ପାଟଣା :ସାହାରପଡା ବ୍ଲକ ଉଦୟପୁର ଗାଁ ଭିତରେ ୨୫ ଟିକିଆ ହାତୀପଲ ପଶି ଉପଦ୍ରବ କରିଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ୩ ଦିନ ହେବ ୨୫ ଟିକିଆ ହାତୀପଲ ମୟୂରଭଞ୍ଜ ପଟୁ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମକୁ ଆସିଥିଲେ। ଦୁଇ ଦିନ ଧରି ମଙ୍ଗଳପୁରରେ ରହିବା ପରେ ଶନିବାର ରାତିରେ ଗଦଗଦି ଛକ ଦେଇ ଉଦୟପୁର ଗ୍ରାମ ଭିତରକୁ ପଶିଥିଲେ। ହାତୀପଲ ଗ୍ରାମର ବହୁ ଲୋକଙ୍କ ପାଚେରୀ ଭାଙ୍ଗି ଦେଇଥିବା ସହ ବିଭିନ୍ନ ଲୋକଙ୍କ ଘରର ବାଡ଼ିରେ ପଶି ପନିପରିବା ଚାଷ ସହ ବହୁ ଗଛ ଆଦି ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ହାତୀପଲ ଏବେ ସିଲିପଦା କାଜୁ ଜଙ୍ଗଲରେ ଥିବା ଜାଣିବାକୁ ମିଳିଛି । ହାତୀ ଯୋଗୁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଉଛି । ଗାଁ ସବୁ ଅନ୍ଧାର ରହୁଛି। ଶୀତ କାକରରେ ମଧ୍ୟ ଲୋକ ମାନେ ହାତୀ ଭୟରେ ବାହାରେ ଜଗି ରହୁଛନ୍ତି । ପୂର୍ବ ରାତିରେ ମଧ୍ୟ ରାମପୁର ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଧାନ ଖାଇ ଯାଇଥିଲେ। ଗ୍ରାମରେ ଧ୍ରୁବ ମହାନ୍ତଙ୍କ ବିଲରେ ଧାନ ଖାଇ ଯାଇଥିଲେ । କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।



