କଲ୍ୟାଣସିଂହପୁର : ପେଣ୍ଟାଗ୍ରାଫ୍ ଅଚଳ, ଅଟକିଲା ଟ୍ରେନ୍। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମା ଷ୍ଟେସନ୍ ନିକଟରେ ପେଣ୍ଟାଗ୍ରାଫ୍ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ ଲେଲିଗୁମା ଷ୍ଟେସନ୍ ନିକଟରେ ଅଟକି ରହିଥିବା ଦେଖିବାକୁ ମିଳିଛି। ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଦୂର ଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟ୍ରେନ ଇଞ୍ଜିନକୁ ବିଦ୍ୟୁତ୍ ଯୋଗାଣ ନ ହେବା ଯୋଗୁଁ ଟ୍ରେନ ଆଗକୁ ଆଉ ଗଡି ପାରିନଥିଲା ବୋଲି ଜଣେ ରେଲଓ୍ବେ କର୍ମଚାରୀ ପ୍ରକାଶ କରିଛନ୍ତି । ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାକୁ ମରାମତି କରୁଥିବା ସୂଚନାରୁ ଜଣାପଡିଛି । ଗତକାଲି ସନ୍ଧ୍ୟାରେ ଜୟପୁର କୋରାପୁଟ ରୁଟରେ ଥିବା ଜରଟି ନିକଟରେ ଏକ ମାଲବାହି ଟ୍ରେନର ପେଣ୍ଟାଗ୍ରାଫ୍ ଅଚଳ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଥିଲା । ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍ ରେ ଦୁଇ ଦୁଇ ଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀ ମାନଙ୍କୁ ଭୟଭୀତ କରିଛି । ଏହି ରୁଟରେ ପେଣ୍ଟୋଗ୍ରାଫ କାହିଁକି ଅଚଳ ହେଲା ସେନେଇ ବିଭାଗ ତରଫରୁ ତଦନ୍ତ ଚାଲିଛି ବୋଲି ରାୟଗଡା ଷ୍ଟେସନ ପ୍ରବନ୍ଧକ ପ୍ରକାଶ କରିଛନ୍ତି ।
Popular Categories



