ପିପିଲି: ପିପିଲି ଥାନା ଅନ୍ତର୍ଗତ ଦୟାନଦୀର କାକୁଡିଆ ବାଲିଘାଟ ଠାରେ ବୁଧବାର ସଂନ୍ଧ୍ୟାରେ ନଦୀରେ ବୁଡି ଜଣେ ୩୨ ବର୍ଷର ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ଅବିନାଶ ଦାଶ (୩୨) ଓ ତାଙ୍କ ଘର ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଥାନା ଅନ୍ତର୍ଗତ ଏମ୍ସ ନଗର ପାତ୍ରପଡା ଅଞ୍ଚଳରେ ହୋଇଥିବା ବେଳେ ସେ ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ଟାଣୁଆ ଯୁବନେତା ହୋଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାଇ, ଅବିନାଶ ଆଜି କାକୁଡିଆ ଗ୍ରାମ ସ୍ଥିତ ନିଜର ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ସଂନ୍ଧ୍ୟା ସମୟରେ ସେ ଦୟାନଦୀର କାକୁଡିଆ ବାଲିଘାଟ ଠାରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଅସାବଧାନତା ଯୋଗୁ ତାଙ୍କ ଗୋଡ ଖସି ଯିବାରୁ ସେ ଗଭୀର ନଦୀଜଳରେ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କର ଜଣେ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଖବର ପାଇ ପିପିଲି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସାଢେ ୩ଘଣ୍ଟା ଧରି ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ରାତି ସାଢେ ୯ଟା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିବା ଜଣାଯାଇଛି। ପିପିଲି ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସେଠାରେ ବହୁସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ନିଖୋଜ ଯୁବକଙ୍କ ସଂପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତ ଥିବା ଜଣାଯାଇଛି। ଅନ୍ଧାରରେ ଗଭୀର ନଦୀରେ ବୋଟ୍ ଦ୍ୱାରା ଅଗ୍ନିଶମ ବାହିନୀ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।



