www.samajalive.in
Tuesday, December 9, 2025
26.1 C
Bhubaneswar

ପିଓକେ ନେତା ଖୋଲିଲେ ପାକିସ୍ତାନ ଗୁମର: ଜାଲ୍‌ ଦସ୍ତଖତରେ ରାଜିନାମା

ବର୍ଣ (ସ୍ବିଜରଲାଣ୍ଡ) : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଚିନ୍ତା ବଢିଛି ପିଓକେ (ପାକ୍‌ ଅଧିକୃତ କାଶ୍ମୀର)କୁ ନେଇ। ଜାମ୍ମୁ-କାଶ୍ମୀର କହିବା ଅର୍ଥ ଗିଲ୍‌ଗିଟ୍‌-ବଲ୍‌ଟିସ୍ତାନ (ଜିବି) ସମେତ ପିଓକେକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ସ୍ପଷ୍ଟ କରିବା ଏବଂ ପାକିସ୍ତାନ ଅଧୀନରେ ଥିବା ଏହି ଅଞ୍ଚଳକୁ ଭାରତର ଅକ୍ତିଆରକୁ ଆଣିବା ଲାଗି ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିବା ପରଠାରୁ ପାକିସ୍ତାନ ସରକାରଙ୍କ ରକ୍ତଚାପ ବଢିବାରେ ଲାଗିଛି। ଭାରତର ଏହି ଘୋଷଣା ପରେ ପିଓକେ ନେତାଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି ହୋଇଛି। ଦୀର୍ଘ ୫୯ ବର୍ଷ ଧରି ପାକିସ୍ତାନ କିଭଳି ଜାଲ୍‌ ଦସ୍ତଖତ ଜରିଆରେ ବୁଝାମଣା କରି ପିଓକେକୁ କବ୍‌ଜା କରିରଖିଛି ଓ ସେଠାକାର ଜନତାଙ୍କୁ ଠକି ଆସିଛି ସେ ସଂପର୍କରେ ପିଓକେର ଜଣେ ବରିଷ୍ଠ ନିର୍ବାସିତ ନେତା ନାସିର ଅଜିଜ୍‌ ଖାନ୍‌ ଗଣମାଧ୍ୟମକୁ କହିଛନ୍ତି। ଗିଲ୍‌ଗିଟ୍‌-ବଲ୍‌ଟିସ୍ତାନର ପ୍ରମୁଖ ରାଜନୈତିକ ଦଳ ୟୁନାଇଟେଡ୍‌ କାଶ୍ମୀର ପିପୁଲ୍ସ ନେସନାଲ ପାର୍ଟି (ୟୁକେପିଏନପି)ର ନିର୍ବାସିତ ନେତା ତଥା ଦଳର ମୁଖ୍ୟ ମୁଖପାତ୍ର ହେଉଛନ୍ତି ନାସିର। ନାସିରଙ୍କ କହିବାନୁଯାୟୀ, ଯେଉଁ ପାକିସ୍ତାନ ସେମାନଙ୍କୁ ଶାସନ କରୁଛି ତା’ର ଏହି ଗୋପନ ଜାଲିଆତି ଓ ଚାଲ୍‌ ସଂପର୍କରେ ଗିଲ୍‌ଗିଟ୍‌ ଓ ବଲ୍‌ଟିସ୍ତାନ ସମେତ ପିଓକେବାସୀ ଜାଣିନାହାନ୍ତି।

୧୯୪୯ ମସିହାରେ ତିନି ଜଣଙ୍କ ମଧ୍ୟରେ ଯେଉଁ ଗୋପନ ‘କରାଚୀ ରାଜିନାମା’ ହୋଇଥିଲା ଇସଲାମାବାଦ ସେଥିରେ ଭୟଙ୍କର ଜାଲିଆତି କରିଥିଲା ବୋଲି ନାସିର ସଂଗିନ ଅଭିଯୋଗ କରିଛନ୍ତି। ଏହି ଗୋପନ ବୁଝାମଣାରେ ତତ୍କାଳୀନ ପିଓକେ ପ୍ରତିଷ୍ଠାତା ଅଧ୍ୟକ୍ଷ ସର୍ଦାର ଇବ୍ରାହିମ୍‌ ଖାନ୍‌, ଜାମ୍ମୁ-କାଶ୍ମୀର ମୁସ୍‌ଲିମ୍‌ କନ୍‌ଫରେନ୍ସ (ଜେକେଏମ୍‌ସି) ମୁଖ୍ୟ ଚୌଧରୀ ଗୁଲାମ ଅବ୍‌ବାସ ଏବଂ ପାକିସ୍ତାନ ସରକାରର ପ୍ରମୁଖ ପ୍ରତିନିଧି ମୁସ୍ତାକ୍‌ ଗୁର୍ମାନୀ ତିନିଟି ପକ୍ଷ ରହିଥିବା କୁହାଯାଉଥିଲା। ମାତ୍ର ଏଥିରେ ପିଓକେ ଅଧ୍ୟକ୍ଷ ଇବ୍ରାହିମ୍‌ ଏବଂ ଜେକେଏମ୍‌ସି ମୁଖ୍ୟ ଚୌଧରୀ ଗୁଲାମଙ୍କ ଦସ୍ତଖତକୁ ଜାଲ୍‌ କରିଛି ପାକିସ୍ତାନ। ଗିଲ୍‌ଗିଟ୍‌-ବଲଟିସ୍ତାନ ସମେତ ପିଓକେକୁ ଜବରଦସ୍ତି ପାକିସ୍ତାନ କବ୍‌ଜା କରିଥିବା ନାସିର କହିଛନ୍ତି। ଏହି ଜାଲିଆତି ସଂକ୍ରାନ୍ତ ଗୋପନ ରାଜିନାମାର ବଳିଷ୍ଠ ଯୁକ୍ତି ଓ ତଥ୍ୟପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି ନାସିର। ୧୯୪୯ କରାଚୀ ଏଗ୍ରିମେଣ୍ଟ (ପିଓକେ)ର ଦସ୍ତାବିଜ୍‌କୁ ନେଇ ଏବେ ଗିଲଗିଟ୍‌-ବଲଟିସ୍ତାନ ଓ ପିଓକେରେ ବିତର୍କ ଆରମ୍ଭ ହୋଇଛି। ୬ ଦଶନ୍ଧି ଧରି ପାକିସ୍ତାନ ଏହି ଭୟଙ୍କର ମିଛକୁ ଲୁଚାଇ ରଖିଛି। ନାସିର କହିଛନ୍ତି ଯେ, ପିଓକେ ପ୍ରତିିଷ୍ଠାତା ଇବ୍ରାହିମ୍‌ ତାଙ୍କ ଦଳର ନେତାଙ୍କୁ ଅତୀତରେ ସ୍ପଷ୍ଟ କରିସାରିଛନ୍ତି ଯେ ସେ ଏଭଳି ରାଜିନାମା କରିନାହାନ୍ତି। ତାଙ୍କ ଦସ୍ତଖତକୁ ଜାଲିଆତି କରାଯାଇଛି। ପୂର୍ବତନ ପଞ୍ଜାବ ଗଭର୍ଣ୍ଣର (ପାକିସ୍ତାନ) ସଲମାନ୍‌ ତାସିରଙ୍କ ପିତା ତଥା ତତ୍କାଳୀନ ପାକିସ୍ତାନ ସରକାରଙ୍କ ପ୍ରତିନିଧି ମହମ୍ମଦ ଦୀନ୍‌ ତାସିର ଜାଲ୍‌ କରିଛନ୍ତି। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଚୁକ୍ତି ସଂପର୍କରେ କାଶ୍ମୀରର କୌଣସି ନାଗରିକ ଜାଣିନାହାନ୍ତି। ପାକିସ୍ତାନ ସେମାନଙ୍କ ଜମିକୁ ଛଳନା ତଥା ଶଠତାପୂର୍ଣ୍ଣ ଭାବେ ଅକ୍ତିଆର କରିନେଇଛି ବୋଲି ସେମାନେ ଅବଗତ ନୁହନ୍ତି। ମିଳିଥିବା ଦସ୍ତବିଜ୍‌ ଅନୁଯାୟୀ, ୨୮ ଏପ୍ରିଲ ୧୯୪୯ର ଏହି ଜାଲ୍‌ ଚୁକ୍ତିକୁ ୧୯୯୦ ପର୍ଯ୍ୟନ୍ତ ପାକିସ୍ତାନ ସରକାର ଲୁଚାଇ ରଖିଥିଲେ। ଚୁକ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ମଧ୍ୟ ସେତେବେଳେ କୌଣସି ସୂଚନା ଦିଆଯାଇନଥିଲା। ନବେ ଦଶକରେ ପିଓକେ ହାଇକୋର୍ଟରେ ଗିଲ୍‌ଗିଟ୍‌ ଓ ବଲଟିସ୍ତାନ ସଂକ୍ରାନ୍ତ ଏହି ଗୋପନ ଜାଲ୍‌ ଚୁକ୍ତି ସାମ୍ନାକୁ ଆସିଥିଲା। ପରେ ଅର୍ଥାତ୍‌ ୨୦୦୮ରେ ଏହା ପିଓକେ ସମ୍ବିଧାନର ଆପେଣ୍ଡିକ୍ସରେ ପ୍ରକାଶିତ କରାଯାଇଥିଲା। ଦୀର୍ଘ ୫୯ ବର୍ଷ ଧରି ଏହି ଜାଲ୍‌ ରାଜିନାମାକୁ ଜନତାଙ୍କଠାରୁ ଗୋପନ ରଖି ପାକିସ୍ତାନ ଏହି ଅଞ୍ଚଳବାସୀଙ୍କ ସହ ଭୟଙ୍କର ଧୋକା କରିଛି। ଜିବିର ବ୍ୟାପକ ଅଞ୍ଚଳକୁ ଜବରଦସ୍ତ କବ୍‌ଜା କରିଛି। ତଥାକଥିତ କାଶ୍ମୀରର ୯୦ ପ୍ରତିଶତ (ପିଓକେ ଅଂଶ)କୁ ପାକିସ୍ତାନ ନିଜ ଅଧୀନରେ ରଖିଛି।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ କରିଛନ୍ତି ନାସିର। ପାକିସ୍ତାନକୁ ପ୍ରତି କଥାରେ ଚୀନ୍‌ ସହଯୋଗ ଓ ସମର୍ଥନ କରିବାର ରହିଛି ଏକ ପ୍ରମୁଖ କାରଣ। ଏଠାରେ ଥିବା ସୁନା ଖଣି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ଭରପୂର ଲୁଣ୍ଠନ କରିଚାଲିଛନ୍ତି ଏକାଧିକ ଚୀନ୍‌ କମ୍ପାନୀ। ପାକିସ୍ତାନ ଗୁଇନ୍ଦା ସଂସ୍ଥା କମ୍ପାନୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛି। ସ୍ଥାନୀୟ ଲୋକେ ସ୍ବର ଉତ୍ତୋଳନ କଲେ ସେମାନଙ୍କୁ ଅପହରଣ, ହତ୍ୟା ଏବଂ ମହିଳାଙ୍କୁ ଗଣବଳାତ୍କାର କରାଯାଉଛି।
କାଶ୍ମୀରରୁ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରିବା ଓ ପରବର୍ତ୍ତୀ ପଦକ୍ଷେପ ‘ପିଓକେ’ ଅଭିଯାନ ବୋଲି ଭାରତର ଦୁଇ ପ୍ରଭାବୀ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ଜିତେନ୍ଦ୍ର ସିଂହ ବୟାନ ଦେଇସାରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ତା’ର ଆଣବିକ ଯୁଦ୍ଧାସ୍ତ୍ର ପ୍ରୟୋଗ ନେଇ ପୂର୍ବର ଆଭିମୁଖ୍ୟରେ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନ କରିବ ବୋଲି କହିବା ପରେ ପାକିସ୍ତାନର ପିଓକେ ଚିନ୍ତା ବଢିଛି। ଦୈନିକ ଭାରତ ବିରୋଧୀ ବିଷ ଓଗାଳୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଲାଗି ପିଓକେ ହାତରୁ ଖସିବା ଆଶଙ୍କା ବଢିଛି। ଭାରତ-ପାକିସ୍ତାନ ତିକ୍ତତା ବଢିବା ପରେ ପାକିସ୍ତାନ ତା’ର ଉତ୍ତର-ପଶ୍ଚିମ ସୀମାନ୍ତରୁ ସେନାକୁ ଅପସାରିତ କରି ପିଓକେର ପୂର୍ବାଞ୍ଚଳରେ ଠୁଳ କରିଥିବା ନାସିର