www.samajalive.in
Monday, December 15, 2025
15.1 C
Bhubaneswar

ପିପିଲିବାସୀଙ୍କୁ ଦୁଃଖ ଓ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌‌ ବିଭ୍ରାଟ

ପିପିଲି : ଉର୍ବର କୃଷିକ୍ଷେତ୍ର, ମଧୁର ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପାଇଁ ନିଜକୁ ଭାଗ୍ୟବାନ ମନେ କରୁଥିବା ପିପିଲିବାସୀଙ୍କ ଦୁଃଖ ଓ ଯନ୍ତ୍ରଣାର କାରଣ ପାଲଟିଛି ଏଠାକାର ବିଦ୍ୟୁତ୍‌‌ ବିଭ୍ରାଟ । ଏଠାରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌‌ ବିଭ୍ରାଟ ହେଉଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌‌ ନରହିବା, ବାରମ୍ବାର ୩୩କେଭି ଓ ୧୧କେଭି ଲାଇନ୍‌‌ରେ ତୃଟି ପରିଲକ୍ଷିତ ହେବା କାରଣରୁ ଲୋକେ ଅତିଷ୍ଟ ହୋଇ ପଡିଲେଣି । ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏହି ବିଦ୍ୟୁତ୍‌‌ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ, ସରକାରୀ ଉଦାସିନତା ଓ ବିଭାଗୀୟ ଅବହେଳାକୁ ଲୋକେ ଦାୟୀ କରିଛନ୍ତି।

