ଯାତ୍ରା ଜଗତରେ କରୋନାର କାୟା : ଚିନ୍ତାରେ କଳାକାର ଓ ମାଲିକ

ଅନିଶ୍ଚିତତା ମଧ୍ୟରେ ଯାତ୍ରା ପରିବେଷଣ

ପିପିଲି : ଓଡିଆ ଯାତ୍ରା ଜଗତରେ ପଡିଛି କରୋନାରେ ବଡ ପ୍ରଭାବ। ଯାତ୍ରା କଳାକାର, କର୍ମଚାରୀ ଏବେ ଘରେ ବସି ରହିଥିବା ବେଳେ ମାଲିକ ମାନେ ଚିନ୍ତାରେ। ଯାତ୍ରା ସିଜିନ୍‍ରେ କରୋନା ମହାମାରୀ ଯୋଗୁଁ ସମଗ୍ର ଦେଶ ଲକ୍‍ଡାଉନ୍‍ ହୋଇଯିବା ପରେ ସବୁ କିଛି ଠପ୍‍ ହୋଇଯାଇଛି। ଯାତ୍ରା ପାର୍ଟି ଠାରୁ ଆରମ୍ଭ କରି ବିଭିନ୍ନ ଯାତ୍ରା କମିଟି ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ଗୋଟିଏ ଚିନ୍ତା ଘାରିଛି। ତାହା ହେଲା, କେବେ କରୋନା ମହାମାରୀ ଦୂର ହେବ ଓ ପୁଣି ଯାତ୍ରା ଜଗତ ମୁଣ୍ଡ ଟେକିବ।   ଓଡିଆଙ୍କ ମନୋରଞ୍ଜନର ଏକ ପ୍ରମୁଖ ମାଧ୍ୟମ ହେଉଛି ଯାତ୍ରା ଜଗତ। ଯାତ୍ରା ଜଗତରୁ ଅଭିନୟ ଆରମ୍ଭ କରି ଅନେକ କଳାକାର ଫିଲ୍ମ ଜଗତକୁ ମଧ୍ୟ ଯାଇଥାନ୍ତି। କଳାକାରଙ୍କ ଜୀବନ୍ତ ଅଭିନୟ ପ୍ରତି ଦର୍ଶକଙ୍କ ବିଶେଷ ଆଗ୍ରହ ଥିବାରୁ ଓଡିଶାର ଯାତ୍ରାର ବେଶ୍‍ ଚାହିଦା ରହିଛି। ଯାତ୍ରା ପାର୍ଟିରେ ଅଭିନୟ କରି ଶହ ଶହ କଳାକାର, ଟେକ୍ନିସିଆନ୍‍ ଓ କର୍ମଚାରୀମାନେ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ବିଭିନ୍ନ ଯାତ୍ରା କମିଟି ପାଇଁ ଏହା ଏକ ପ୍ରମୁଖ ରୋଜଗାରର ପନ୍ଥା ମଧ୍ୟ ପାଲଟିଛି। ତେବେ କରୋନା ମହାମାରୀର ପ୍ରଭାବ ଯୋଗୁଁ ସମଗ୍ର ଦେଶ ଲକ୍‍ଡାଉନ୍‍ ହୋଇଯିବା ଫଳରେ ଯାତ୍ରା ପରିବେଷଣ ସଂପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଯାତ୍ରା କଳାକାରଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନ୍‍ ଓ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ନିଜ ନିଜ ଘରେ ସମୟ ଅତିବାହିତ କରୁଛନ୍ତି। ଯାତ୍ରା ସିଜିନ୍‍ରେ ଏଭଳି ଅବସ୍ଥାକୁ ନେଇ ଯାତ୍ରା ମାଲିକଙ୍କ ମୁଣ୍ଡବିନ୍ଧା ବଢିଯାଇଛି।

ବିଭିନ୍ନ ସୂତ୍ରରୁ ଋଣ କରି ଯାତ୍ରାପାର୍ଟି କରିଥିବା ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରହାର ପକାଇଛି ମହାମାରୀ କରୋନା। ସାଧାରଣତଃ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଠାରୁ ହିଁ ଯାତ୍ରା ସିଜିନ୍‍ ଆରମ୍ଭ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମେଳଣ ଓ ଯାନିଯାତ୍ରାରେ ଯାତ୍ରା ପାର୍ଟିର ଡିମାଣ୍ଡ ବହୁତ ଅଧିକ ଥାଏ। ରାଜ୍ୟର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ବିଭିନ୍ନ ଯାତ୍ରା କମିଟି ମାଧ୍ୟମରେ ଯାତ୍ରା ପାର୍ଟି ମାନେ ସେମାନଙ୍କ ଯାତ୍ରା ପରିବେଷଣ କରିଥାନ୍ତି। ଯାତ୍ରା ପରିବେଷଣ ପାଇଁ ବହୁ ପୂର୍ବରୁ ଯାତ୍ରା କମିଟି ପକ୍ଷରୁ ଯାତ୍ରା ପାର୍ଟିକୁ ଲକ୍ଷାଧିକ ଟଙ୍କା ଅଗ୍ରୀମ ଆକାରରେ ଦିଆଯାଇଥାଏ। ତେବେ ଏହି ଯାତ୍ରା ସିଜିନ୍‍ରେ ଯାତ୍ରା ପରିବେଷଣ ବନ୍ଦ ହୋଇଯିବା ଫଳରେ ଯାତ୍ରାପାର୍ଟିର ମାଲିକମାନେ ବର୍ଷକର ପ୍ରମୁଖ ରୋଜଗାର ହରାଇଥିବା ସୂଚନା ମିଳିଛି। କରୋନା ଯୋଗୁଁ ସମଗ୍ର ଦେଶରେ ଲକ୍‍ଡାଉନ୍‍ ପରିସ୍ଥିତି ଓ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ପାଇଁ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରବଜାର ପର୍ଯ୍ୟନ୍ତ ସବୁଠାରେ ମେଳଣ, ଯାନିଯାତ୍ରାକୁ ବାତିଲ କରାଗଲା। ଫଳରେ ଯାତ୍ରା ପରିବେଷଣର ସମସ୍ତ ରାସ୍ତା ବନ୍ଦ ହୋଇଗଲା।

ସାଧାରଣତଃ ଅଗଷ୍ଟ ୧ ତାରିଖରୁ ଜୁନ୍‍ ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରା ପାର୍ଟି ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥାଏ। ଅଗଷ୍ଟ ମାସରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଯାତ୍ରାପାର୍ଟିର ଯେତିକି ଲାଭ ତଥା ରୋଜଗାର ହୋଇଥାଏ ଦୋଳ ପୂର୍ଣ୍ଣମୀ ପରଠାରୁ ଜୁନ୍‍ ୧୩ ତାରିଖ ପର୍ଯ୍ୟନ୍ତ ତା’ଠାରୁ ଅଧିକ ରୋଜଗାର ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନାର ପ୍ରଭାବରେ ଏହି ରୋଜଗାର ସଂପୂର୍ଣ୍ଣ ଠପ୍‍ ହୋଇଯାଇଛି। ଏସଂପର୍କରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟର ମୁଖ୍ୟ ପରିଚାଳକ ମଧୁସୂଦନ ପ୍ରଧାନଙ୍କୁ ପଚାରିବାରେ ସେ କହନ୍ତି ଯେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୪ରୁ ଯାତ୍ରା ପରିବେଷଣ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ରାଜ୍ୟରେ ଥିବା ୧୭/୧୮ଟି ବଡ ଯାତ୍ରାପାର୍ଟି ଓ ଶତାଧିକ ଛୋଟ ଯାତ୍ରାପାର୍ଟିର ହଜାର ହଜାର କଳାକାର , ଟେକ୍ନିସିଆନ୍‍ ଓ କର୍ମଚାରୀମାନେ ଏବେ ହାତବାନ୍ଧି ଘରେ ବସିଛନ୍ତି। ମାର୍ଚ୍ଚ ୧୩ରୁ ଜୁନ୍‍ ୧୩ ପର୍ଯ୍ୟନ୍ତ ପ୍ରମୁଖ ସିଜିନ୍‍ରେ ବଡ ବଡ ଯାତ୍ରାପାର୍ଟିର କୋଟିଏରୁ ଉର୍ଦ୍ଧ ଟଙ୍କା ରୋଜଗାର ହେଉଥିବା ବେଳେ ଛୋଟ ଯାତ୍ରାପାର୍ଟିମାନଙ୍କର ମଧ୍ୟ ଏହି ସମୟରେ ରୋଜଗାର ଭଲ ହୋଇଥାଏ। ଜୁନ୍‍ ୧୩ ପରଠାରୁ କଳାକାର ଓ କର୍ମଚାରୀମାନଙ୍କୁ ଛୁଟି ଦିଆଯାଉଥିବା ବେଳେ ଛୁଟି ପରେ ନୂଆ ନାଟକର ରିଏଲ୍‍ସଲ୍‍ କରାଯାଇଥାଏ। ମାର୍ଚ୍ଚ ୧୪ରୁ ଜୁନ୍‍ ୧୩ ମଧ୍ୟରେ ୨୨ଟି ସ୍ଥାନରେ ଯାତ୍ରା ପରିବେଷଣ ହେବାକୁ ବିଭିନ୍ନ କମିଟି ପକ୍ଷରୁ ତାଙ୍କୁ ଆଡ୍‍ଭାନ୍ସ କରାଯାଇଥିଲା। ସେହି ଅନୁଯାଇ ପାର୍ଟିର ମାଲିକ ବିଭିନ୍ନ ନାମଜାଦା କଳାକାରଙ୍କୁ ମଧ୍ୟ ଆଡ୍‍ଭାନ୍ସ କରିଥିଲେ। କରୋନା ମହାମାରୀ ଯୋଗୁଁ ଯାତ୍ରା ପରିବେଷଣ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଫଳରେ ଯାତ୍ରା କମିଟିର ଆଡ୍‍ଭାନ୍ସ ଟଙ୍କା ଫେରାଇବା ଏବେ ବିଭିନ୍ନ ଯାତ୍ରାପାର୍ଟିର ମାଲିକଙ୍କ ପକ୍ଷେ କଷ୍ଟକର। କାରଣ ଲକ୍‍ଡାଉନ୍‍ ପରେ ଯାତ୍ରା କମିଟି ମାନେ ଆର୍ଥିକ କ୍ଷତି ଦର୍ଶାଇ ଯାତ୍ରା ପରିବେଷଣ ଆଉ କରାଇବେ ନାହିଁ ଓ ଯାତ୍ରାପାର୍ଟି ନେଇଥିବା ଅଗ୍ରୀମ ଟଙ୍କାକୁ କମିଟିକୁ ଫେରାଇବାକୁ ପଡିବ। କରୋନା ଯୋଗୁଁ ଯାତ୍ରା ବ୍ୟବସାୟ ସଂପୂର୍ଣ୍ଣ ଠପ୍‍ ହୋଇଯିବା ଫଳରେ କଳାକାର ଓ କର୍ମଚାରୀଙ୍କୁ କିପରି ଦରମା ଦିଆଯିବ ସେ ନେଇ ମାଲିକମାନେ ଏବେ ଚିନ୍ତାରେ। ଗତବର୍ଷ ସାମୁଦ୍ରିକ ବାତ୍ୟା ଫଣି’ର ପ୍ରତିକୂଳ ପ୍ରଭାବ ଯାତ୍ରା ଜଗତ ଉପରେ ପଡିଥିବା ବେଳେ ଚଳିତ ବର୍ଷ କରୋନାର ମହାପ୍ରଭାବ ପଡିଛି। ଏଭଳି ପରିସ୍ଥିତିର ସ୍ଥିତି କେବେ ସୁଧୁରିବ ଓ ଯାତ୍ରା ପରିବେଷଣ ପୁଣି ଆରମ୍ଭ ହେବ ତାହା ସମୟ ହିଁ କହିବ।

Comments are closed.