ପାକିସ୍ତାନର ଗୋଟିଏ ପରମାଣୁ ବୋମା ଜବାବରେ ୨୦ଟି ବୋମା ପକାଇ ଧ୍ୱଂସ କରିଦେବ ଭାରତ : ମୁଶାରଫ

0

ୟୁଏଇ : ପାକିସ୍ତାନ- ଭାରତ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗୋଟିଏ ପରମାଣୁ ବୋମା ପକାଇଲା ବେଳକୁ ଭାରତ ୨୦ଟି ପରମାଣୁ ବୋମା ପକାଇ ଧ୍ୱଂସ କରିଦେବ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶର ସମ୍ପର୍କ ବିପଦଜନକ ସ୍ଥିତିରେ ପହଞ୍ଚିଛି। କିନ୍ତୁ ଏବେ ଆଣବିକ ଯୁଦ୍ଧର ବିପଦ ନାହିଁ। ଏକାସଙ୍ଗେ ଭାରତରେ ୫୦ଟି ପରମାଣୁ ବୋମା ପକାଇ ପାରିଲେ ପାକିସ୍ତାନ ବଞ୍ଚିପାରିବ। ତେବେ ପାକିସ୍ତାନ ଏକାସଙ୍ଗେ ୫୦ଟି ପରମାଣୁ ବୋମା ପକାଇ ପାରିବ କି ? ବୋଲି ମୁଶାରଫ ପ୍ରଶ୍ନ କରିଛନ୍ତି। ପୁଲୱାମା ଆକ୍ରମଣର ପ୍ରାୟ ୯ ଦିନ ପରେ ମୁଶାରଫ ଏହି ଟିପ୍ପଣୀ ଦେଇଛନ୍ତି। ଏହାସହ ମୁଶାରଫ କହିଛନ୍ତି ଯେ ଏହା ହେଉଛି ତାଙ୍କ ପାକିସ୍ତାନ ଫେରିବାର ସଠିକ୍‍ ସମୟ। ରାଜନୈତିକ ପରିବେଶ ତାଙ୍କ ସ୍ୱଦେଶ ଫେରିବା ପାଇଁ ଅନୁକୂଳ ରହିଛି। ଇମ୍ରାନଙ୍କ ମନ୍ତ୍ରିମଣ୍ଡଳର ଅଧା ତାଙ୍କ ପଟରେ ଅଛନ୍ତି। ଆଇନ ମନ୍ତ୍ରୀ ଏବଂ ଆଟର୍ଣ୍ଣି ଜେନେରାଲ ପୂର୍ବରୁ ତାଙ୍କ ଓକିଲ ରହି ସାରିଛନ୍ତି। ସେ ପାକିସ୍ତାନକୁ ଫେରିଲେ ଇସ୍ରାଏଲ ସହ ଭଲ ସମ୍ପର୍କ ସ୍ଥାପନ କରିବେ ଓ ଭାରତର ସଠିକ ମୁକାବିଲା କରିପାରିବେ।
ଉଲ୍ଲେଖଯୋଗ୍ୟ ଯେ ମୁଶାରଫ ୧୯୯୯ରେ ରାଜନୈତିକ ଓଲଟପାଲଟ କରି କ୍ଷମତାକୁ ଆସିଥିଲେ। ତତ୍କାଳ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେ ରାଷ୍ଟ୍ରପତି ହୋଇଥିଲେ। ଏହାର ଠିକ୍‍ ୯ ବର୍ଷ ପରେ ତାଙ୍କୁ କ୍ଷମତା ହରାଇବାକୁ ପଡ଼ିଥିଲା। ନିର୍ବାସନ ପରେ ଏବେ ସେ ୟୁଏଇରେ ରହୁଛନ୍ତି।

Leave A Reply