୧୧ ଦିନରେ ପିଇଓଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝରଗଡ଼: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଓଡ଼ିଶା ଆହ୍ୱାନକ୍ରମେ ୨ଦଫା ଦାବିରେ ସମଗ୍ର ରାଜ୍ୟରେ ଚଳିତମାସ ୧୮ ତାରିଖରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହିକ୍ରମରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ମଧ୍ୟ ୧୮ ତାରିଖଠାରୁ ଜିଲାର ସମସ୍ତ ୧୩ଟି ବ୍ଲକ ଅଧିନ ୨୯୭ଟି ପଞ୍ଚାୟତରେ କାର୍ଯ୍ୟରତ ୧୮୦ରୁ ଊର୍ଦ୍ଧ୍ବ ପିଇଓ ସମୂହ ଛୁଟିରେ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୧ଦିନ ଧରି ଧାରଣାରେ ସାମିଲ ହୋଇଛନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ପରିବର୍ତ୍ତେ ଯୁକ୍ତ ୩ କରାଯିବା ସହ ଲେଭେଲ-୫ରୁ ଲେଭେଲ-୯କୁ ଦରମା ବୃଦ୍ଧି ଏବଂ ୧୦ବର୍ଷ ଚାକିରି ପୂରଣ କରିଥିବା ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରି ଜିପିଡିଓ ଭାବେ ଶତପ୍ରତିଶତ ପଦୋନ୍ନତି ସହ ପିଇଓମାନଙ୍କୁ ଓଆରଏସ୍‌‌ କ୍ୟାଡରରେ ଅର୍ନ୍ତଭୁକ୍ତ କରାଯିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି। ପିଇଓମାନଙ୍କ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପଞ୍ଚାୟତ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିବା ବେଳେ ଉନ୍ନୟନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।

prayash

ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ମୋ ଘର, ମନରେଗା, ବିଭିନ୍ନ ଭତ୍ତା ପ୍ରଦାନ, ରାସନ ସାମଗ୍ରୀ ବଣ୍ଟନ, ହରିଶ୍ଚନ୍ଦ୍ର ଯୋଜନା, ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ଅଧିନ ଉନ୍ନୟନମୂଳକ କାର୍ଯ୍ୟ, ଦୀର୍ଘସ୍ଥାୟୀ ବିକାଶ, ବିଦ୍ୟାଳୟ, ଅଙ୍ଗନବାଡି ଓ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ସାଙ୍ଗକୁ ଇ-ପଞ୍ଚାୟତ ସଭା ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି। ୧୧ଦିନ ଆନ୍ଦୋଳନ ସତ୍ତ୍ବେ ଦାବି ପୂରଣ ନେଇ ସରକାରୀସ୍ତରରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କେନ୍ଦୁଝର ଜିଲା ଶାଖା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବାରିକ, ଉପସଭାପତି ବ୍ରହ୍ମାନନ୍ଦ ବାରିକ, ପ୍ରଶାନ୍ତ ରାଉତ, ଅଶୋକ ମହାନ୍ତ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ନନ୍ଦ, ସଞ୍ଜୟ କୁମାର ମହାନ୍ତ, ରଣଜିତ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଶେଷଦେବ ବେହେରା, ଶୁଭଶ୍ରୀ ସେଠୀ, ଭବାନୀ ମହାନ୍ତ ପ୍ରମୁଖ ସ୍ପଷ୍ଟ କରିଛନ୍ତି।

Comments are closed.