www.samajalive.in
Monday, December 15, 2025
17.1 C
Bhubaneswar

ପିପିଲିରୁ ନିଖୋଜ ସ୍କୁଲଛାତ୍ରଙ୍କ ମୃତଦେହ କଣ୍ଟାବାଞ୍ଜି ରେଳଲାଇନରୁ ଉଦ୍ଧାର ହେବା ଘଟଣା; ଯୋଜନାବଦ୍ଧ ହତ୍ୟାକାଣ୍ଡ ଅଭିଯୋଗ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ମାଟିଆପଡା ଗ୍ରାମରୁ ନିଖୋଜ ହୋଇଥିବା ଦଶମଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ଜେନା ଓରଫ ସୋନୁ(୧୬)ଙ୍କ ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍‍ପି ଥାନା ଅଞ୍ଚଳରୁ ରେଳଲାଇନରୁ ଉଦ୍ଧାର ହେବା ଘଟଣାକୁ ନେଇ ପିପିଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଗୁରୁବାର ପୂର୍ବାହ୍ନରେ ପିପିଲି ଟୋଲଗେଟଠାରେ ମୃତଦେହକୁ ରାଜପଥ ଉପରେ ରଖି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଦୁଇଘଣ୍ଟା କାଳ ଅବରୋଧ କରିଥିଲେ। ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ସହ ଅଭିଯୁକ୍ତକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ପିପିଲି ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିବା ସହ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ମାଟିଆପଡା ଗ୍ରାମ ସ୍ଥିତ ନିଜ ଅଜା ମହେଶ୍ୱର ପ୍ରଧାନଙ୍କ ଘରେ ରହି ନିକଟବର୍ତ୍ତି ଗୋବିନ୍ଦପୁର ହାଇସ୍କୁଲରେ ଦଶମଶ୍ରେଣୀରେ ପାଠ ପଢୁଥିଲେ। ଗତ ୭ତାରିଖ ସଂନ୍ଧ୍ୟା ୬ଟାରେ ସୌମ୍ୟରଞ୍ଜନ ଟ୍ୟୁସନ ହେବାକୁ ଯାଇ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସୌମ୍ୟରଞ୍ଜନ ଓରଫ ସୋନୁଙ୍କ ନିଖୋଜ ସଂପର୍କରେ ପରିବାର ପକ୍ଷରୁ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। ତେବେ, ୮ତାରିଖ ପୂର୍ବାହ୍ନରେ ସୋନୁର ମୃତଦେହ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଜିଆର୍‍ପି ଥାନା ଅଞ୍ଚଳରୁ ରେଳଲାଇନ୍‍ ଉପରୁ ଉଦ୍ଧାର ହେବା ସଂପର୍କରେ ପରିବାର ଲୋକେ ଖବର ପାଇଥିଲେ। ଘରୁ ଟିଉସନ ଯିବା ବେଳେ ସୋନୁ ସ୍ୱାଭାବିକ୍‍ ଥିବା ବେଳେ ତାର ନିଖୋଜ ହେବା ଓ ବଲାଙ୍ଗୀର ଜିଲାରୁ ମୃତଦେହ ମିଳିବା ଘଟଣାକୁ ଉଭୟ ପରିବାରଲୋକେ ଓ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୋନୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ମାଟିଆପଡା ନିକଟବର୍ତ୍ତି ଏକ ଗ୍ରାମର ଜନୈକା ଝିଅର ପରିବାର ଲୋକେ ସୋନୁକୁ ହତ୍ୟା କରିଥିବା ସଂପର୍କରେ ମୃତକଙ୍କ ମାଆ ସୁମିତ୍ରା ଜେନା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ, ବ୍ୟବଚ୍ଛେଦ ମୃତଦେହ ଗତକାଲି ରାତିରେ ମାଟିଆପଡା ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ପୂର୍ବାହ୍ନ ୯ଟାରେ ପିପିଲି ଟୋଲଗେଟ୍‍ ଠାରେ ମୃତଦେହକୁ ରାସ୍ତାରେ ରଖି ପରିବାରଲୋକେ ଓ ଶତାଧିକ ଗ୍ରାମବାସୀମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଖବରପାଇ ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ, କୌଶଲ୍ୟାଗାଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତରେ ଯିଏ ବି ଦୋଷୀ ହେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‍ଡିପିଓ ଶ୍ରୀବରାଳ ପ୍ରତିଶୃତି ଦେବା ପରେ ପୂର୍ବାହ୍ନ ୧୧ଟାରେ ରାସ୍ତାରୋକ ହଟିଥିଲା। ଏସଂପର୍କରେ ଏସ୍‍ଡିପିଓ ଶ୍ରୀବରାଳ ଗଣମାଧ୍ୟମକୁ କହିଥିଲେ ଯେ, କଣ୍ଟାବାଞ୍ଜି ରେଲୱେ ଥାନା ଅଞ୍ଚଳର ଟ୍ରେନଲାଇନ ଉପରୁ ସୋନୁଙ୍କ ମୃତଦେହକୁ ମୁଣ୍ଡ ଅଲଗା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଏନେଇ ଉକ୍ତ ଜିଆର୍‍ପି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ପୋଲିସ ନିରପେକ୍ଷ ତଦନ୍ତ କରିବ ବୋଲି ଶ୍ରୀବରାଳ ସୂଚନା ଦେଇଥିଲେ।

- Advertisement -

ଦୀର୍ଘ ୨ଘଣ୍ଟାକାଳ ଜାତୀୟ ରାଜପଥ ଅବରୋଧ ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏଥିଯୋଗୁଁ ସ୍କୁଲ ଓ କଲେଜରେ ପାଠ ପଢୁଥିବା ଅନେକ ଛାତ୍ରଛାତ୍ରୀ ଆଜି ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି। ରାସ୍ତାରୋକ ଯୋଗୁଁ ଟୋଲଗେଟର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡିମୋଟର ଅଟକି ରହିଥିଲା। ଲୋକେ ପିଲା, ଛୁଆଙ୍କୁ ଧରି ରାସ୍ତା କଡରେ ଦୀର୍ଘ ସମୟ ଠିଆହୋଇ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରିଥିଲେ। ଅଫିସ କାର୍ଯ୍ୟରେ ଓ ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥିବା ଲୋକେ ବିଶେଷ ହଇରାଣ ହୋଇଥିବା ବେଳେ ଡାକ୍ତରଖାନା ଯାଉଥିବା ଲୋକେ ମଧ୍ୟ ନାନା ହରକତ ହୋଇଥିବା ସୂଚନା ମିଳିଛି। ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ନିଜର ଗାଡିକୁ ବୁଲାଇ ଅନ୍ୟ ରାସ୍ତା ଦେଇ ଯିବାକୁ ଚେଷ୍ଟା କରିଥିବା ବେଳେ ସେହି ରାସ୍ତାଗୁଡିକରେ ମଧ୍ୟ ଗୁରୁତର ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ଟୋଲ୍‍ପ୍ଲାଜା କଡରେ ଥିବା କେନାଲବନ୍ଧ ରାସ୍ତା ଓ ଓରକଳ ଗ୍ରାମ୍ୟରାସ୍ତା ଦେଇ ଯାଇଥିବା ଦୟା ନଦୀବନ୍ଧ ରାସ୍ତାରେ ମଧ୍ୟ ଗାଡିମୋଟର ଜାମ୍‍ ହୋଇଯାଇଥିଲା। ରାସ୍ତା ଅବରୋଧ ହଟାଇବା ସହ ଟ୍ରାଫିକ ସମସ୍ୟା ଦୂର କରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories