ସର୍ବୋଚ୍ଚ ସ୍ତରରେ ତୈଳ ମୂଲ୍ୟ
ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ କର୍ଣ୍ଣାଟକ ନିର୍ବାଚନ ପାଇଁ ମୂଲ୍ୟ ବୃଦ୍ଧି କରିନଥିବା ତୈଳ ବିତରଣ ସଂସ୍ଥାମାନେ ୧୯ ଦିନ ବ୍ୟବଧାନରେ ତୈଳ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି କରିଛନ୍ତି। ୨୦୧୩, ସେପ୍ଟେମ୍ବର ୧୪ ତାରିଖରେ ଦେଶରେ ପେଟ୍ରୋଲ୍ ମୂଲ୍ୟ ସର୍ବକାଳୀନ ସ୍ତର ୭୬.୦୬ ଟଙ୍କାକୁ ବୃଦ୍ଧି ପାଇଥିଲା।
ଆଜି ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତର ୭୬.୨୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ୍ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇ ୬୭.୫୭ ଟଙ୍କାରେ ପହଞ୍ଚିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ତୈଳ ମୂଲ୍ୟ ଉପରୋକ୍ତ ସ୍ତରରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଟିକସ ଓ ପରିବହନ ଖର୍ଚ୍ଚ ଆଧାରରେ ବିଭିନ୍ନ ରାଜ୍ୟରେ ତୈଳ ମୂଲ୍ୟ ବିଭିନ୍ନ ହାରରେ ବଢ଼ିଛି।
ମୁମ୍ବାଇରେ ପେଟ୍ରୋଲ୍ ସବୁଠାରୁ ମହଙ୍ଗା ୮୪.୦୭ ଟଙ୍କା ହୋଇଥିବା ବେଳେ ପାଞ୍ଜିମ୍ରେ ସର୍ବନିମ୍ନ ୭୦.୨୬ ଟଙ୍କା ରହିଛି। ସେହିପରି ଡିଜେଲ୍ ମୂଲ୍ୟ ହାଇଦ୍ରାବାଦରେ ସର୍ବାଧିକ ୭୩.୪୫ ଟଙ୍କା ଥିବାବେଳେ ପୋର୍ଟବ୍ଲେୟାରରେ ସର୍ବନିମ୍ନ ୬୩.୩୫ଟଙ୍କା ରହିଛି।
ଗତ ସପ୍ତାହକ ମଧ୍ୟରେ କ୍ରମାଗତ ୭ଥରରେ ପେଟ୍ରୋଲ୍ ଲିଟର ପିଛା ୧.୬୧ ଟଙ୍କା ଓ ଡିଜେଲ୍ ଲିଟର ପିଛା ୧.୬୪ ଟଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିକ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୮୪.୯୭ ଡଲାରକୁ ବୃଦ୍ଧି ପାଇବା ସହିତ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବାରୁ ଭାରତରେ ତୈଳ ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ଏହି କାରଣରୁ ତୈଳ ବିତରକମାନେ ୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି କହିଛନ୍ତି। ଅପରପକ୍ଷରେ ତୈଳ ମୂଲ୍ୟ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତ ନଥିବାରୁ ତୈଳ ମୂଲ୍ୟରୁ ନିକଟ ଭବିଷ୍ୟତରେ ଉପଭୋକ୍ତାଙ୍କୁ ତ୍ରାହି ମିଳିବାର ସମ୍ଭାବନା ବହୁତ କମ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କେନ୍ଦ୍ରରେ ଶାସନ କ୍ଷମତାକୁ ଆସିବା ପରଠାରୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ରେ ଉତ୍ପାଦନ ଶୁଳ୍ପ ଯଥାକ୍ରମେ ୧୧.୭୭ ଟଙ୍କା ଓ ୧୩.୪୭ ଟଙ୍କା ବୃଦ୍ଧି କରିଛନ୍ତି। ଅପରପକ୍ଷରେ ଗତ ବର୍ଷ ଅକ୍ଟୋବର ମାସରେ ଲିଟର ପିଛା ଉତ୍ପାଦନ ଶୁଳ୍କ ମାତ୍ର ୨ଟଙ୍କା ହ୍ରାସ କରିଛନ୍ତି।