www.samajalive.in
Saturday, December 6, 2025
17.1 C
Bhubaneswar

ନିମାପଡାରେ କୁକୁଡା ମରା ଆରମ୍ଭ : ସରକାରୀ ସହାୟତା ଦାବିରେ ଆଜି ଆନ୍ଦୋଳନ

ପିପିଲି/ନିମାପଡା : ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ବାର୍ଡ଼ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଥିରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ନିମାପଡ଼ା ଓ ବଳଙ୍ଗା ଅଞ୍ଚଳରେ କୁକୁଡ଼ାମରା ଅଭିଯାନ ଚାଲିଥିବାବେଳେ ଚାଷୀ କ୍ଷତି ଭୟରେ ବାର୍ଡଫ୍ଲୁ ଚିହ୍ନଟ ପୂର୍ବରୁ ୬ଲକ୍ଷ କୁକୁଡା ବିକ୍ରି କରିଦେଇଥିବା ଜଣାପଡିଛି। ନିମାପଡା ଅଞ୍ଚଳରେ ବାର୍ଡଫ୍ଲୁ ଚିହ୍ନଟ ପରେ ରବିବାର ପ୍ରଥମ ଦିନରେ ୩୪୧ କୁକୁଡା ମରାଯାଇଛି। ଆଜି ୧୬ ହଜାର କୁକୁଡା ମରାଯିବ ବୋଲି ସୂଚନା ମିଳିଛି। ନିମାପଡା ବ୍ଲକ ଅନ୍ତର୍ଗତ କୋଟକୁସାଙ୍ଗ ପଂଚାୟତରେ ଥିବା କୁକୁଡା ଫାର୍ମରେ କୁକୁଡା ମରିବା ଯୋଗୁଁ ବାର୍ଡ ଫ୍ଲୁ ସନ୍ଦେହ ଦେଖାଦେଇଥିଲା। କୁକୁଡାର ମଳ, ରକ୍ତ ଓ ନାଳ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ବାର୍ଡ ଫ୍ଲୁ ହୋଇଥିବା ନେଇ ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ୧୦ ଜଣିଆ ଟିମର ୪୦ ସଦସ୍ୟ ଆସି କୋଟକୁସାଙ୍ଗ ପଂଚାୟତ ବାଲିପଡା ଗ୍ରାମର ଏକ କୁକୁଡା ଫାର୍ମରୁ ୩୪୧ କୁକୁଡା ମାରି ପୋତିଛନ୍ତି। ଆଜି ଦାଶ ପୁରୁଷତ୍ତମ ଗ୍ରାମରେ ଆଉ ଏକ କୁକୁଡା ଫାର୍ମରେ ୧୬ହଜାର କୁକୁଡା ମରାଯିବ। ପ୍ରାଣୀ ସମ୍ପଦ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶାର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ଅଭିଯୋଗ କରିଛନ୍ତି। ଜୁନ ମାସରୁ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କ ତାଲିକା କରାଯାଇ ସେମାନଙ୍କୁ ସରକାରୀ କ୍ଷତିପୂରଣ ରାଶି ପ୍ରଦାନ କରାଯିବା, ସଂକ୍ରମିତ କୁକୁଡା ଫାର୍ମଗୁଡିକୁ ତାଲିକାଭୁକ୍ତ କରାଯାଇ ବିଶୋଧନ ଓ ଜନବସତି ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦାବିରେ ସୋମବାର ଜିଲାର ୫ଶହରୁ ଊର୍ଦ୍ଧ୍ବ କ୍ଷତିଗ୍ରସ୍ତ କୁକୁଡାଚାଷୀଙ୍କୁ ନେଇ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories