ସାର୍କ ନୀତିକୁ ପାକିସ୍ତାନ ଅଡୁଆ – ରାଜନାଥ

ନୂଆଦିଲ୍ଲୀ: ଆଞ୍ଚଳିକ ଶାନ୍ତି ସ୍ଥାପନ କ୍ଷେତ୍ରରେ ଦେଶଗୁଡିକ ପରସ୍ପରର ସୁବିଧା ଅସୁବିଧାକୁ ଭଲଭାବରେ ହୃଦୟଙ୍ଗମ କରିବା ଓ ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜି ନୂଆଦିଲ୍ଲୀରେ ‘ଭାରତର ପଡ଼ୋଶୀ ଦେଶ ପ୍ରଥମେ ନୀତି : ଆଞ୍ଚଳିକ ଅନୁଭୂତି’ ଶୀର୍ଷକ ଦ୍ୱାଦଶ ଦକ୍ଷିଣ-ଏସୀୟ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। କେବଳ ଗୋଟିଏ ଦେଶ ପାକିସ୍ତାନକୁ ଛାଡ଼ି ଅଞ୍ଚଳର ବାକି ସମସ୍ତ ଦେଶ କାହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁ ନାହନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତ କେବଳ ସେହି ଗୋଟିଏ ଦେଶକୁ ଛାଡ଼ି ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବାକି ପଡ଼ୋଶୀ ଦେଶଗୁଡ଼ିକ ସହ ନିରନ୍ତର କଥାବାର୍ତ୍ତା କରୁଛି। ସେ କହିଛନ୍ତି, କେବଳ ସେହି ଗୋଟିଏ ଦେଶର ଆଚରଣ ପାଇଁ ସାର୍କର ସମ୍ପୂର୍ଣ୍ଣ ଉପଯୋଗ ହୋଇପାରୁ ନାହିଁ।

ଦକ୍ଷିଣ-ଏସୀୟ ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଓ ବିକାଶ କ୍ଷେତ୍ରରେ ପଡ଼ୋଶୀ ଦେଶଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛି ବୋଲି କହିବା ସହ ଆତଙ୍କବାଦ ପ୍ରସଙ୍ଗରେ ସେ କହିଛନ୍ତି, ଦେଶରେ ହୋଇଥିବା ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଆମକୁ ଆତଙ୍କବାଦକୁ ପ୍ରୋତ୍ସାହନ ନୀତି ବିଷୟ ମନେପକାଇ ଦେଉଛି। ସେ କହିଛନ୍ତି, ସନ୍ତ୍ରାସବାଦୀ ସଙ୍ଗଠନ ଓ ସେମାନଙ୍କର ଆର୍ଥିକ ତଥା ନୀତିଗତ ନେଟ୍‍ୱାକକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରାଯିବା ଉଚିତ ଓ କୌଣସି ଦେଶ ପକ୍ଷରୁ ସେମାନଙ୍କୁ ସହାଯ୍ୟ ସମର୍ଥନ ଦିଆଯିବା ଉଚିତ ନୁହେଁ। ଭାରତ ସୀମାପାର ଆତଙ୍କବାଦର କଡ଼ା ଜବାବ ଦେବାକୁ ସମ୍ପୂର୍ଣ୍ଣ ସକ୍ଷମ।

Comments are closed.