www.samajalive.in
Sunday, December 14, 2025
17.1 C
Bhubaneswar

ବଂଶଧାରା ଜଳ ବିବାଦ ରାୟ ପରେ ମେଳି ; ସମୂହ ଆତ୍ମାହୁତି ଚେତାବନୀ

କାଶୀନଗର : ବଂଶଧାରା ଜଳବିବାଦ ପ୍ରାଧିକରଣ ରାୟ ପରେ ବିସ୍ଥାପିତ ହେବାକୁ ଥିବା ଓଡ଼ିଶା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆବଶ୍ୟକ ହେଲେ ଏହି ନଦୀଜଳକୁ ନେଇ ନିର୍ମାଣ ହେବାକୁ ଥିବା ନେରେଡି ପ୍ରକଳ୍ପ ନିକଟରେ ସମୂହ ଆତ୍ମାହୁତିର ଚେତାବନୀ ଦିଆଯାଇଛି। କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଦୋରାଙ୍କ ନେତୃତ୍ବରେ ସାରା ଗ୍ରାମରେ ତିନିଖଣ୍ଡ ଗ୍ରାମର ଲୋକଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଚରମ ପଦକ୍ଷେପର ଚେତାବନୀ ଦିଆଯାଇଛି।
ପ୍ରାଧିକରଣ ରାୟ ପ୍ରକାଶ ପାଇବା ପରେ ଆନ୍ଧ୍ର ସରକାର ଆନିକଟ ନିର୍ମାଣ ପାଇଁ ଶୁଭ ଦେଇଛନ୍ତି। ପ୍ରସ୍ତାବିତ ଆନିକଟ ଦ୍ବାରା ଓଡ଼ିଶାର ଗଜପତି ଜିଲା କାଶୀନଗର ବ୍ଲକର ସାରା, ବାଡିଙ୍ଗା, ପାଲସିଙ୍ଗ ଓ କାଶୀନଗର ସହର ପ୍ରଭାବିତ ହେବାର ସମ୍ଭାବନା ରହିଛି। ପୁରୁଣା ସର୍ବେକ୍ଷଣ ରିପୋର୍ଟ ଆଧାରରେ ଆନ୍ଧ୍ର ନେରେଡି ଆନିକଟ ନିର୍ମାଣ କଲେ କାଶୀନଗର ବ୍ଲକର ଉପରୋକ୍ତ ଗ୍ରାମଗୁଡିକର ୧୦୬ ଏକର ଜମି ଜଳମଗ୍ନ ହେବ । କିନ୍ତୁ ବର୍ତ୍ତମାନ ସର୍ବେକ୍ଷଣ ହେଲେ ପ୍ରାୟ ୨ ହଜାରରୁ ଅଧିକ ଏକର ଜଳମଗ୍ନ ହେବାର ସମ୍ଭାବନା ରହିଛି । ସାରା, ବାଡିଙ୍ଗା, ପାଲସିଙ୍ଗରେ ବସବାସ କରୁଥିବା ପ୍ରାୟ ୫୦୦ ପରିବାରର ୨୫୦୦ ଲୋକଏହାଦ୍ବାରା ବିସ୍ଥାପିତ ହେବେ। ଆନିକଟ ନିର୍ମାଣ ଦ୍ବାରା ବିସ୍ଥାପିତ ହେବାକୁ ଥିବା ପରିବାରକୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ଯୋଗାଇ ନିକଟସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯିବାକୁ ବୈଠକରେ ଦାବି କରାଯାଇଛି। କିଛି ଲୋକଙ୍କୁ ବିସ୍ଥାପିତ କରି ଆଉ କିଛି ଲୋକଙ୍କୁ ଛାଡି ଦେଲେ ଚଳିବନି ବୋଲି ମତ ପ୍ରକାଶ ପାଇବା ସହ ଜଳମଗ୍ନ ହେବାକୁ ଥିବା ଚାଷଜମି ବାବଦରେ ଏକର ପିଛା ସ୍ଥାନୀୟ ଦରର ୮ ଗୁଣ ଟଙ୍କା କ୍ଷତି ପୂରଣ ପ୍ରଦାନ ଦାବି କରାଯାଇଛି। ଉପରୋକ୍ତ ତିନୋଟି ଗ୍ରାମରେ କିଛି ଆଦିବାସୀ ସରକାରୀ ଜମିରେ କାଜୁ ତୋଟା କରି ବଞ୍ଚୁଛନ୍ତି । ନେରେଡି ଆନିକଟ ହେଲେ ସେମାନେ ଜୀବିକା ହରାଇବା ନିଶ୍ଚିତ । ୫୦ ବର୍ଷ ତଳେ ନଦୀର ପ୍ରସ୍ତ କମ ଥିଲା ଓ ଓଡିଶା ସୀମାଠାରୁ ୧୦୦ରୁ ଅଧିକ ମିଟର ଦୂରରେ ପ୍ରବାହିତ ହେଉଥିଲା। ୧୯୮୦ର ପ୍ରଳୟଙ୍କରୀ ବନ୍ୟା ପରେ ନଦୀ ଓଡିଶା ଆଡକୁ ମାଡି ଆସିଛି। ଲୋକଙ୍କ ଚାଷଜମି, ପଦର ଓ ତୋଟା ନଦୀଗର୍ଭରେ ଲୀନ ହୋଇଯାଇଛି। ପ୍ରଶାସନ କ୍ଷତିଗ୍ରସ୍ତ ଲୋକଙ୍କୁ କୌଣସି କ୍ଷତିପୂରଣ ନଦେଇ ସେସବୁ ଜମିକୁ ବାଲିଚର ଘୋଷଣା କରି ଦେଇଛନ୍ତି । ପଲ୍ଲୀସଭା ନକରି ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଜମି ଅଧିଗ୍ରହଣ କରିବା ଉଦ୍ୟମକୁ ବରଦାସ୍ତ କରାଯିବନି ବୋଲି ତିନି ଗ୍ରାମବାସୀ ଦୃଢ଼ ଭାବେ କହିଛନ୍ତି। ଜିଲା ପ୍ରଶାସନ ଜରିଆରେ ଓଡ଼ିଶା ସରକାରଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ସମ୍ପର୍କରେ ବାରମ୍ବାର ଜଣାଇଥିଲେ ବି କୌଣସି ଆଲୋଚନା କରାଯାଇ ନାହିଁ କି କୌଣସି ପ୍ରତିଶ୍ରୁତି ମିଳିନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ଆନ୍ଧ୍ର ସରକାର ବିକାଶମୂଳକ କାର୍ଯ୍ୟ ପାଇଁ ଦିନରାତି ଏକାକାର କରିଥିବା ବେଳେ ଓଡ଼ିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।
ସରକାରୀ ଭାବେ ପ୍ରାଧିକରଣର କୌଣସି ତଥ୍ୟ ସେମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କାଶୀନଗର ବ୍ଲକର ଉପରୋକ୍ତ ଗ୍ରାମରେ ପହଞ୍ଚି ମାନଚିତ୍ର ଓ ଅନ୍ୟାନ୍ୟ ନଥିପତ୍ର ​ଦେଖିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories