ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିବା ସମସ୍ତଙ୍କ ଦାୟିତ୍ୱ : ଧର୍ମେନ୍ଦ୍ର
ପଲ୍ଲୀବାଣୀ ମିଶନର ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର- ୨୦୨୨’ ସମାରୋହ, ୬ ଜଣଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର’
ନୂଆଦିଲ୍ଲୀ : ଏକବିଂଶ ଶତାବ୍ଦୀରେ ଆମର ନିଜସ୍ୱ ପରିଚୟ ତଥା ଓଡ଼ିଆ ଜାତିକୁ ବୈଜ୍ଞାନିକ ଢଙ୍ଗରେ ସମାଜ ଆଗରେ ଉପସ୍ଥାପନ କରିବାକୁ ହେବ । କେବଳ ପୁରୁଣା କଥାକୁ ନେଇ ନୁହେଁ ବରଂ ଆଧୁନିକ କଥାକୁ ନେଇ ସମାଜ ଆଗରେ ଆମ ଓଡ଼ିଶାର ପରିଚୟକୁ ବୈଜ୍ଞାନିକ ଢଙ୍ଗରେ ଉପସ୍ଥାପନ କରିବାକୁ ହେବ । ସେହିପରି ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପଲ୍ଲୀବାଣୀ ମିଶନ ପକ୍ଷରୁ ଆୟୋଜିତ ଏହି ପୁରସ୍କାର ସମାରୋହରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ୬ ଜଣ ସାମ୍ବାଦିକମାନଙ୍କୁ ‘ଓଡ଼ିଆ ସାମ୍ବାଦିକତା ପୁରସ୍କାର-୨୦୨୨’ ପ୍ରଦାନ କରିଛନ୍ତି। ସେମାନେ ହେଲେ ଅଶୋକ କୁମାର ପ୍ରଧାନ, ସନ୍ଦୀପ ଦାସ, ମୌସୁମୀ ମହାନ୍ତି, ପ୍ରମୋଦ କୁମାର ମହାନ୍ତି, ଜିତେନ୍ଦ୍ର ବେଉରା, ପ୍ରଶାନ୍ତ କୁମାର ଦାଶ ଓ ସୂର୍ୟ୍ୟ ଦେଓ। ସମ୍ମାନିତ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସମୟରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ପ୍ରତିପାଦିତ କରିବାରେ ଆମର ସାମ୍ବାଦିକ ମାନଙ୍କ ଦାୟିତ୍ୱ ଅକଳ୍ପନୀୟ । ଆଜି ଡିଜିଟାଲ ସାମ୍ବାଦିକତା ସମୟରେ ଖବର ପ୍ରକାଶ କରିବାର ଶୈଳି ପରିବର୍ତ୍ତିତ ହୋଇଛି। ଦ୍ରୁତ ଗତିରେ ବଦଳି ଚାଲିଥିବା ଟେକ୍ନୋଲୋଜି ବ୍ୟବସ୍ଥା ସାଙ୍ଗେ ତାଳ ଦେଇ ସାମ୍ବାଦିକ ମାନଙ୍କୁ ଚାଲିବାକୁ ପଡିବ। ଆଜିର ସମୟରେ ସାମାଜିକ ଗଣମାଧ୍ୟମ ଖବର ଦେବାର ନୂଆ ପରିଭାଷା ବଦଳାଇଛି ଓ ସମସ୍ତଙ୍କ ମଧ୍ୟରେ ପରୋକ୍ଷରେ ଜଣେ ଜଣେ ସାମ୍ବାଦିକର ଦାୟିତ୍ୱବୋଧତା ତିଆରି କରାଇଛି। ଆମର ଲେଖା ଓ ବୌଦ୍ଧିକ କ୍ଷମତା ହେଉଛି ଆମର ପୁଞ୍ଜି। ଏହି ସମୟରେ ଆମର ଦାୟିତ୍ବ ହେଉଛି ଓଡ଼ିଶାକୁ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠିତ କରାଇବା। ସେ କହିଥିଲେ ଯାହା ମନରେ ଆକାଂକ୍ଷା ଥାଏ, ସିଏ ଦିଗବିଜୟୀ ହେବ। ଏକବିଂଶ ଶତାବ୍ଦୀରେ ଭାଷା ଓ ସଂସ୍କୃତିକୁ ସମୃଦ୍ଧ ସହ ଓଡ଼ିଶା ରାଜ୍ୟକୁ ଅଗ୍ରଣୀ କରିବାକୁ ହେବ ବୋଲି ସେ କହିଛନ୍ତି ।
ଏହି କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ ପଲ୍ଲୀବାଣୀ ମିଶନର ୨୫ତମ ରୌପ୍ୟ ଜୟନ୍ତୀ ଅବସରରେ ଏକ ଲୋଗୋ ଉନ୍ମୋଚନ କରିଥିଲେ।
Comments are closed.