www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଆଇନ ବ୍ୟବସ୍ଥା, ପୁଲିସ ପ୍ରତି ଭୟ କମୁଛି

ଭୁବନେଶ୍ବର: ରାଜ୍ୟରେ ଏବେ ଆଇନ ବ୍ୟବସ୍ଥା ଏବଂ ପୁଲିସ ପ୍ରତି ଯୌନ ଅପରାଧୀଙ୍କ ଖାତିର ନାହିଁ। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଘଟଣା ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥତି ବିଗୁଡୁଛି। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ରାସ୍ତାଘାଟରେ ନିର୍ଯାତନାର ଶିକାର ହେଉଛନ୍ତି ମହିଳା ଓ ଛାତ୍ରୀ। କେତେବେଳେ ଅଧ୍ୟାପକ ଛାତ୍ରୀଙ୍କୁ ନିର୍ଯାତନା ଦେଉଛନ୍ତି ପୁଣି କେତେ‌େ‌ବଳେ ଦୁର୍ବୃତ୍ତ ରାସ୍ତାରେ ମହିଳାଙ୍କୁ ସୁରକ୍ଷିତ ଯିବାକୁ ଦେଉନାହାନ୍ତି। ରାତିଦିନ ନାରୀ ନିର୍ଯାତନା ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି। ଏସବୁ ସତ୍ତ୍ବେ ପୁଲିସର ନିଷ୍କ୍ରିୟତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲେଶ୍ବରରୁ ବଳଙ୍ଗା, ଯାଜପୁରରୁ ଜଗତସିଂହପୁର ସବୁଠି ନାରୀ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି। ମାମଲାଗୁଡ଼ିକୁ ପୁଲିସ ଯେଭଳି ଢଙ୍ଗରେ ତଦନ୍ତ କରୁଛି, ତାହା ସନ୍ଦେହ ସୃଷ୍ଟି କରୁଛି। ଗୋଟିଏ ପରେ ଗୋଟିଏ ଘଟଣାରେ ବିଫଳତା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଏକଦା ଶାନ୍ତିପ୍ରିୟ ରାଜ୍ୟ କୁହାଯାଉଥିବା ଓଡ଼ିଶା ଅଶାନ୍ତ ବାତାବରଣକୁ ଠେଲି ହୋଇଯାଇଛି। ବଳାତ୍କାର ଓ ଗଣବଳାତ୍କାର ଘଟଣା ବଢ଼ି ଚାଲିଛି। ଡକାୟତି, ଚୋରି ଆଦି ଅପରାଧକୁ ବଳି ଯାଇଛି ନାରୀ ଯୌନ ନିର୍ଯାତନା ଘଟଣା। ଖୋଦ୍‌ ରାଜଧାନୀରେ ଦିନ ଦ୍ବିପ୍ରହରରେ ରାସ୍ତାରେ ହତ୍ୟାକାଣ୍ଡ ଘଟୁଛି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ରଥ ଅଟକିଥିବା ସମୟରେ ପୁଲିସ ଉପସ୍ଥିତିରେ ଦଳାଚକଟାରେ ୩ ଭକ୍ତଙ୍କ ପ୍ରାଣ ଯାଇଛି। ଏସବୁ ଅଘଟଣ ପୁଲିସର ଦାୟିତ୍ବହୀନତା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି। ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରି ପୁଲିସ ତଦନ୍ତ ନାଁରେ ଦିନ ଗଡ଼ାଇ ଚାଲିଛି। ମୃତ ଛାତ୍ରୀଙ୍କୁ ପେଟ୍ରୋଲ କିଏ ଦେଇଥିଲା, ମୋବାଇଲ ଭିଡ଼ିଓ ଉତ୍ତୋଳନ କରିଥିବା ଛାତ୍ର କିଏ ? ଅଧ୍ୟକ୍ଷଙ୍କ ଚ୍ୟାମ୍ବର ବାହାରେ ଥିବା ଛାତ୍ରୀ କିଏ ? ତା’ ଉପରୁ ସ୍ଥାନୀୟ ପୁଲିସ କିମ୍ବା କ୍ରାଇମବ୍ରାଞ୍ଚ ପରଦା ହଟାଇପାରୁନି। ସେହିପରି ବଳଙ୍ଗାରେ ୩ ଦୁର୍ବୃତ୍ତ ନାବାଳିକାଙ୍କୁ ନିଆଁ ଲଗାଇ ଦେବା ଘଟଣାକୁ ୪ ଦିନ ବିତିଛି। ଏବେସୁଦ୍ଧା ପୁଲିସ ହାତ ଖାଲି। ଡିଜିପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୁଲିସ ବିଫଳ ହୋଇଛି।

- Advertisement -

ଅନ୍ୟପକ୍ଷରେ ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସର ନିଲମ୍ବିତ ସଭାପତି ଉଦିତ ପ୍ରଧାନଙ୍କୁ ପୁଲିସ ରାତିଅଧିଆ ଗିରଫ କରିଥିଲା। ଅଭିଯୋଗର ମାତ୍ର କେଇ ଘଣ୍ଟା ମଧ୍ୟରେ ପୁଲିସ ଉଦିତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଗତ ମାର୍ଚ୍ଚ ମାସରେ ଯୌନ ନିର୍ଯାତନା ଶିକାର ହୋଇଥିବା ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। କଂଗ୍ରେସ ଛାତ୍ର ନେତାଙ୍କୁ ବାନ୍ଧିବାରେ ପୁଲିସ ଯେପରି ତତ୍ପରତା ପ୍ରକାଶ କଲା, ବାଲେଶ୍ବର ଏବଂ ବଳଙ୍ଗା ଘଟଣାରେ ତାହା କୁଆଡ଼େ ଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ବିଳମ୍ବରେ ଅଭିଯୋଗ ଯୋଗୁଁ ଉଦିତଙ୍କ ବିରୋଧରେ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପୁଲିସ ପାଇଁ କଷ୍ଟକର ବ୍ୟାପାର ହୋଇଛି।

ବାଲେଶ୍ବର ଏଫଏମ୍ ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟରେ ନାରୀ ଯୌନ ନିର୍ଯାତନାର ଫର୍ଦ ଯୋଡ଼ି ହୋଇ ଚାଲିଛି। ବାଲେଶ୍ବର ଘଟଣା ପରେ ଗୋଟିଏ ପରେ ଗୋଟିଏ ଘଟଣା ରାଜ୍ୟ ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି। ଗତ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଗୋଟିଏ ଦିନରେ ୪ଟି ବଳାତ୍କାର ଓ ଅସଦାଚରଣ ଘଟଣା ଜନମାନସକୁ ବ୍ୟଥିତ କରିଛି। ଜଗତସିଂହପୁରରେ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ପୀଡ଼ିତା ବାନ୍ଧବୀଙ୍କ ସହ ଘରକୁ ଫେରୁଥିବାବେଳେ ବିଲକୁ ଟେକି ନେଇ ଦୁଇ ଯୁବକ ତାଙ୍କୁ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ଯାଜପୁରରେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିବାବେଳେ ଯୁବତୀଙ୍କୁ ଅପହରଣ କରି ଦୁର୍ବୃତ୍ତ ଗଣବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମାଲକାନଗିରିରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା।

ବିଜାଘାଟିରୁ ପୀଡ଼ିତାଙ୍କୁ ପୁଲିସ ଉଦ୍ଧାର କରିଥିଲା। ବିଳମ୍ବିତ ରାତିରେ ପୀଡ଼ିତାଙ୍କୁ ଟ୍ରକ୍‌ରେ ଉଠାଇ ନେଇ ଦୁର୍ବୃତ୍ତ ଗଣବଳାତ୍କାର କରିଥିଲେ। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ବଳାତ୍କାରୀ ଫେରାର ରହିଛନ୍ତି। ପୁରୀ ସଦର ଥାନା ଅଞ୍ଚଳରେ ଅସଦାଚରଣ ଘଟଣା ସାମ୍ନାକୁ ଆସିଥିଲା। ୩ ଭଉଣୀ ମନ୍ଦିର ଦର୍ଶନ କରି ଫେରିବା ବାଟରେ କଣ୍ଠପୁରସ୍ଥିତ ବସ୍‌ଷ୍ଟାଣ୍ଡ ନିକଟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିଥିଲେ। ନାରୀ ଯୌନ ନିର୍ଯାତନା ନିତିଦିନିଆ ଘଟଣାରେ ପରିଣତ ହେବାକୁ ବସିଥିବାବେଳେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଘଟଣାରେ ସରକାର ସମାଲୋଚିତ ହେଉଥିବାବେଳେ ପୁଲିସ ତା’ର ରଣନୀତିରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories