ଫୁଲବାଣୀ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ବିରୋଧରେ ମାମଲା

0

ଫୁଲବାଣୀ:ଏକ ଅଭାବନୀୟ ଘଟଣାରେ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ତଥା ବିଜେଡି ଯୁବ ନେତା ଦେବେନ୍ଦ୍ର କହଁରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘରେ ଅଧରାତିରେ ବନ୍ଧୁକ ଧରି ପଶି ନିସ୍ତୁକ ମାଡ ମାରି ଲହୁଲୁହାଣ କରିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଯୁବତୀଙ୍କ କିଛି ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଥିବା ବେଳେ  ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲା ଦିଆଯାଇଛି। ସଂପୃକ୍ତ ପିଡିତା ଗୁରୁତର ଅବସ୍ଥାରେ ସଦର ଥାନାରେ ପହଞ୍ଚିବା ପରେ ପୁଲିସ ପ୍ରଥମେ ପ୍ରାଥମିକ ଚିକିତ୍ସା କରିଥିଲା। ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ପୁଲିସ ଓ ପିଡିତା ଯୁବତୀଙ୍କ ସୂଚନା ଅନୁସାରେ ଗତ ବିଳମ୍ବିତ ରାତ୍ରି ପ୍ରାୟ ସାଢେ ଦୁଇଟା ବେଳେ ବିଜେଡି ନେତା ଦେବେନ୍ଦ୍ର କହଁର ତାଙ୍କ ଘରେ ଧସେଇ ପଶିଥିଲେ। ମୋବାଇଲ ଦେବାକୁ ଧମକ ଦେବା ସହିତ ନିସ୍ତୁକ ମାଡ ମାରିଥିଲେ। ପରେ ମାଆ ବଞ୍ଚାଇବାକୁ ଆସିବାରୁ ମାଆକୁ ମଧ୍ୟ ନିସ୍ତୁକ ମାଡ ମାରିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। କାହାକୁ କିଛି କହିଲେ ଜୀବନରେ ତୋ ସହିତ ପରିବାରକୁ ମାରିଦେବାକୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଦେବେନ୍ଦ୍ର ଓ ତାଙ୍କ ସହିତ ଥିବା ରିଙ୍କୁ ସାହୁ ନାମକ ଜଣେ ଯୁବକ ବୋଲି କହିଛନ୍ତି ପିଡିତା ଯୁବତୀ । ଏପରିକି ତାଙ୍କୁ ଅସଦାଚରଣ କରିଛନ୍ତି ଦେବେନ୍ଦ୍ର ବୋଲି ଏତଲାରେ ଉଲ୍ଲେଖ ରହିଛି। ପିଡିତାଙ୍କ ମାଆ ଗଣମାଧ୍ୟମ ସାମ୍ନାରେ ଅନେକ ଅଭିଯୋଗ ବାଢିଛନ୍ତି। ଦେବେନ୍ଦ୍ରଙ୍କ ବିଷୟରେ ଆମେ ଜାଣୁ,ତାଙ୍କର ଅନେକଙ୍କ ସହିତ ସମ୍ପର୍କ ରହିଛି ଏବଂ ଏପରି ସ୍ଥିତିରେ କିପରି ଆମ ଝିଅକୁ କଥା ହେବାକୁ ଦେବୁ ବୋଲି କହିଛନ୍ତି ପିଡିତାଙ୍କ ମାଆ। ଆମକୁ ନ୍ୟାୟ ଦରକାର ବୋଲି ପିଡିତା ଓ ତାଙ୍କ ମାଆ କହିଛନ୍ତି। ଏତଲା ପାଇବା ପରେ ଥାନାରେ ୫୩-୨୦୧୮ରେ ଆଇପିସିର ଧାରା ୪୫୧,୨୯୪,୩୨୩,୩୫୪,୫୦୬,୩୪ରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ବୋଲି କହିଛନ୍ତି ଥାନା ଅଧିକାରୀ ରାଧାକାନ୍ତ ସାହୁ। ଏହା ଏକ ସ୍ପର୍ଶକାତର ଓ ସଂଗୀନ ମାମଲା ହୋଇଥିବାରୁ ପୁଲିସ ମଧ୍ୟ ଅଧିକ ସତର୍କତା ଅବଲମ୍ବନ କରୁଛି। ଯଦି ପିଡିତା ପୁଲିସ ସୁରକ୍ଷା ଚାହାଁନ୍ତି ତେବେ ତାଙ୍କୁ ସୁରକ୍ଷା ଦିଆଯିବ ବୋଲି ଅତିରିକ୍ତ ଏସପି ଉତ୍କଳ ରଞ୍ଜନ ଦାସ କହିଛନ୍ତି। ତଦନ୍ତ ଚାଲିଛି ଏବଂ ଆଇନ ଅନୁସାରେ ଯାହା ତଦନ୍ତରେ ଆସିବ ସେ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟକ ବିଜେଡି ନେତା ଦେବେନ୍ଦ୍ରଙ୍କ ଫୋନ୍‍ ସୁଇଚ୍‍ ଅପ ଆସୁଥିବାରୁ ତାଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ।

Leave A Reply