ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; ୪ ବର୍ଷ ପରେ ପୁଞ୍ଜିଲାଲ ବିରୋଧରେ ଚାର୍ଜଫ୍ରେମ

ବଲାଙ୍ଗିର: ରାଜ୍ୟ ତଥା ଦେଶରେ ବଲାଙ୍ଗିର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ଚହଳ ସୃଷ୍ଟି କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ପାଟଣାଗଡ ଅତିରିକ୍ତ ଜିଲା ଜଜ୍‍(ଏଡିଜେ)ଙ୍କ ନ୍ୟାୟାଳୟରେ ହାଜର କରାଯାଇଛି। ତାଙ୍କ ବିରୋଧରେ ଧାରା ୩୦୨(ହତ୍ୟା) ସହ ୩୦୭, ୨୦୧ ଓ ବିସ୍ଫୋରକ ଆଇନ୍‍ର ଧାରା ୩ ଓ ୪ରେ ଚାର୍ଜଫ୍ରେମ କରାଯାଇଥିବା ଜଣାପଡିଛି। ଦୀର୍ଘ ୪ ବର୍ଷ ପରେ ମାମଲାର ଚାର୍ଜଫ୍ରେମ କରାଯାଇଛି।

ପାଟଣାଗଡ ଏଡିଜେ କୋର୍ଟରେ ହାଜର ହୋଇଥିଲେ ବି ପୁଞ୍ଜିଲାଲ ତାଙ୍କ ପୂର୍ବ ଅଭ୍ୟାସର ପୁନରାବୃତ୍ତି କରିଥିବା ଦେଖିବାକୁ ମିଳିଛି। ତଥ୍ୟ ଅନୁସାରେ, ସେ ହାଜର ହୋଇଥିଲେ ହେଁ ଫୋନ୍‍ କରି ନିଜ ଓକିଲଙ୍କ ସହ କଥା ହେବାକୁ ଚାହିଁଥିଲେ। ନ୍ୟାୟାଧିଶ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ପୁଞ୍ଜିଲାଲ ପାଟିତୁଣ୍ଡ କରିଥିଲେ। ପୁଞ୍ଜିଲାଲଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ ଦେବରାଜ ପଣ୍ଡାଙ୍କ କହିବା ଅନୁସାରେ, ପୁଲିସ ପ୍ରମାଣ ଭାବେ ଦେଇଥିବା ସିଡି/ଡିଭିଡିର କପି ୬ ମାର୍ଚ୍ଚ ୨୦୨୦ରେ ମଗା ଯାଇଥିଲା। କିନ୍ତୁ ନ୍ୟାୟାଧିଶ ଏହି ଆବେଦନକୁ ନାକଚ କରିଥିଲେ। ୨୪ ଫେବ୍ରୁଆରି ୨୦୨୧ରେ ପୁଣିଥରେ ସିଡି/ଡିଭିଡି କପି ଦେବା ପାଇଁ ଅନୁରୋଧ କରାଯାଇଥିଲା। ୭ ଜୁଲାଇ ୨୦୨୧ରେ ନ୍ୟାୟାଧିଶ କପି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ଦେବା ପାଇଁ ପ୍ରତିପକ୍ଷ ସରକାରୀ ଓକିଲ ସମୟ ମାଗିଥିଲେ। ୨୩ ଅକ୍ଟୋବର ୨୦୨୧ରେ ପୁଣିଥରେ ଆବେଦନକାରୀଙ୍କୁ କପି ଦେବା ପାଇଁ ନ୍ୟାୟାଧିଶ ନିର୍ଦ୍ଦେଶ ଦେଇଥିଲେ। ମାସେ ଅର୍ଥାତ ସେହି ବର୍ଷ ୨୩ ନଭେମ୍ବରରେ ସିଲ୍‍ ହୋଇଥିବା ସିଡି/ଡିଭିଡି ପୁଞ୍ଜିଲାଲଙ୍କୁ ଦିଆଯାଇଥିଲା। ସିଲ୍‍ ହୋଇଥିବା କଭର୍‍ ଖୋଲିବା ବେଳକୁ ସେଥିରେ କୌଣସି ମୋହର୍‍, ଦସ୍ତଖତ ନଥିବା ଓ ଏହି ସିଡି ଓ ଡିଭିଡିର ବୈଧତାକୁ ନେଇ ପ୍ରଶ୍ନ ଉଠିଥିଲା। ଅନୁରୂପ ଭାବେ ୨୩ ଫେବ୍ରୁଆରି ୨୦୨୨ରେ ଏହାର ଶୁଣାଣି କରି ମାର୍ଚ୍ଚ ୯ ତାରିଖରେ କପି ଦେବାକୁ ନ୍ୟାୟାଧିଶ କହିଥିଲେ। ତାହା ଏପର୍ଯ୍ୟନ୍ତ ମିଳିପାରିନି। ଯାହାକୁ ନେଇ ଏଡିଜେ ନ୍ୟାୟାଧିଶଙ୍କ ନିକଟରେ ହାଜର ହୋଇଥିବା ପୁଞ୍ଜିଲାଲ ଅସନ୍ତୋଷ ଜାହିର କରି ପାଟିତୁଣ୍ଡ କରିଥିବା ସୂଚନା ମିଳିଛି। ନ୍ୟାୟ ପାଇବାକୁ ସେ ବଞ୍ଚିତ ହେଉଥିବାରୁ ଉଚ୍ଚତମ ନ୍ୟାୟାଳୟକୁ ତାଙ୍କ ମାମଲା ସ୍ଥାନାନ୍ତର କରିବାକୁ ଦରଖାସ୍ତ ଲେଖିବେ ବୋଲି ପୁଞ୍ଜିଲାଲ କହିଥିଲେ। ଅନ୍ୟପଟେ ଅଭିଯୁକ୍ତ ପୁଞ୍ଜିଲାଲ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍‍ ଫୋନ୍‍ରୁ ଓକିଲଙ୍କ ସହ କଥା ହେବାକୁ ଚାହୁଁଥିଲେ। ନ୍ୟାୟାଧିଶ ଅଗ୍ରାହ୍ୟ କରିଦେବାରୁ ସେ ପାଟିତୁଣ୍ଡ କରିଥିବା ସରକାରୀ ଓକିଲ ଆଶିଷ ଚନ୍ଦନ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୩ ଫେବ୍ରୁଆରି ୨୦୧୮ରେ ପାଟଣାଗଡ ବ୍ଲକ ଛକ ନିକଟରେ ରହୁଥିବା ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ଘରକୁ କୋରିଅର୍‍ରେ ଏକ ପାର୍ସଲ ଆସିଥିଲା। ସେତେବେଳେ ଶ୍ରୀ ସାହୁ ବିଦେଶରେ ଡାକ୍ତରୀ ପଢୁଥିବା ଝିଅକୁ ଛାଡିବାକୁ ଯାଇଥିଲେ। ଆଉ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ପତ୍ନୀ(ବର୍ତ୍ତମାନ ଅବସରପ୍ରାପ୍ତ) କଲେଜକୁ ଯାଇଥିଲେ। ଘରେ ସଦ୍ୟ ବିବାହିତ ପୁଅ ସୌମ୍ୟ ଶେଖର, ବୋହୂ ରୀମାରାଣୀ ଓ ସଂପର୍କୀୟ ଜେଜେ ମା’ ଜେମାମଣି ଥିଲେ। ପାର୍ସଲରେ କ’ଣ ରହିଛି ବୋଲି କୌତୁହଳର ସହ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା। ଧୂଆଁମୟ ହୋଇଯାଇଥିଲା ଘର। ସୌମ୍ୟ ଓ ଜେମାମଣିଙ୍କର ମୃତ୍ୟୁ ହୋଇଥିଲା। ବୋହୂ ରୀମା ଦୀର୍ଘ ଦିନ ଧରି କଟକରେ ଚିକିତ୍ସିତ ହୋଇଥିଲେ। ଏବେ ସେ ଶାଶୁ ଓ ଶ୍ୱଶୁରଙ୍କ ସହ ପାଟଣାଗଡ ଘରେ ରହୁଛନ୍ତି। ଏହି ଘଟଣା ନେଇ ପାଟଣାଗଡ ଥାନାରେ ମାମଲା ହୋଇଥିଲା। ପୁଲିସ ମାସେ ଯାଏ ଖୋଳତାଡ କରି ପାର୍ସଲ ବୋମା ବିସ୍ଫୋରଣ ପଛର କୌଣସି ଆଧାର ପାଇ ନଥିଲା। କ୍ରାଇମବ୍ରାଞ୍ଚର ପୂର୍ବ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ତାଙ୍କ ସାଥୀମାନେ ଆସି ତଦନ୍ତ କରିଥିଲେ। ଘଟଣାକ୍ରମରେ ବଲାଙ୍ଗିରର ତତ୍କାଳୀନ ଆରକ୍ଷୀ ଅଧିକ୍ଷକ କେ.ସିଭା ସୁବ୍ରମଣିଙ୍କ ନିକଟକୁ ଏକ ଚିଠି ଆସିଥିଲା। ଏହି ଚିଠିଟି ଟାଇପ୍‍ କରାଯାଇଥିଲା। କିନ୍ତୁ ଚିଠିର ଲେଖାରୁ ଇଂରାଜୀରେ ପୋଖତ କେହି ଲେଖିବା ସହ ମାମଲାର ତଦନ୍ତକୁ ଅନ୍ୟ ଆଡକୁ ନେବା ପାଇଁ ଉଦ୍ୟମ କରୁଥିବା ସନ୍ଦେହ ହେଉଥିଲା। ଏହି ଦିଗରେ ଖୋଳତାଡ କରିବା ବେଳେ ଭଇଁଷା କଲେଜର ତତ୍କାଳୀନ ଅଧ୍ୟାପକ ତଥା ପୂର୍ବ ଅଧ୍ୟକ୍ଷ ପୁଞ୍ଜିଲାଲଙ୍କ ଆଡକୁ ସନ୍ଦେହ ଯାଇଥିଲା। ଆବଶ୍ୟକ ପ୍ରମାଣ ସଂଗ୍ରହ ପରେ ତାଙ୍କୁ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

Comments are closed.