Patra electronics

ପିପିଲି ଏନଏସି ଅଧ୍ୟକ୍ଷ ଭାବେ ସେକ୍ ବାବୁଙ୍କ ଦ୍ୱିତୀୟ ପାଳି ଆରମ୍ଭ

ପିପିଲି : ପିପିଲି ଏନଏସିର ନବନିର୍ବାଚିତ ଅଧ୍ୟକ୍ଷ ସେକ୍‍ ବାବୁ ନିଜ ଦଳର ସମସ୍ତ କାଉନ୍‍ସିଲରଙ୍କୁ ନେଇ ଶୁକ୍ରବାର ନିଜର ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି । ଏହି ଅବସରରେ ପୌର କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ପୂଜା ରାଉତ, ସହକାରୀ ଯନ୍ତ୍ରୀ ବିଭୂତି ତ୍ରିପାଠୀଙ୍କ ସମେତ ସମସ୍ତ ବିଭାଗୀୟ  ଅଧିକାରୀ ଓ କର୍ମଚାରୀମାନେ ସେକ୍‍ ବାବୁଙ୍କ ସମେତ ନବନିର୍ବାଚିତ କାଉନ୍‍ସିଲର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୋଗଦେଇ ପିପିଲି ଏନ୍‍ଏସିର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ନିଷ୍ଠାର ସହ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପିପିଲି ଏନଏସିରେ ଅର୍ଥର ଅଭାବ ନଥିବାରୁ ପୌରାଞ୍ଚଳର ବିକାଶ ଧାରାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ରୁଦ୍ରପ୍ରତାପ କହିବା ସହ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୌରାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସେ ପୂର୍ବପରି ନିଜର ଉଦ୍ୟମ ଜାରି ରଖିବେ ବୋଲି ପୌରାଧ୍ୟକ୍ଷ ସେକ୍‍ ବାବୁ ପ୍ରକାଶ କରିବା ସହ ପୌରବାସୀଙ୍କ ନିକଟରେ ସେ ଋଣୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପତ୍ନୀ ଆଇନଜୀବୀ ଜାଗୃତି ପଣ୍ଡା ମହାରଥୀ, ରାଜ୍ୟ ବିଜେଡି ସଂପାଦକ ପ୍ରିୟବ୍ରତ ସାମନ୍ତରାୟ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପୂର୍ବତନ କାଉନ୍‍ସିଲର ଗନ୍ଧର୍ବ ପରିଡା, ଜବାର ଖାଁ, ବରିଷ୍ଠ ନେତା ଶ୍ରୀଧର ପ୍ରଧାନ, ଯୁବନେତା ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
୧୯୭୨ ମସିହାରେ ପିପିଲି ଏନଏସି ମାନ୍ୟତା ପାଇଥିବା ବେଳେ ୨୦୦୮ ମସିହାରେ ପ୍ରଥମଥର କରି ଏହା ଅଣ-କଂଗ୍ରେସ ଅର୍ଥାତ ବିଜେଡି ହାତକୁ ଯାଇଥିଲା। ୨୦୦୮ ମସିହାରେ ବିଜେଡିର କାଉନ୍‍ସିଲର ଭାବେ ନିର୍ବାଚିତ ହୋଇ ସେକ୍‍ ବାବୁ ପ୍ରଥମ ଥର ପାଇଁ ପିପିଲିର ପୌରାଧ୍ୟକ୍ଷ ହୋଇଥିଲେ। ନିଜର କାର୍ଯ୍ୟକାଳ ମଧ୍ୟରେ ସେ ପୌରାଞ୍ଚଳର ବିକାଶ ସହ ରାସ୍ତାଗୁଡିକୁ କଂକ୍ରିଟ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକପ୍ରିୟତା ହାସଲ କରିଥିଲେ। କଂଗ୍ରେସର ଦୁର୍ଗ କୁହାଯାଉଥିବା ଏହି ପୌରାଞ୍ଚଳରେ ବିଜେଡିର ସଂଗଠନକୁ ମଜବୁତ କରିବାରେ ମଧ୍ୟ ସେ ବେଶ୍‍ ସଫଳ ହୋଇଥିଲେ।

Comments are closed.