www.samajalive.in
Sunday, December 14, 2025
23.1 C
Bhubaneswar

ପଦ୍ମପୁର ବିଧାନସଭା ଉପନିର୍ବାଚନ ; ସକାଳ ୭ରୁ-ଅପରାହ୍ଣ ୪ ମତଦାନ

ଭୁବନେଶ୍ବର : ପଦ୍ମପୁର ବିଧାନସଭା ଉପନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ତାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ଡିସେମ୍ବର ୫ରେ ପଦ୍ମପୁରରେ ହେବାକୁ ଥିବା ନିର୍ବାଚନ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣ ନିର୍ବାଚନ ଭଳି ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ
ଶ୍ରୀ ଲୋହାନୀ କହିଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ନିର୍ବାଚନବେଳେ ସରକାରୀ କଳର ଅପବ୍ୟବହାର ନ କରିବା ଓ ମତଦାନ କେନ୍ଦ୍ରରେ ପାନୀୟଜଳର ସୁବ୍ୟବସ୍ଥା କରିବା ଲାଗି ଦାବି କରାଯାଇଥିଲା। ବୈଠକର ସୂଚନା ଅନୁଯାୟୀ ଆସନ୍ତା ୧୭ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ ରହିଥିବାବେଳେ ୧୮ରେ ନାମାଙ୍କନ ପତ୍ର ଯାଞ୍ଚ ଓ ୨୧ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଡିସେମ୍ବର ୫ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ।
ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫୭୪୭୪ ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ୧,୨୯,୪୯୭ ଜଣ ପୁରୁଷ ୧,୨୭,୯୬୫ ଜଣ ମହିଳା ଭୋଟର ଏବଂ ୧୨ ଜଣ ତୃତୀୟଲିଙ୍ଗୀ ଭୋଟର ଅଛନ୍ତି। ଏହାବାଦ୍ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊର୍ଦ୍ଧ୍ବ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ଚାକିରିଆ ଭୋଟର ରହିଛନ୍ତି। ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାନ କରିପାରିବେ। ଏଥର ଉପନିର୍ବାଚନରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୪୦ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକ ୨୦ ତାରକା ପ୍ରଚାରକଙ୍କୁ ନିୟୋଜିତ କରିପାରିବେ। ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ତାଲିକା ଦାଖଲ କରିବାକୁ ପଡ଼ିବ। ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖି ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ଦେବେ। ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ। ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ୩ଥର ଖବରକାଗଜ ଓ ଟେଲିଭିଜନ୍ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ। ସେହିପରି ସଂପୃକ୍ତ ରାଜନୈତିକ ଦଳ ତରଫରୁ ୩ଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ତିନିଟି ପର୍ଯ୍ୟାୟରେ ପ୍ରଚାରପ୍ରସାର କରିବେ ବୋଲି ଶ୍ରୀ ଲୋହାନୀ କହିଥିଲେ। ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍ କରାଯିବା ସହ ଉତ୍ତେଜନାପ୍ରବଣ ବୁଥଗୁଡିକରେ ୩୫ ଜଣ ଅଣୁ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ବାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଓ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୁଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ଭୋଟଗ୍ରହଣ ଦିବସ ଅର୍ଥାତ୍ ଡିସେମ୍ବର ୫ ତାରିଖକୁ ସବୈତନିକ ଛୁଟି ଦିବସ ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories