ଓଟିଏମ୍ ସମ୍ପର୍କିତ ଉଚ୍ଚ ନ୍ୟାୟାଳୟଙ୍କ ରାୟ ; ଚୌଦ୍ୱାର ବିଜେଡ଼ି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଚୌଦ୍ୱାର : ଓଟିଏମ୍ ସମ୍ପର୍କରେ ଦୀର୍ଘଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ ଚୌଦ୍ୱାରବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।ଏହି ପରିପ୍ରେକ୍ଷିରେ ଚୌଦ୍ୱାର ବିଜୁ ଜନତା ଦଳ ତରଫରୁ ଏକ ଜନସଭାର ଆୟୋଜନ କରାଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହିତ ଓଟିଏମ୍ ସମ୍ପର୍କରେ ଏକ ଦୃଢ଼ ଓ ସାକାରାତ୍ମକ ନିଷ୍ପତ୍ତି ନେବାପାଇଁ ନିବେଦନ କରାଯାଇଛି । ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗାନ୍ଧୀଛକସ୍ଥିତ ପୌର ଟାଉନ୍ ହଲରେ ଏହି ଉପଲକ୍ଷେ ଆୟୋଜିତ ଜନସଭାରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଦୀର୍ଘ ୨୧ ବର୍ଷ ଧରି ବନ୍ଦ ପଡ଼ିଥିବା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ହାତଗଢ଼ା ଓଟିଏମର ଶ୍ରମିକ, କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ଦୁଃଖ ଦୁର୍ଦଶାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟାଳୟରେ ଓଟିଏମ୍ ସମ୍ପର୍କିତ ମାମଲାର ତୁରନ୍ତ ବିଚାର ପାଇଁ ନିରନ୍ତର ପଦକ୍ଷେପ ନେଇଥିବା ଏବଂ ନ୍ୟାୟାଳୟଙ୍କ ସମସ୍ତ ସର୍ତ୍ତକୁ ସରକାର ମାନି ନେଇଥିବାରୁ ଶେଷରେ ଓଟିଏମ୍ ମାମଲାର ଶୁଣାଣୀ ସମ୍ଭବ ହୋଇ ପାରିଲା ବୋଲି ପ୍ରକାଶ କରି ଚୌଦ୍ୱାରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଜିଲା ବିଜେଡ଼ି ଉପ ସଭାପତି ପ୍ରେମଚାନ୍ଦ ନାୟକ, ସମ୍ପାଦକ ତାପସ ମହାନ୍ତି, ଯୁବ ସଭାପତି ଅର୍ଜୁନ ପଣ୍ଡା, କାଉନସିଲର ସୁବ୍ରତ ସାମଲ, ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ, ଅଜୟ ବେହେରା, କରୁଣାକର ସାହୁ, ବିଜୟ କୁମାର ମଲ୍ଲିକଙ୍କ ସମେତ ସମସ୍ତ କାଉନସିଲର, ଛାତ୍ରନେତା ଭାସ୍କର ସାହୁଙ୍କ ସମେତ ମହିଳା ଅନୁଷ୍ଠାନର ସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଜଣାଇବା ସହିତ ଆଗାମୀ ଦିନରେ ଓଟିଏମର ପୁନରୁଦ୍ଧାର କିମ୍ବା ସେହି ସ୍ଥାନରେ ବିକଳ୍ପ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କରି ବିଜୁ ବାବୁଙ୍କ ମାନ ରଖିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରରମ୍ଭରେ ବିଜୁ ବାବୁଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉପାଧ୍ୟକ୍ଷ ଶ୍ରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଟିଏମର ବହୁ ସଂଖ୍ୟକ ଶ୍ରମିକ,ସେମାନଙ୍କ ପରିବାର, ବିଭିନ୍ନ ମହିଳା ଅନୁଷ୍ଠାନର ସଦସ୍ୟା, ବହୁ ଦଳୀୟ କର୍ମୀ, ତଥା ସ୍ଥାନୀୟ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Comments are closed.