ପିପିଲି ବିଦ୍ୟୁତ୍‌‌ ସବ୍‌‌ଡିଭିଜନକୁ ନିମାପଡାର ଦିଘାଳ ଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ୍‌‌ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୩୬୨ଟି ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍‌‌ ଆସୁଛି। ତେବେ ସାମାନ୍ୟ ବର୍ଷା, ପବନ ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ବାରମ୍ବାର ବିଦ୍ୟୁତ୍‌‌ ବିଭ୍ରାଟ ହେବା ଯୋଗୁଁ ଏହି ଅଞ୍ଚଳର ବିଦ୍ୟୁତ୍‌‌ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ୍‌‌ ସେବାରୁ ବଞ୍ଚିତ ହେଉଛନ୍ତି । ଗତ ୨୦୧୯ ମସିହା ଫଣି’ ବାତ୍ୟା ସମୟରେ ପିପିଲିକୁ ଆସିଥିବା ୩୩କେଭି ଲାଇନ୍‌‌କୁ ଅତି ତରବରିଆ ଭାବେ ମରାମତି କରାଯାଇଥିବା ବେଳେ ଅଧିକାଂଶ ଖୁଣ୍ଟିରେ ଥିବା ଇନ୍‌‌ସୁଲେଟର ସହ ବିଦ୍ୟୁତ୍‌‌ ତାରକୁ ଠିକ୍‌‌ ଭାବେ ବନ୍ଧେଇ କରାଯାଇନଥିଲା। ଫଳରେ ସାମାନ୍ୟ ବର୍ଷା ହେଲେ ଢିଲା ବନ୍ଧେଇ ହୋଇଥିବା ଇନ୍‌‌ସୁଲେଟରରେ ତୃଟି ହେଉଥିବା ଓ ଏହି ତୃଟିକୁ ଖୋଜି ବାହାର କରିବା ବିଭାଗୀୟ କର୍ମଚାରୀଙ୍କ ପକ୍ଷେ କାଠିକର ହେଉଥିବା ସୂଚନା ମିଳିଛି । ଗତ ୩୧ ତାରିଖରେ ବର୍ଷା ଓ ବଜ୍ରପାତ ଯୋଗୁଁ ସଂନ୍ଧ୍ୟା ୫ଟାରୁ ପିପିଲି ଅଞ୍ଚଳକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ରାତି ତମାମ୍‌‌ ଉଦ୍ୟମ କରିଥିଲେ ମଧ୍ୟ ୩୩କେଭି ଲାଇନ୍‌‌ରେ ଥିବା ତୃଟିକୁ ଖୋଜି ବାହାର କରିବାରେ ବିଫଳ ହୋଇଥିଲେ। ପରେ ବିଭିନ୍ନ ସ୍ଥାନରେ ଥିବା ଜମ୍ପରକୁ ଖୋଲା ଯାଇ ପ୍ରତି ଖୁଣ୍ଟକୁ ଯାଞ୍ଚ କରାଯିବାରେ ତୃଟି ମିଳିଥିଲା ଓ ଏହାର ମରାମତି କରାଯାଇଥିଲା। ୧ ତାରିଖ ସକାଳ ୮ଟା ୨୦ ରେ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ସମ୍ଭବ ହୋଇଥିଲା। କିନ୍ତୁ ପିପିଲି ବିଦ୍ୟୁତ୍‌‌ ଉପଖଣ୍ଡର ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍‌‌ ସେବା ପହଞ୍ଚିବାରେ ଉକ୍ତ ଦିନ ଅପରାହ୍ନ ହୋଇଯାଇଥିଲା। ସେହିପରି ୧ ତାରିଖ ରାତି ସାଢେ ୧୨ଟାରେ ପିପିଲି ସେକ୍ସନ-୨ ଅଧିନ ମଢିଆଳି ଗହିରରେ ୧୧କେଭି ବିଦ୍ୟୁତ୍‌‌ ତାର ଛିଣ୍ଡି ପଡିଥିବା ବେଳେ ରାତି ତମାମ ପିପିଲିର ଅଧିକାଂଶ ଅଞ୍ଚଳ ଅନ୍ଧାରରେ ରହିଥିଲା। ୨ ତାରିଖ ବୁଧବାର ସକାଳେ ଏହାର ମରାମତି କରାଯିବା ପରେ ସାଢେ ୮ଟାରେ ଉକ୍ତ ଅଞ୍ଚଳକୁ ବିଦ୍ୟୁତ୍‌‌ ସରବରାହ ସ୍ୱାଭାବିକ ହୋଇଥିଲା। ପୁନଶ୍ଚ ଦିନ ୧୧ଟା ୧୫ ମିନିଟ୍‌‌ରେ ଦିଘାଳ ଠାରୁ ପିପିଲିକୁ ଆସିଥିବା ୩୩କେଭି ଲାଇନ୍‌‌ରେ ତୃଟି ପରିଲକ୍ଷିତ ହୋଇଥିଲା। ଶାଳଜଙ୍ଗ ନିକଟରେ ବିଲ ମଧ୍ୟରେ ଥିବା ଏକ ୩୩କେଭି ବିଦ୍ୟୁତ୍‌‌ ଖୁଣ୍ଟି ନଇଁ ପଡିଥିବା ବେଳେ ଏହାକୁ ଟ୍ରାକ୍ଟର ଦ୍ୱାରା ସିଧା କରାଯାଇ ଆବଶ୍ୟକ ମରାମତି କରାଯାଇଥିଲା। ପରେ ଅପରାହ୍ନ ସାଢେ ୩ଟାରେ ପିପିଲିକୁ ବିଦ୍ୟୁତ୍‌‌ ଯୋଗାଣ ସମ୍ଭବ ହୋଇଥିଲା। ଏଥିଯୋଗୁଁ ବୁଧବାର ପିପିଲିର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ପିପିଲି ବିଦ୍ୟୁତ୍‌‌ ଅଞ୍ଚଳର ୩୨ହଜାରରୁ ଉର୍ଦ୍ଧ ବିଦ୍ୟୁତ୍‌‌ ଉପଭୋକ୍ତାମାନେ ବିଦ୍ୟୁତ୍‌‌ ସେବାରୁ ବଞ୍ôଚତ ହୋଇଥିଲେ। ବାରମ୍ବାର ବିଦ୍ୟୁତ୍‌‌ ବିଭ୍ରାଟ ଓ ଲୋଭୋଲ୍‌‌ଟେଜ୍‌‌ କୁ ନେଇ ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଧିକାଂଶ ଗ୍ରାମାଞ୍ଚଳରେ ପଙ୍ଖା ଠିକ୍‌‌ ଭାବେ ବୁଲୁନଥିବା ବେଳେ ବିଦ୍ୟୁତ୍‌‌ ବଲ୍‌‌ ଧପ ଧପ ହେଉଛି। ଲୋଭୋଲ୍‌‌ଟେଜ୍‌‌ ପାଇଁ ବହୁ ଉପଭୋକ୍ତାଙ୍କ ଟିଭି, ଫ୍ରିଜ୍‌‌, ୱାଶିଂ ମେସିନ୍‌‌ ଓ ଏସି ଆଦି ପୋଡି ଯାଉଥିବା ସୂଚନା ମିଳିଛି। ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନ ଓ େଔଷଧ ଦୋକାନୀ ଓ ଥଣ୍ଡା ପାନୀୟ ଦୋକାନୀମାନେ ବାଧ୍ୟ ହୋଇ ଜେନେରେଟର କିଣିଥିବା ସୂଚନା ମିଳିଛି।
ତେବେ ପିପିଲି ଅନ୍ତର୍ଗତ ମଙ୍ଗଳପୁର ନିକଟ ଠଣଠଣା ଠାରେ ୩୮କୋଟି ବ୍ୟୟରେ ନିର୍ମିତ ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ ୨୦୨୦ ଜୁନ ୨୫ ତାରିଖରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଏହି ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ସଂଯୋଗ କରାଗଲେ ଅଞ୍ଚଳର ବିଦ୍ୟୁତ୍‌‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ତେବେ ଏନେଇ ଅଦାଲତରେ ମାମଲା ବିଚାରଧିନ ଥିବାରୁ ଏହି ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ସଂଯୋଗରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories