ନୂଆଦିଲ୍ଲୀ: ପିଓକେରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକର ୨ ସପ୍ତାହ ପରେ ମଧ୍ୟ ସୀମାରେ ଉତ୍ତେଜନା ଥମିନାହିଁ। ପାକିସ୍ତାନ ବାୟୁସେନା ପୁଣି କାର୍ଯ୍ୟାନୁଷ୍ଠାନ ମୁଡ୍ରେ ରହିଛି। ଭାରତୀୟ ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଭାରତୀୟ ବାୟୁସେନା ଆତଙ୍କୀ ଶିବିରରେ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ଥିବା ନେଇ ଆମେରିକାର ଏକ ସାଟେଲାଇଟ କେତେକ ଛବି ପ୍ରକାଶ କରିବା ପରେ ପାକିସ୍ତାନ ସରକାର ପାକ୍ ସେନାକୁ ସତର୍କ ରହିବାକୁ କହିଥିବା ସୂଚନା ମିଳିଛି। ଫଳରେ ପାକ୍ ସେନା ପକ୍ଷରୁ ସୀମାରେ ସୈନ୍ୟ ମୁତୟନ କରାଯିବା ସହ ଯୁଦ୍ଧ ବିମାନ ଠୁଳ କରାଯାଇଛି। ପାକ୍ ବାୟୁସେନା ଏହାର ପୂର୍ବାଞ୍ଚଳ ସମ୍ମୁଖ ସୀମାରେ ଏଫ-୧୬ ଯୁଦ୍ଧ ବିମାନର ପୂରା ସ୍କ୍ବାଡ୍ରନ ମୁତୟନ କରିଥିବା ଜଣାପଡ଼ିଛି।
ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ମୁତାବକ, ପାକିସ୍ତାନ ଆମେରିକା ଏବଂ ଜୋର୍ଡାନଠାରୁ କିଣିଥିବା ଏଫ-୧୬ ଯୁଦ୍ଧ ବିମାନକୁ ପାକ୍ ସୀମାରେ ମୁତୟନ କରିଥିବା ନେଇ ଆମ ପାଖରେ ବଳିଷ୍ଠ ତଥ୍ୟ ରହିଛି। ଫେବୃୟାରୀ ୧୪ ପୁଲୱାମା ଆକ୍ରମଣ ପରଠାରୁ ଭାରତ ୨୦୧୬ରେ ଉରି ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବା ଆଶଙ୍କାରେ ପାକିସ୍ତାନ ପକ୍ଷରୁ ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାରେ ରାଡାର ଏବଂ ବାୟୁ ରକ୍ଷା ପ୍ରଣାଳୀ ସହିତ ସୈନ ମୁତୟନ କରିବା ଆରମ୍ଭ କରିଛି।
ତେବେ ଅଧିକାରୀ ଜଣକ ନିୟନ୍ତ୍ରଣ ରେଖା ସୀମାରେ ଭାରତ ପକ୍ଷରୁ ସୈନ୍ୟ ମୁତୟନ କରାଯିବା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ପାକ୍ ପଟୁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲେ ଭାରତୀୟ ସେନା ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି।
ଏହାବ୍ୟତୀତ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରଠାରୁ ପାକିସ୍ତାନ ସେନା ସୀମାନ୍ତରେ ଯୁଦ୍ଧବିରତି ଉଲ୍ଲଂଘନ ଜାରି ରଖିଥିଲା। ଏପରି କି ଭାରତର ଡିଜିଏମଓଙ୍କ ପକ୍ଷରୁ ଫେବୃୟାରୀ ୨୬ରେ ପାକ୍ ପ୍ରତିପକ୍ଷଙ୍କୁ ରୁଟିନ ଟେଲିଫୋନ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ। ଭାରତ ଏୟାର ଷ୍ଟ୍ରାଇକ ସମୟରେ ୯ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଇସଲାମାବାଦ ପକ୍ଷରୁ ଅଭିଯୋଗ କରାଯିବା ପରେ ପୁଣି ଭାରତ ପକ୍ଷରୁ ପାକ୍ ପ୍ରତିପକ୍ଷ ଡିଜିଏମଓଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ରିସିଭ କରି ନ ଥିଲେ। ସୀମାନ୍ତରେ ଉତ୍ତେଜନା ହ୍ରାସ ଲାଗି ଗତ ୫ ତାରିଖରେ ଉଭୟ ଦେଶର ଡିଜିଏମଓ ସ୍ତରରେ ଆଲୋଚନା ହୋଇଥିଲା। ଏହା ପରଠାରୁ ଉତ୍ତେଜନା କିଛିଟା ହ୍ରାସ ପାଇଛି।



