ଦି’ଓଳି ଖାଇବାକୁ ପାଉ ନାହାନ୍ତି ଅଧା ପାକିସ୍ତାନୀ; ୪୦% ଶିଶୁ ଉତ୍କଟ ପୁଷ୍ଟିହୀନତାର ଶିକାର
ଇସଲାମାବାଦ: ପାକିସ୍ତାନର ଆର୍ଥିକ ପରିସ୍ଥିତି ଏମିତି ଯେ ଏ ବିଷୟରେ ଯେତେ ରିପୋର୍ଟ ପ୍ରକାଶ ପାଇଲେ ବି ସରୁ ନାହିଁ। ଦେଶରେ ଦରଦାମ ବୃଦ୍ଧିକୁ ନେଇ ସବୁ ମହଲରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଏବେ ଆଉ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଛି। ପ୍ରଥମ କରି ପ୍ରକାଶ ପାଇଥିବା ‘ନ୍ୟାସନାଲ ନ୍ୟୁଟିସନ୍ ସର୍ଭେ-୨୦୧୮’ ଅନୁସାରେ ପାକିସ୍ତାନର ଅର୍ଦ୍ଧେକ ପରିବାର ଦିନକୁ ଦି’ଓଳି ପେଟପୂରା ଖାଇବାକୁ ପାଉ ନାହାନ୍ତି। ପ୍ରାୟ ୩୭ପ୍ରତିଶତ ପରିବାରଙ୍କ ପାଇଁ ଖାଦ୍ୟ ସୁରକ୍ଷାର କିଛି ଅର୍ଥ ନାହିଁ। ଦେଶେର ପୁଷ୍ଟିହୀନତା ବ୍ୟାପୁଛି। ବର୍ତ୍ତମାନ ସୁଦ୍ଧା ଦେଶର ୪୦.୨ ପ୍ରତିଶତ ଶିଶୁ ଏହାର ଉତ୍କଟ ଶିକାର ହୋଇଛନ୍ତି। ସେମାନଙ୍କର ମାନସିକ କିମ୍ବା ଶାରୀରିକ ବିକାଶ ହେଉ ନାହିଁ। ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହା ସ୍ବୀକାର କରିଛି। ପେଟପୂରା ଖାଦ୍ୟ ମିଳୁ ନ ଥିବାବେଳେ ପୁଷ୍ଟିକର ଖାଦ୍ୟ ବିଷୟ କିଏ ପଚାରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଚାଇଲ୍ଡ ହେଲ୍ଥର ଅଧ୍ୟକ୍ଷ ପ୍ରଫେସର ଜମାଲ ରାଜାଙ୍କ କହିବାନୁଯାୟୀ, ପୁଷ୍ଟିହୀନତା କ୍ଷେତ୍ରରେ ୨୫ବର୍ଷ ପୂର୍ବେ ପାକିସ୍ତାନର ଅବସ୍ଥା ଯାହା ଥିଲା ଏବେ ମଧ୍ୟ ସେୟା ରହିଛି; ବିଶେଷ କିଛି ପରିବର୍ତ୍ତନ ଘଟି ନାହିଁ। ଶିଶୁଙ୍କଠାରେ କ୍ରମବର୍ଦ୍ଧିଷ୍ଣୁ ପୁଷ୍ଟିହୀନଜନିତ ରୋଗର ମୁକାବିଲା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।
ପାକିସ୍ତାନ ଇତିହାସରେ ଏହି ସର୍ଭେକୁ ସର୍ବବୃହତ୍ ବୋଲି କୁହାଯାଉଛି। ଏଥିରେ ଦେଶର ୪ ପ୍ରଦେଶ ସହିତ ଗିଲ୍ଗିଟ-ବଲ୍ଟିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ସାମିଲ କରାଯାଇଛି। ମୋଟ ୧୧୫୬୦୦ ପରିବାରର ୧୪୫୩୨୪ ମହିଳା ଓ ପାଞ୍ଚବର୍ଷରୁ କମ୍ ୭୬୭୪୨ ଶିଶୁ ଏବଂ ୧୦ରୁ ୧୯ବର୍ଷ ମଧ୍ୟରେ ୧୪୫୮୪୭ ଯୁବକ ଯୁବତୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନଙ୍କ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷା କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏତଦ୍ବ୍ୟତୀତ ପାନୀୟ ଓ ବ୍ୟବହୃତ ଜଳ, ସିୱେଜ୍ ବ୍ୟବସ୍ଥାର ସ୍ଥିତି, ସେମାନଙ୍କ ଆବାସିକ ପରିବେଶ ଇତ୍ୟାଦି ମଧ୍ୟ ଅନୁଧ୍ୟାନ କରାଯାଇଛି। ଏଥିରୁ ଉପଲବ୍ଧ ତଥ୍ୟ ଅନୁସାରେ ୪୮.୪ପ୍ରତିଶତ ମହିଳା ସେମାନଙ୍କ ସନ୍ତାନଙ୍କୁ ସ୍ତନ୍ୟପାନ କରିବାକୁ ସକ୍ଷମ ହୋଇଥାଆନ୍ତି। ପ୍ରସୂତିମାନେ ନିଜେ ଦୁର୍ବଳ ଥିବାବେଳେ ଶିଶୁଙ୍କୁ ପୁଷ୍ଟି ଯୋଗାଇବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥାଏ। ସେହି ଅନୁସାରେ ପ୍ରତି ୧୦ଜଣରେ ୪ ଶିଶୁଙ୍କ ବିକାଶ ଘୋର ବାଧାପ୍ରାପ୍ତ ହେଉଥିବା ଏଥିରୁ ଜଣାପଡ଼ିଛି। ଦାରିଦ୍ର୍ୟ, କୁସଂସ୍କାର ଏବଂ ଶିକ୍ଷାର ଅଭାବ ସହିତ ସଚେତନତାର ଅଭାବ ଯୋଗୁଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ପୁନଶ୍ଚ ପୁଅ ଓ ଝିଅ ମଧ୍ୟରେ ଭେଦାଭେଦ ପରିସ୍ଥିତିକୁ ଅଧିକ ଜଟିଳ କରୁଛି।