ପାଟଣା: ଗରିବ ଅସହାୟଙ୍କ ପାଇଁ ସରକାର ମାଳମାଳ ଯୋଜନା ପ୍ରଣୟନ କରିଥିବା ବେଳେ ସରକାରୀ କର୍ମଚାରୀ ଅଥବା ଲୋକ ପ୍ରତିନିଧିଙ୍କ ଅବହେଳା କାରଣରୁ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଆଜି ବି ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର କେତାଙ୍ଗ ଗ୍ରାମରେ। ଗ୍ରାମର ଶ୍ୟାମସୁନ୍ଦର ନାଏକ ଓ ତାଙ୍କ ପତ୍ନୀ ଆଦରମଣି ନାଏକ ଯାହାଙ୍କର ବୟସ ୮୦ ଛୁଇଁଲାଣି ସେମାନେ ଏବେବି ସରକାରୀ ସହାୟତାରୁ ବଞ୍ଚିତ ହୋଇ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।
ଯେଉଁ ପଞ୍ଚାୟତର ସରପଞ୍ଚ ଗତ ବିଧାନସଭା ନିର୍ବାଚନରେ ବିଧାୟକ ଟିକେଟ ପାଇଁ ବ୍ୟାକୁଳ ଥିଲେ ଓ ସେହି ପଞ୍ଚାୟତର ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ହୋଇଥିବା ବେଳେ ସେଠାରେ ୮୦ ବର୍ଷର ବୃଦ୍ଧ ଦମ୍ପତି ସରକାରୀ ସହାୟତାରୁ ବଞ୍ଚିତ ହୋଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁନାହି। ଏପରିକି ଆବାସ ଯୋଜନାରେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳି ପାରୁନାହିଁ।



