ପିପିଲି:ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ପିପିଲି ପୁଲିସ ଗୁରୁବାର ସଂନ୍ଧ୍ୟାରେ ୩୦ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଜବତ କରିବା ସହ ଜଣେ ଚୋରା ମଦ ବେପାରୀକୁ ଗିରଫ କରିଥିବା ସୂଚନା ମିଳିଛି। ପିପିଲି-ଜଟଣୀ ରାସ୍ତାର ଅନନ୍ତପୁର ଗ୍ରାମ୍ୟଛକ ଠାରେ ଚୋରା ନିଶା କାରବାର ଚାଲିଥିବା ସଂପର୍କରେ ପିପିଲି ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏଏସ୍ଆଇ ସାନ୍ତନୁ ନାୟକ, ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଗୁରୁବାର ରାତି ୯ଟା ସମୟରେ ସେଠାରେ ଚଢାଉ କରି ବେଆଇନ ଭାବେ ଚୋରାରେ ମଦ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଥିଲେ। ତା’ ନିକଟରୁ ବିଭିନ୍ନ ବ୍ରାଣ୍ଡର ୩୦ ଲିଟରରୁ ଉର୍ଦ୍ଧ ବିଦେଶୀ ମଦକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ଘର ଉକ୍ତ ଅନନ୍ତପୁର ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।
Popular Categories



