www.samajalive.in
Monday, December 15, 2025
16.1 C
Bhubaneswar

ରାହୁଲଙ୍କ ଦଶା ଭୋଗିଥିଲେ ଏମାନେ

ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟପଦ ରଦ୍ଦ ହେବା ପରେ ପୂର୍ବରୁ ସମାନ ଦଶା ଭୋଗିଥିବା ସାଂସଦ ଓ ବିଧାୟକମାନଙ୍କ ନାମ ଚର୍ଚ୍ଚାକୁ ଆସିଛି। ଜନପ୍ରତିନିଧି ଆଇନାନୁସାରେ କୌଣସି ମାମଲାରେ ଜନ ପ୍ରତିନିଧିମାନେ ଦୁଇ ବର୍ଷ ବା ତା’ଠାରୁ ଅଧିକ ସମୟ ପାଇଁ ଜେଲ ଦଣ୍ଡାଦେଶ ପାଇଲେ ସେମାନଙ୍କ ସଭ୍ୟପଦ ୬ବର୍ଷ ପାଇଁ ରଦ୍ଦ ହେବ।
ଲାଲୁ ପ୍ରସାଦ ଯାଦବ
ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୨୦୧୩ ସେପ୍ଟେମ୍ବରରେ ଲୋକସଭା ସଭ୍ୟପଦ ହରାