ଦହି କିଣିବାକୁ ଟ୍ରେନ ଅଟକାଇ ନିଲମ୍ବିତ ହେଲେ ଡ୍ରାଇଭର

ଲାହୋର: ପାକିସ୍ତାନର ଜଣେ ଟ୍ରେନ ଡ୍ରାଇଭର ଦହି ଖାଇବାର ଲୋଭ ସମ୍ବରଣ କରିନପାରି ହରଡଘଣାରେ ପଡିଛନ୍ତି। ଏପରିକି ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ଜଣାଯାଇଛି। ତାଙ୍କ ସହିତ ଜଣେ ସହକାରୀ ଡ୍ରାଇଭର ମଧ୍ୟ ନିଲମ୍ବିତ ହୋଇଛନ୍ତି। ଜଣାଯାଇଛି ଯେ ସୋମବାର ଦିନ ପାକିସ୍ତାନର ଲାହୋରରୁ ଏକ ଟ୍ରେନ ଯାତ୍ରାରମ୍ଭ କରି କରାଚୀ ଅଭିମୁଖେ ଯାଉଥିଲା। ବାଟରେ କାହ୍ନା ଷ୍ଟେସନ ଆସିଲା। ସେଠାରେ ଫୁଟପାଥରେ ଜଣେ ଦହି ବିକ୍ରି କରୁଥିଲେ। ଏହା ଦେଖିବା ପରେ ଟ୍ରେନ ଡ୍ରାଇଭର ଟ୍ରେନକୁ ଉକ୍ତ ଷ୍ଟେସନରେ ଅଟକାଇ ଦେଇଥିଲେ; ଯଦିଓ ସେଠାରେ ଉକ୍ତ ଟ୍ରେନର ରହଣି ନଥିଲା। ସହକାରୀ ଡ୍ରାଇଭର ତଳକୁ ଓହ୍ଲାଇ ଦହି କିଣି ଆଣିବା ପରେ ଟ୍ରେନ ପୁଣି ଆଗକୁ ଚାଲିଥିଲା। ଏହି ଘଟଣାର ଦୃଶ୍ୟକୁ ଜଣେ କେହି ନିଜ ମୋବାଇଲରେ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଛାଡିଦେଇଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ଏହାକୁ ନେଇ ଅନେକ ନାନା ପ୍ରଶ୍ନ କରିବା ସହିତ ଡ୍ରାଇଭରଙ୍କର ଏଭଳି ବିଶୃଙ୍ଖଳିତ ଆଚରଣକୁ ନେଇ ଆପତ୍ତି ଉଠାଇଥିଲେ। ଶେଷରେ ପାକିସ୍ତାନର ରେଳ ମନ୍ତ୍ରୀ ଆଜମ ଖାଁ ସ୍ୱାତି ରେଳବାଇ ପ୍ରଶାସନକୁ ଉକ୍ତ ଡ୍ରାଇଭର ରାଣା ମହମ୍ମଦ ଶେହଜାଦ ଏବଂ ତାଙ୍କର ସହକାରୀ ଡ୍ରାଇଭର ଇଫତିକାର ହୁସେନଙ୍କୁ ନିଲମ୍ବନ କରିବାକୁ ଆଦେଶ ଦେଇଥିଲେ। ଆଦେଶ ମିଳିବା ପରେ ପାକିସ୍ତାନ ରେଳବାଇ କର୍ତ୍ତୃପକ୍ଷ ଏହି ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। ଉକ୍ତ ଟ୍ରେନର ଧାର୍ଯ୍ୟ ରହଣି ସ୍ଥଳ ହୋଇନଥିବା ଏକ ଷ୍ଟେସନରେ ଟ୍ରେନକୁ ଅଟକାଇବା ଦ୍ୱାରା ଏକ ବଡଧରଣର ରେଳ ଦୁର୍ଘଟଣାର ଆଶଙ୍କା ରହିଥିଲା। ସେଥିପାଇଁ ଏଭଳି ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପାକିସ୍ତାନ ରେଳବାଇର ଜଣେ ମୁଖପାତ୍ର ସୟଦ ଇଜାଜ ଉଲ ହାସନ କହିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ରେଳବାଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହା କିଛି ନୂଆକଥା ନୁହେଁ।

Comments are closed.