ଦଳିତ ମହାସଂଘର ବିକ୍ଷୋଭ ଓ ପଦଯାତ୍ରା

ପିପିଲି: ଜଣେ ବିଲଡରଙ୍କ ଚଞ୍ଚକତା ଘଟଣା ସମେତ ଜଣେ ଭାଗଚାଷୀର ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରି ଦିଆଯିବା ଘଟଣାରେ ପିପିଲି ପୁଲିସର ନିରବତାକୁ ନେଇ ତୀବ୍ର ପ୍ରତିବାଦ କରିଛି ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ। ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ବୁଧବାର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡିଜିପିଙ୍କୁ ଭେଟିବା ଉଦ୍ଦେଶ୍ୟରେ ପଦଯାତ୍ରା କରାଯାଇଛି।

prayash

ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳର ୧୧ନଂ ୱାର୍ଡର ସୁଦର୍ଶନ ବେହେରା ଦୀର୍ଘ ବର୍ଷ ଧରି ଏକ ଜମିରେ ଭାଗଚାଷ କରୁଥିଲେ। ତେବେ ସୁଦର୍ଶନ ଓ ତାଙ୍କ ଭାଇ ଦୁଃଶାସନଙ୍କୁ ଧମକପୂର୍ଣ୍ଣ ଭାବେ ଜମି ଛାଡିବାକୁ ତାଗିଦ କରାଯାଇଥିଲା। ସେମାନେ ଗରୀବ ଲୋକ ହୋଇଥିବାରୁ କିଛିଦିନ ଚଳିବା ପାଇଁ ଜମି ମାଲିକଙ୍କୁ କିଛି ପାରିଶ୍ରମିକ ମୂଲ୍ୟ ମାଗିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଉକ୍ତ ଜମିରେ ସୁଦର୍ଶନ କରିଥିବା ଧାନ ଫସଲକୁ ଘାସମରା ଔଷଧ ପକାଇ ନଷ୍ଟ କରି ଦିଆଯାଇଥିବା ନେଇ ସୁଦର୍ଶନ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି କୌଣସି ନ୍ୟାୟ ମିଳିନଥିବା ଅଭିଯୋଗ ହୋଇଛି। ସେହିପରି ଗୁଡିଆପୋଖରୀ ନିକଟବର୍ତ୍ତୀ ସଙ୍ଗୁଳାଇଶାସନ ଅଞ୍ଚଳରେ ଜଣେ ଜମି ବିଲଡର ଲୋକଙ୍କଠାରୁ ଟଙ୍କା ନେଇ ଜମି ରେଜେଷ୍ଟ୍ରି କରିଥିଲେ ମଧ୍ୟ ଜମି କ୍ରେତାଙ୍କୁ ସେମାନଙ୍କ ଜମି ଦେଉନଥିବା ଅଭିଯୋଗ ହୋଇଛି। ଏପରିକି କେତେକ ଲୋକଙ୍କଠାରୁ ଏଗ୍ରିମେଣ୍ଟ କରି ଟଙ୍କା ନେଇଥିଲେ ମଧ୍ୟ ସେମାନଙ୍କୁ ଜମି ରେଜେଷ୍ଟ୍ରି କରୁନାହିଁ। ଉକ୍ତ ବିଲଡର ସଂସ୍ଥାର ଜମିର ଦେଖାରଖା ଓ ଉନ୍ନତି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ତାଙ୍କ ପ୍ରାପ୍ୟ ପ୍ରଦାନ କରୁନାହିଁ। ଏହାକୁ ନେଇ ଜାତୀୟ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଆଜି ଉକ୍ତ ବିଲଡରଙ୍କ ସଙ୍ଗୁଳାଇଶାସନ ସ୍ଥିତ ପ୍ଲଟିଂ ପ୍ରକଳ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମହିଳାମାନେ ଉକ୍ତ ବିଲଡର ସଂସ୍ଥାର କାର୍ଯ୍ୟାଳୟକୁ ତାଲା ପକାଇ ବନ୍ଦ କରି ଦେଇଥିଲେ। ପରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ରାଜ୍ୟ ସଂପାଦିକା ସୋନିଲତା ସେଠୀ, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା, ମମତା ବେହେରା ପ୍ରମୁଖଙ୍କ ନେତୃତ୍ୱରେ ୫ଦଫା ଦାବି ନେଇ ଶତାଧିକ ମହିଳା ଓ ପୁରୁଷମାନେ ଉତ୍ତରା ବଜାରଠାରୁ ଏକ ଶୋଭାଯାତ୍ରାରେ ଜାତୀୟ ରାଜପଥ ଉପରେ ଚାଲି ଚାଲି ଡିଜିପିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ଭୁବନେଶ୍ୱରଠାରେ କମିଶନରେଟ୍‌‌ ପୁଲିସ ସେମାନଙ୍କୁ ଅଟକାଇ ଆଲୋଚନା କରିଥିଲେ। ପରେ କମିଶନରେଟ୍‌‌ ପୁଲିସ ସହ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ଅପରାହ୍ନରେ ଡିଜିପିଙ୍କୁ ଭେଟିବା ପାଇଁ କଟକ ଯାଇଥିବା ସୂଚନା ମିଳିଛି।

 

 

kalyan agarbati

Comments are closed.