ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିବାଦ, ଉଚ୍ଚ ନ୍ୟାୟାଳୟରୁ ମିଳିଥିବା ସ୍ଥଗିତାଦେଶକୁ ଅବମାନନା ଅଭିଯୋଗ
କଲ୍ୟାଣସିଂ ହପୁର- (ନିପ୍ର)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନୂତନ ପଞ୍ଚାୟତ କନ୍ଧକାତିପାଡୁ ରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କୁ ନେଇ ଉଚ୍ଚନ୍ୟାୟାଳୟରୁ ମିଳିଥିବା ସ୍ଥଗିତାଦେଶ କୁ ଅବମାନନା କରି ପୁଣି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । କନ୍ଧକାତିପାଡୁ ରେ ନୂତନ ପଞ୍ଚାୟତ ନିର୍ମାଣକୁ ନେଇ ପଞ୍ଚାୟତ ବାସୀ ଅସୁବିଧାରେ ପଡିଥିବା କହିଛନ୍ତି ।
ହୋମିୟଗୁଡା ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବା ପାଇଁ ଜମି ସମତଳ କରାଯାଉଥିଲା ।ସେହି ସମୟରେ କନ୍ଧକାତିପାଡୁ, ପୋଙ୍ଗଲି, କାର୍ଣ୍ଣପାଡୁ, କୁର୍ତ୍ତେଲି ଗାଁର କିଛି ଲୋକ ଏହାକୁ ବିରୋଧ କରିଥିଲେ । ଅନ୍ୟ କିଛି ଲୋକ ହୋମିୟଗୁଡା ଠାରେ ହିଁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ କରାଯାଉ ବୋଲି ଅଡି ବସିଥିଲେ । ଏହାକୁ ନେଇ ବିଡ଼ିଓ ସୁଧାକର ରଇତ, ତହସିଲଦାର ଦେବାଶିଷ କର ଓ ଜିଲାପାଳ ସରୋଜ କୁମାର ମିଶ୍ର ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ହେଲେ ଉଚ୍ଚନ୍ୟାୟାଳୟରୁ ସ୍ଥଗିତାଦେଶ ମିଳିଲେ ହିଁ ତାହା ବନ୍ଦ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିବା ବିରୋଧୀ ମାନେ କହିଥିଲେ । ଏହାକୁନେଇ କନ୍ଧକାତିପାଡୁ ଗାଁର ରାମ ସିଂ ହିମିରିକା, ସମନାଥ ହିମିରିକା, ମନେଶ୍ୱରାଓ ହିମିରିକା, ଶଙ୍କରରାଓ ହିମିରିକା ପ୍ରମୁଖ ଉଚ୍ଚନ୍ୟାୟାଳୟରୁ ସ୍ଥଗିତାଦେଶ ଆଣି ବ୍ଲକ ଓ ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ । ଏହି ସ୍ଥଗିତାଦେଶ ପାଇବା ପରେ ବିଡ଼ିଓ କହିଥିଲେ ରାଜସ୍ୱ ଅଧିକାରୀ ମାନଚିତ୍ର ଆଧାରରେ ଆମକୁ ଯେଉଁ ସ୍ଥାନ ଦେଖାଇଥିଲେ ସେହିଠାରେ କାମ କରାଯାଉଛି । ବର୍ତ୍ତମାନ ସ୍ଥଗିତାଦେଶ ପାଇଁ କାମ ବନ୍ଦ କରିବାପାଇଁ ନିର୍ଦେଶ ଦେଇଛନ୍ତି ବୋଲି କହିଥିଲେ । କିନ୍ତୁ ଏହାକୁ କନିଷ୍ଠ ଯନ୍ତ୍ରୀ ଅବମାନନା କରି ଉକ୍ତ କାର୍ଯ୍ୟ ଚଳାଉଥିବା ପୁଣି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ଅଧିକାରୀଙ୍କ କହିବା ଅନୁଯାୟୀ ମୁଁ କାମ କରୁଛି ,ମତେ କାମ ବନ୍ଦ କରିବା ପାଇଁ କହିଲେ ବନ୍ଦ କରିବି ବୋଲି କହିଛନ୍ତି । ବିଡ଼ିଓ ସୁଧାକର ରଇତଙ୍କୁ ଏ ସମ୍ପର୍କେ ବୁଝୁଥିବା କଥା ସୂଚନା ଦେଇଛନ୍ତି ।
Comments are closed.