରୀକ୍ଷକ ନୃସିଂହ ଚରଣ ମିଶ୍ର, ପୂର୍ବ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶିକ୍ଷା ବିକାଶ ସମିତି ପକ୍ଷରୁ ପରିଚାଳିତ ମେଧା ବୃତ୍ତି ଓ ପ୍ରାଦେଶିକ ମେଧା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପୁରୀ ବିଭାଗର ୯୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ୯ଟି କାଳାଂଶରେ ପୁରୀ ବିଭାଗର ସମସ୍ତ ଶିଶୁ ବିଦ୍ୟାମନ୍ଦିର ମାନଙ୍କରେ କିପରି ଏକପ୍ରକାର ଶିକ୍ଷାଦାନ, ପରୀକ୍ଷା ଓ ସହପାଠ୍ୟ କ୍ରିୟାକଳାପ ଆଦି ହୋଇପାରିବ ସେ ସଂପର୍କରେ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ସରକାରଙ୍କ ନୂତନ ଶିକ୍ଷାନୀତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଏହାକୁ ପ୍ରତ୍ୟେକ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ କରିବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସହ-ପ୍ରାନ୍ତ ପରୀକ୍ଷା ସଂଯୋଜକ ରୁଦ୍ରନାରାୟଣ ବେହେରା ଶିକ୍ଷା ବିକାଶ ସମିତିର ଗତ ମାଟ୍ରିକ ପରୀକ୍ଷାର ସର୍ବୋତ୍ତମ ଫଳ ସଂପର୍କରେ ସୂଚନା ଦେଇଥିଲେ। ମୋଟ୍‍ ୩୨୨ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୦୧୧୪ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୮୮୮ ଜଣ ଏ-୧, ୮୦୪୯ ଜଣ ଏ-୨, ୬୦୨୯ଜଣ ବି-୧, ୨୩୯୯ ଜଣ ବି-୨, ୬୪୧ଜଣ ସି ଓ ୯୩ଜଣ ଡି ଗ୍ରେଡ୍‍ରେ ଉତ୍ତୀର୍ଣ୍ଣ ହୋଇଥିବା ସଂପର୍କରେ ଶ୍ରୀବେହେରା ସୂଚନା ଦେଇଥିଲେ। ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ବିକ୍ରମ କେଶରୀ ସିଂହ, ସଂପାଦକ ରମାକାନ୍ତ ସାହୁ, ଯୁଗ୍ମ ସଂପାଦକ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ରାକେଶ କୁମାର ମହାପାତ୍ର, ପ୍ରଧାନାଚାର୍ଯ୍ୟ ନେତ୍ରାନନ୍ଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ।

Comments are closed.