୫୫ ମାସର ସର୍ବୋଚ୍ଚ ସ୍ତରରେ ପେଟ୍ରୋଲ ଏବଂ ଡିଜେଲ ଦର

0

ନୂଆଦିଲ୍ଲୀ  : ଦେଶରେ ତୈଳ ଦର ବୃଦ୍ଧିି ଧାରା ଜାରି ରହିଛି। ରବିବାର ରେକର୍ଡସ୍ତର ଛୁଇଁଥିବା ପେଟ୍ରୋଲ ମୂଲ୍ୟ ସେପୁନର୍ବାର ୫ ବର୍ଷର ସର୍ବୋଚ୍ଚସ୍ତର ଛୁଇଁଛି।
ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ ୭୪.୫୦ ଏବଂ ଡିଜେଲ ଟ ୬୫.୭୫ରେ ପହଞ୍ଚିଛି। ଫଳରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଅଧିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋଚ୍ଚ ହୋଇଥିବା କୁହାଯାଉଛି। ତେବେ ପରିସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ଲାଗି ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଘଟାଇବା ନେଇ ଯେଉଁ ଦାବି ଉଠୁଛି, ସେଥିପ୍ରତି ସରକାରଙ୍କ ସମର୍ଥନ ନ ଥିବା ଜଣାଯାଇଛି। ସୋମବାର ତୈଳ ବିପଣନକାରୀ କମ୍ପାନୀଗୁଡିକ ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୦ ପଇସା ବୃଦ୍ଧି ଘଟାଇଛନ୍ତି। ୨୦୧୩ ସେପ୍ଟେମ୍ବର ୧୪ ପରଠାରୁ ତୈଳ ମୂଲ୍ୟରେ ଏହା ହେଉଛି ସର୍ବୋଚ୍ଚସ୍ତର। ଗତକାଲି ୫୫ ମାସର ସର୍ବୋଚ୍ଚସ୍ତର ଛୁଇଁ ଥିବା ପେଟ୍ରୋଲ ଏବଂ ଡିଜେଲ ଦର ଆଜି ୫ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦରବୃଦ୍ଧି ପରେ ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ଟ ୭୪.୫୦ ଏବଂ ଡିଜେଲ ଟ ୬୫.୭୫ ହୋଇଥିବାବେଳେ ମୁମ୍ବଇରେ ଏହା ସର୍ବାଧିକ ଟ ୮୨.୩୫ ହୋଇଛି। ଅନ୍ୟପକ୍ଷରେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଊର୍ଦ୍ଧ୍ବଗାମୀ ରହୁଥିବା ଦୃଷ୍ଟିରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁଛି, ଯାହାକି ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ। ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ସରକାର ଉତ୍ପାଦ ଶୁଳ୍କରେ ୯ ଥର ବୃଦ୍ଧି ଘଟାଇଛନ୍ତି। ତେବେ ଉତ୍ପାଦ ଶୁଳ୍କରେ ବୃଦ୍ଧି ଯୋଗୁ ଏହି ୧୫ ମାସ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟରେ ଟ ୧୧.୭୭ ଏବଂ ଡିଜେଲରେ ଟ ୧୩.୪୭ ବୃଦ୍ଧି ଘଟିଛି। ୨୦୧୪-୧୫ ମଧ୍ୟରେ ସରକାର ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ୯୯,୦୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିବାବେଳେ ୨୦୧୬-୧୭ରେ ଦୁଇ ଗୁଣ ଅଧିକ ଅର୍ଥାତ୍‍ ୨,୪୨,୦୦୦ ଟଙ୍କାର ରାଜସ୍ୱ ସଂଗ୍ରହ କରିିଛନ୍ତି।
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିରୁ ସାଧାରଣ ଲୋକଙ୍କୁ ନିସ୍ତାର ଦେବାକୁ ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇବା ନେଇ ଯେଉଁ ଦାବି ହେଉଛି ତାହାକୁ ସରକାର ଏଡାଇ ଯାଇଛନ୍ତି। ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‍ଲୀ ଫେବୃଆରୀରେ ସାଧାରଣ ବଜେଟ୍‍ରେ ଏ ସମ୍ପର୍କିତ ପ୍ରସ୍ତାବକୁ ଟାଳି ଦେଇଥିବାବେଳେ ଏବେ ଖୋଦ୍‍ ଅର୍ଥ ମନ୍ତ୍ରାଳୟ ଉତ୍ପାଦ ଶୁଳ୍କରେ ହ୍ରାସକୁ ଅଗ୍ରାହ୍ୟ କରିଛି ବରଂ ରାଜ୍ୟଗୁଡିକ ତୈଳର ବିକ୍ରି ଟିକସ ଏବଂ ମୂଲ୍ୟଯୁକ୍ତ ଟିକସ (ଭାଟ୍‍)ରେ ହ୍ରାସ ଘଟାନ୍ତୁ ବୋଲି ମନ୍ତ୍ରାଳୟ କହିଛି।

Leave A Reply