କହିଛନ୍ତି। ପିଓକେକୁ ନେଇ ଆଉ ଏକ ଭୟଙ୍କର ଲଢେଇ ହୋଇପାରେ। ପାକିସ୍ତାନର ପ୍ରସ୍ତୁତି ବାସ୍ତବିକ୍‌ ଚିନ୍ତାଜନକ ବୋଲି ନାସିର ଆଶଙ୍କା କରିଛନ୍ତି। ପିଓକେ, ଗିଲ୍‌ଗିଟ୍‌-ବଲଟିସ୍ତାନବାସୀଙ୍କ ଉପରେ ଆଇଏସଆଇ ଭୟଙ୍କର ଦମନଲୀଳା ଚଳାଇ ଗଣହତ୍ୟା କରିବା ସେ ଆଶଙ୍କା କରିଛନ୍ତି। ଗିଲ୍‌ଗିଟ୍‌ ଓ ବଲଟିସ୍ତାନର ଲୋକପ୍ରିୟ ନେତା ସୌକତ୍‌ କାଶ୍ମୀରୀଙ୍କୁ ୧୯୯୯ ମସିହାରୁ ଆଇଏସଆଇ ଦେଶନ୍ତର କରିସାରିଛି। ୧୯୯୪ ଓ ୧୯୯୮ରେ ସୌକତଙ୍କୁ ଆଇଏସଆଇ ଦୁଇ ଦୁଇଥର ଅପହରଣ କରି ଖରିଆନ୍‌ ଜେଲ୍‌ରେ ରଖିଥିଲା। ଆମେରିକାର ହସ୍ତକ୍ଷେପ ଯୋଗୁଁ ପାକିସ୍ତାନ ତାଙ୍କୁ ଖାଇବର-ପାକ୍ତୁନ୍‌ଖାୱା ନିକଟସ୍ଥ ଆଫଗାନିସ୍ତାନ ସୀମାରେ ଛାଡି ଦେଇଥିଲା।
ଖୋଦ୍ ସେ (ନାସିର) ମଧ୍ୟ ଦୁଇ ଦଶନ୍ଧି ଧରି ସ୍ବିଜରଲାଣ୍ଡର ବର୍ଣ ସହରରେ ଜଣେ ନିର୍ବାସିତ ଭାବେ ଅବସ୍ଥାନ କରୁଛନ୍ତି। ଆଇଏସଆଇ, ପାକ୍‌ ସେନା ଓ ଇସଲାମାବାଦରେ ଥିବା ପାକିସ୍ତାନ ସରକାର କିଭଳି ପିଓକେବାସୀଙ୍କୁ ଠକି ଓ ଲୁଟିଚାଲିଛନ୍ତି ସେ ସଂପର୍କରେ ଦୁଇନେତା ଏବେ ଜାତିସଂଘର ସହାୟତା ଲୋଡିବା ସହ ବଲଟିସ୍ତାନ ଓ ଗିଲ୍‌ଗିଟ୍‌ବାସୀଙ୍କ ମଧ୍ୟରେ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ହାତ ପାଆନ୍ତାରେ ଚନ୍ଦ୍ର ଧରାଇବାର ସ୍ବପ୍ନ ଦେଖାଇ କାଶ୍ମୀରର ଏକ ବୃହତ୍ ଅଂଶକୁ କବ୍‌ଜା କରିଥିବା ପାକିସ୍ତାନ ଏଠାକାର ଲୋକଙ୍କ ମୌଳିକ ସମସ୍ୟାର ମଧ୍ୟ ସମାଧାନ କରିପାରିନି। ସେଠାକାର ଲୋକେ ଦାରିଦ୍ର୍ୟ, ଅନାହାରରେ ଶଢୁଛନ୍ତି ବୋଲି ନାସିର କହୁଛନ୍ତି।
ସଂପ୍ରତି ଭାରତ ସରକାରଙ୍କ ଦୃଢ କାଶ୍ମୀର ନୀତିକୁ ଦେଖି ପିଓକେରେ ଜନବିଦ୍ରୋହର ସ୍ବର ଶାଣିତ ହେଲାଣି। ଗୋଟିଏ ପଟେ ମୋଦୀ ସରକାରଙ୍କ ସଂପୂର୍ଣ୍ଣ କାଶ୍ମୀର ରଣନୀତି ଓ ଅନ୍ୟପଟେ ଗିଲ୍‌ଗିଟ୍‌-ବଲଟିସ୍ତାନ ଓ ପିଓକେରେ ଜନ ଆନ୍ଦୋଳନ ପାକିସ୍ତାନ ସରକାରଙ୍କ ରକ୍ତଚାପକୁ ବଢାଇଦେଇଛି। ସେଥିପାଇଁ ଟ୍ରମ୍ପ୍‌ଙ୍କ ଚେତାବନୀ ସତ୍ତ୍ବେ ବି ଇମ୍ରାନ୍‌ ଭାରତ ବିରୋଧୀ ବିଷୋଦ୍‌ଗାରରୁ ନିବୃତ୍ତ ରହିପାରୁନାହାନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories