କାର୍‍ ଧକ୍କାରେ ସାଇକେଲ ଚାଳକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ରବିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବେଣୁଧର ନାୟକ(୫୭) ଓ ତାଙ୍କ ଘର ପିପିଲି ପୌରାଞ୍ଚଳର ବଣିଆସାହିରେ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ ଜାତୀୟ ରାଜପଥକୁ ଏକ ଘଣ୍ଟାକାଳ ଅବରୋଧ କରିଥିଲେ।
ସୂଚନା ଅନୁଯାଇ, ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ରବିବାର ଅପରାହ୍ନ ୪ଟା ସମୟରେ ବେଣୁଧର ସାଇକେଲ ଚଳାଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପୁରୀରୁ ଦୃତଗତିରେ ଆସୁଥିବା ଏକ କାର୍‍ ଷଣ୍ଢବଟ ଗ୍ରାମ୍ୟଛକ ଠାରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡକୁ ମାଡିଯିବା ସହ ବେଣୁଧରଙ୍କୁ ଧକ୍କା ଦେଇଥିଲା। ଫଳରେ ବେଣୁଧର କାର୍‍ର ସମ୍ମୁଖଭାଗ କାଚରେ ଖୁବ୍‍ଜୋର୍‍ରେ ମାଡ ହେବାପରେ କାର୍‍ଟି ତାଙ୍କ ଉପରେ ଚଢି ଯାଇଥିଲା। ତାଙ୍କ ସାଇକେଲ୍‍କୁ କାର୍‍ଟି ପ୍ରାୟ ଶହେ ମିଟର ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ବେଣୁଧର କିଛି ସମୟ ଛଟପଟ ହେବା ପରେ ସେହିଠାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

prayash

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତଲୋକେ ସେଠାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମୃତଦେହକୁ ନେବାପାଇଁ ସେଠାକୁ ଯାଇଥିବା ଏକ ଆମ୍ବୁଲାନ୍ସକୁ ମଧ୍ୟ ଲୋକେ ଛାଡିନଥିବା ବେଳେ ପୁଲିସ ସହ କେତେକ ଲୋକେ ଠେଲାପେଲା କରିଥିଲେ। ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ, ଏଏସ୍‍ଆଇ ପ୍ରକାଶ ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବେଣୁଧରଙ୍କ ମୃତଦେହକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଶୁଣିନଥିଲେ। ଫଳରେ ଉତ୍ତ୍ୟକ୍ତ ଲୋକ ଓ ପୁଲିସ ମଧ୍ୟରେ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା। ରାସ୍ତା ଅବରୋଧ ଯୋଗୁଁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁସଂଖ୍ୟାରେ ଗାଡିମୋଟର ଅଟକି ରହିଥିଲା। ତେବେ ଲୋକଙ୍କୁ ବୁଝାସୁଝା କରାଯିବା ପରେ ସନ୍ଧ୍ୟା ୫ଟା ୨୦ ମିନିଟ୍‍ରେ ରାସ୍ତା ଅବରୋଧ ହଟିଥିଲା। ପୁଲିସ ମୃତଦେହକୁ ଜବତ କରି ପିପିଲି ଡାକ୍ତରଖାନାକୁ ଆଣିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସୂଚନା ମିଳିଛି। ଏନେଇ ପିପିଲିଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ଓ ସାଇକେଲକୁ ପୁଲିସ ଜବତ କରିବା ସହ କାର୍‍ ଚାଳକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

kalyan agarbati

Comments are closed.