ଦେବାଳିଆ ଓ ଋଣ ଶୁଝି ନପାରିବା ମୁଖ୍ୟ କାରଣ, ୧୬ହଜାର ବେରୋଜଗାରୀଙ୍କ ଆତ୍ମହତ୍ୟା
ମଧ୍ୟମ ବର୍ଗଙ୍କ ସଂଖ୍ୟା ୩.୨ କୋଟି ହ୍ରାସ, ଧନୀଙ୍କ ସମ୍ପତ୍ତି ୩୫ ପ୍ରତିଶତ ବୃଦ୍ଧି
ମହିଳାଙ୍କ ବେରୋଜଗାରୀ ହାର ୧୮%କୁ ବୃଦ୍ଧି
ନୂଆଦିଲ୍ଲୀ : ଦେବାଳିଆ ଅଥବା ଋଣ ଶୁଝି ନପାରି ଗତ ତିନି ବର୍ଷରେ ୧୬ହଜାର ବ୍ୟକ୍ତି ଆତ୍ମହତ୍ୟା କରିଥିବା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ବୁଧବାର ପ୍ରକାଶ କରିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ୨୦୧୮ ରୁ ୨୦୨୦ ମଧ୍ୟରେ ୧୬ ହଜାରରୁ ଊର୍ଦ୍ଧ୍ବ ଲୋକ ଋଣ ନେଇ ଶୁଝି ନପାରିବା ଓ ଦେବାଳିଆ ହୋଇ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ଆତ୍ମହତ୍ୟା କରିଥିବା ଏହି ଲୋକଙ୍କ ମଧ୍ୟରେ ୯,୧୪୯ ବେରୋଜଗାର ଥିବା ସେ ସୂଚନା ଦେଇଛନ୍ତି। ୨୦୨୦ରେ ୫,୨୧୩ ଓ ୨୦୧୯ରେ ୫,୯୦୮ ଜଣ ଲୋକ ଦେବାଳିଆ ହୋଇ ଆତ୍ମହତ୍ୟା କରିଥିଲେ।
କରୋନା ମହାମାରୀ ଅବଧି ମଧ୍ୟରେ ବିଶ୍ବରେ ଯେତେ ସଂଖ୍ୟକ ଗରିବ ସୃଷ୍ଟି ହୋଇଛନ୍ତି ସେଥିରୁ ୬୦ ପ୍ରତିଶତ କେବଳ ଭାରତର ବୋଲି ଆମେରିକାର ଏକ ଗବେଷଣା ସଂସ୍ଥା ମତ ଦେଇଛି। ଏହି ସମୟ ମଧ୍ୟରେ ଦେଶରେ ମଧ୍ୟମ ବର୍ଗ ଜନସଂଖ୍ୟା ୩.୨ କୋଟି ହ୍ରାସ ପାଇଛି। ସେହିପରି ଗରିବଙ୍କ ସଂଖ୍ୟାରେ ସାଢେ ସାତ କୋଟି ବୃଦ୍ଧି ପାଇଛି। ଯେଉଁମାନେ ମଧ୍ୟମ ବର୍ଗ ଥିଲେ; ସେମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ହୋଇଛନ୍ତି। ଫଳରେ ମଧ୍ୟମ ବର୍ଗଙ୍କ ସଂଖ୍ୟା ହ୍ରାସ ପାଇଛି ଓ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହାମାରୀ ପୂର୍ବରୁ ଦେଶରେ ମଧ୍ୟମବର୍ଗ ସଂଖ୍ୟା ପ୍ରାୟ ୧୦ କୋଟି ଥିଲା। ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଦେଶର ଗ୍ରାମାଞ୍ଚଳରେ ଗରିବ ହାର ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଞ୍ଚିଛି। ଏହାବ୍ୟତୀତ ସହରାଞ୍ଚଳରେ ଗରିବ ହାର ବୃଦ୍ଧି ପାଇ ପ୍ରାୟ ୨୦ ପ୍ରତିଶତରେ ପହଞ୍ଚିଛି। ଭବିଷ୍ୟତରେ ଦେଶର ଦେଖା ଦେବାକୁ ଥିବା ସଙ୍କଟ କି ରୂପ ନେବ ତାହା ଏଥିରୁ ସ୍ପଷ୍ଟ। ଗରିବଙ୍କ ସଂଖ୍ୟା ବୃଦ୍ଧିର ପ୍ରଭାବ ଦେଶର ଜନସଂଖ୍ୟାର ଏକ ବୃହତ୍ ଭାଗ ଉପରେ ପଡୁଛି। ରୋଜଗାର ହରାଇବା, ଆୟ ହ୍ରାସ ପାଇବା, ଜମା କମିଯିବା ଓ ସ୍ବାସ୍ଥ୍ୟ ଆଦି ସମସ୍ୟା ଯୋଗୁଁ ଦେଶର ଅନେକ ସ୍ଥାନରେ ଆତ୍ମହତ୍ୟା ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସମୟରେ ବିଶ୍ବର ବିକାଶାୀଳ ଦେଶମାନଙ୍କର ଦୁଇ-ତୃତୀୟାଂଶ ଜନସାଧାରଣଙ୍କ ଆୟ ଓ ସଞ୍ଚୟ ଉଭୟ ହ୍ରାସ ପାଇଛି। ୯୦ ଦଶକ ପରେ ପ୍ରଥମ ଥର ପାଇଁ ଏପରି ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି। ୨୦୧୧ରେ ବିଶ୍ବରେ ୧୩ ପ୍ରତିଶତ ମଧ୍ୟ ବର୍ଗ ଥିଲେ। ୨୦୧୯ରେ ଏହା ବୃଦ୍ଧି ପାଇ ୧୯ ପ୍ରତିଶତରେ ପହଞ୍ଚି ଥିଲା। ଭାରତ କ୍ଷେତ୍ରରେ ଦେଖିବାକୁ ଗଲେ ମହାମାରୀ ସମୟରେ ଦେଶରେ ମଧ୍ୟମ ବର୍ଗ ସଂଖ୍ୟା ୩.୨ କୋଟି ହ୍ରାସ ପାଇବା ଚିନ୍ତାର ବିଷୟ। ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଏହା ଆହ୍ବାନ ପାଲଟିଛି। ମଧ୍ୟମ ବର୍ଗ ହେଉଛି ଦେଶର ସବୁଠାରୁ ବଡ଼ ଉପଭୋକ୍ତା।
ଚଳିତ ବର୍ଷ କୃଷି ଓ ବିଜୁଳିକୁ ଛାଡ଼ିଦେଲେ ବେପାର, ନିର୍ମାଣ, ଖନନ ଓ ବେସରକାରୀ କ୍ଷେତ୍ର ଉପରେ ମହାମାରୀ ଯଥେଷ୍ଟ ପ୍ରଭାବ ପକାଇଛି। ଦେଶରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଜୀବୀଙ୍କ ମଧ୍ୟରୁ ଅଧିକାଂଶ ଉପରୋକ୍ତ କ୍ଷେତ୍ରରେ କାର୍ଯ୍ୟ କରିଥା’ନ୍ତି। ଆୟର ସ୍ରୋତ ବନ୍ଦ ହୋଇଯିବାରୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି। ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକନୋମି’ (ସିଏମଆଇଇ)ର ରିପୋର୍ଟ ଅନୁଯାୟୀ, ଏବେ ଦେଶର ବେରୋଜଗାରୀ ଦର ୧୧ ପ୍ରତିଶତ ରହିଛି। ଏବେ ଦେଶରେ ମଧ୍ୟମ ଆୟ ବର୍ଗ ନିମ୍ନଗାମୀ ହେବାରେ ଲାଗିଛନ୍ତି, ନିମ୍ନ ଆୟ ବର୍ଗ ବିସ୍ତାର ଲାଭ କରିଛି ଓ ବିତ୍ତଶାଳୀ ବର୍ଗଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ସର୍ବାଧିକ କୋଟିପତି ଥିବା ତାଲିକାରେ ଆମେରିକା, ଜର୍ମାନୀ, ଚୀନ୍, ରୁଷ୍ ଓ ଫ୍ରାନ୍ସ ପରେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ମହମାରୀ ଦେଶରେ ଥିବା ଧନୀ ବର୍ଗଙ୍କ ଉପରେ ସେପରି କୌଣସି ବିଶେଷ ପ୍ରଭାବ ପକାଇ ନଥିବା ବୁଝା ପଡ଼ୁଛି। ଏପରି ଅସମାନତାର ଜଡ଼ ଆମ ଆର୍ଥିକ ନୀତିରେ ହିଁ ଅଛି। କୋଭିଡ-୧୯ ପୂର୍ବରୁ ଦେଶରେ ମହିଳାଙ୍କ ବେରୋଜଗାରୀ ହାର ୧୫ ପ୍ରତିଶତ ଥିଲା। ଏବେ ଏହା ବୃଦ୍ଧି ପାଇ ୧୮ ପ୍ରତିଶତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଯେଉଁ ମହିଳାମାନେ ଚାକିରି ହରାଇ ନାହାନ୍ତି ସେମାନଙ୍କ ବେତନ ହ୍ରାସ ପାଇଛି। ଦେଶରେ ମଧ୍ୟମ ବର୍ଗ ମହିଳା ସାଧାରଣତଃ ସେମାନଙ୍କ ପରିବାର ପାଇଁ ଆର୍ଥିକ ଯୋଗଦାନ କରିଥା’ନ୍ତି। ଏହି କାରଣରୁ ମହିଳାଙ୍କ ଆୟ କମି ଥିବାରୁ ସେମାନଙ୍କ ପରିବାରର ଆମଦାନୀ ମଧ୍ୟ ହ୍ରାସ ପାଇଛି।



