ସିନ୍ଧୁ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍
ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ
ବାସେଲ୍ (ସ୍ବିଜରଲାଣ୍ଡ) : ଭାରତୀୟ କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ବ୍ୟାଡ୍ମିଣ୍ଟନ ତାରକା ପୁସାର୍ଲା ଭେଙ୍କଟ ସିନ୍ଧୁ। ପ୍ରଥମ ଭାରତୀୟ ଖେଳାଳି ଭାବେ ବିଶ୍ବ ବ୍ୟାଡ୍ମିଣ୍ଟନ୍ ଚମ୍ପିଆନ୍ ହେବାର ସ୍ବର୍ଣ୍ଣିମ କୃତିତ୍ବ ହାସଲ କରିଛନ୍ତି ସିନ୍ଧୁ।
ରବିବାର ଖେଳା ଯାଇଥିବା ମହିଳା ସିଙ୍ଗଲ୍ସର ଏକତରଫା ଫାଇନାଲରେ ପି.ଭି. ସିନ୍ଧୁ ୩ୟ ସିଡ୍ ତଥା ପୂର୍ବତନ ବିଶ୍ବ ଚମ୍ପିଆନ୍ ଜାପାନର ନୋଜୋମି ଓକୁହାରାଙ୍କୁ ସହଜରେ ୨୧-୭, ୨୧-୭ ଗେମ୍ରେ ପରାସ୍ତ କରିଛନ୍ତି। ପୂର୍ବରୁ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ଫାଇନାଲ ମ୍ୟାଚ୍ ଏପରି ଏକତରଫା ଦେଖିବାକୁ ମିଳିନଥିଲା। ଉଭୟ ଗେମ୍ରେ ପ୍ରାଧାନ୍ୟ ବିସ୍ତାରକରି ସିନ୍ଧୁ ମ୍ୟାଚ୍କୁ ମାତ୍ର ୩୬ ମିନିଟେର ଜିତି ନେଇଥିଲେ। ଫଳରେ ବ୍ୟାଡ୍ମିଣ୍ଟନରେ ବିଶ୍ବ ଚମ୍ପିଆନ୍ ଦେଖିବା ଲାଗି ଭାରତୀୟଙ୍କ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଏହାକୁ ମିଶାଇ ପି.ଭି. ସିନ୍ଧୁ କ୍ରମାଗତ ୩ୟ ଥର ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ର ଫାଇନାଲରେ ପ୍ରବେଶ କରିଥିଲେ। ତେବେ ଗତ ୨ ଥର ସିନ୍ଧୁଙ୍କୁ ରୌପ୍ୟପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏଥର ଚମତ୍କାର ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍କୁ ସହଜରେ ଜିତି ସିନ୍ଧୁ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ପୂରା ମ୍ୟାଚ୍ରେ ସିନ୍ଧୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବଡ଼ ବ୍ୟବଧାନରେ ଆଗୁଆ ରହିଥିଲେ।
୨୦୧୭ ଫାଇନାଲରେ ଏକ ମାରାଥନ୍ ମୁକାବିଲାରେ ସିନ୍ଧୁଙ୍କୁ ପରାସ୍ତକରି ନୋଜୋମି ଓକୁହାରା ଚମ୍ପିଆନ୍ ହୋଇଥିଲେ। ଏଥର ଓକୁହାରାଙ୍କୁ ପରାସ୍ତକରି ସିନ୍ଧୁ ଏହାର ପ୍ରତିଶୋଧ ନେଇ ପାରିଛନ୍ତି। ପୂର୍ବରୁ କୌଣସି ଭାରତୀୟ ପୁରୁଷ ହୁଅନ୍ତୁ କି ମହିଳା; ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ ହୋଇଥିଲେ। ସିନ୍ଧୁ ୨ ଥର ଓ ସାଇନା ନେହୱାଲ ଥରେ ବିଶ୍ବ ଚମ୍ପିଆନ୍ସିପ୍ ଫାଇନାଲ ଖେଳିଥିଲେ ହେଁ ଚମ୍ପିଆନ୍ ହୋଇ ପାରିନଥିଲେ। ହାଇଦରାବାଦର ୨୪ ବର୍ଷ ବୟସ୍କା ପି.ଭି. ସିନ୍ଧୁ ଚଳିତବର୍ଷର ସ୍ବର୍ଣ୍ଣପଦକକୁ ମିଶାଇ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ରେ ୫ମ ପଦକ ଜିତି ପାରିଛନ୍ତି। ୨୦୧୩ ଓ ୨୦୧୪ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ୍ରେ ସିନ୍ଧୁ କ୍ରମାଗତ ୨ଟି ବ୍ରୋଞ୍ଜ୍ ପଦକ ଜିତିଥିଲେ। ପରେ ସେ ୨୦୧୭ ଓ ୨୦୧୮ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏଥର ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତି ପାରିଛନ୍ତି। ଭାରତୀୟ ବ୍ୟାଡ୍ମିଣ୍ଟନ୍ ଇତିହାସରେ ସିନ୍ଧୁଙ୍କର ଏହି ସ୍ବର୍ଣ୍ଣପଦକ ସବୁଠାରୁ ବଡ଼ ସଫଳତା। ବିଶ୍ବ ଚମ୍ପିଆନ୍ସିପ୍ରେ ଚଳିତବର୍ଷର ସ୍ବର୍ଣ୍ଣପଦକ ସହ ୫ଟି ପଦକ ଜିତିବା ସହ ସିନ୍ଧୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟପଦକ, ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟପଦକ, ଜାକର୍ତ୍ତା ଏସୀୟ କ୍ରୀଡ଼ାେର ରୌପ୍ୟପଦକ ଏବଂ ବିଶ୍ବ ଟୁର୍ ଫାଇନାଲ୍ସରେ ମଧ୍ୟ ରୌପ୍ୟପଦକ ଜିତିଥିଲେ। ସିନ୍ଧୁଙ୍କର ଏହି ସ୍ବର୍ଣ୍ଣିମ ସଫଳତା ପାଇଁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସିନ୍ଧୁ ତାଙ୍କର ଏହି ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପର ସ୍ବର୍ଣ୍ଣପଦକ ତାଙ୍କ ମାଆଙ୍କୁ ଉତ୍ସର୍ଗ କରିଛନ୍ତି। ରବିବାର ସିନ୍ଧୁଙ୍କ ମାଆଙ୍କର ଜନ୍ମଦିନ। ପୁଣି ତାଙ୍କର ଏହି ସଫଳତା ପାଇଁ ସିନ୍ଧୁ ତାଙ୍କର ପ୍ରଶିକ୍ଷକ ପୁଲୈଲା ଗୋପୀଚାନ୍ଦ ଓ କୋରିଆର ପ୍ରଶିକ୍ଷକ କିମ୍ ଜି ହ୍ୟୁନ୍ଙ୍କୁ ଧନ୍ୟବାଦ ଦେଇଛନ୍ତି।
ପୂର୍ବରୁ ଏହି ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନସିପ୍ରେ ପୁରୁଷ ସିଙ୍ଗଲ୍ସରେ ଭାରତର ବି. ସାଇ ପ୍ରଣିତ ବ୍ରୋଞ୍ଜ୍ ପଦକ ଜିତି ପାରିଥିଲେ। ଫଳରେ ୨ୟ ଭାରତୀୟ ଭାବେ ସାଇ ପ୍ରଣିତ ଏହି କୃତିତ୍ବ ହାସଲ କରିିଥିଲେ। ୧୯୮୩ରେ ପ୍ରକାଶ ପାଦ୍ୟୁକୋନ୍ ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପରେ ପଦକ (ବ୍ରୋଞ୍ଜ୍) ଜିତି ପାରିଥିଲେ।
Comments are closed.