ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସ୍ମରଣ କରାଇବାକୁ ୧୩୩୦ କିମି ପଦଯାତ୍ରା
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସେହି ପ୍ରତିଶ୍ରୁତି ମନେ ପକାଇଦେବା ପାଇଁ ମୂର୍ତ୍ତିକାର ମୁକ୍ତିକାନ୍ତ ବିଶ୍ୱାଳ ଏକ ଅଭିନବ ଓ ସାହସିକ ଉଦ୍ୟମ କରିଛନ୍ତି। ଏଥିପାଇଁ ସେ ପାଦରେ ଚାଲି ଚାଲି ରାଉରକେଲାରୁ ଦିଲ୍ଲୀ ଯାଉଛନ୍ତି। ଏହି ୧୩୩୦ କିମି ଯାତ୍ରା ବେଳେ ମୁକ୍ତିକାନ୍ତ ସାଙ୍ଗରେ ନେଇଛନ୍ତି ଭାରତର ଜାତୀୟ ପତାକା।
୩୦ ବର୍ଷ ବୟସ୍କ ମୁକ୍ତିକାନ୍ତଙ୍କ କହିବା ଅନୁଯାୟୀ, ୨୦୧୫ରେ ମୋଦି ଓଡ଼ିଶା ଆସିଥିବା ବେଳେ ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍କୁ ସୁପରସ୍ପେଶାଲିଟି ହସ୍ପିଟାଲ୍କୁ ଉନ୍ନୀତ କରିବା ଓ ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଦ୍ୟାବଧି ସେହି କାମ ଆରମ୍ଭ ହୋଇପାରିନାହିଁ। ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ସମ୍ପର୍କରେ ମନେ ପକାଇ ଦେବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି। କେବଳ ରାଉରକେଲା ନୁହେଁ ଦେଶର ଅନେକ ଅଞ୍ଚଳରେ ଗରିବ ଲୋକେ ମୌଳିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିିତ ହେଉଛନ୍ତି। ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ।
ଏହି ଯାତ୍ରା ସମୟରେ ସେ ଆଗ୍ରା ଜାତୀୟ ରାଜପଥରେ ଅଚେତ ହୋଇପଡ଼ିଥିଲେ। ସେଠାରେ ତାଙ୍କୁ କିଛି ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।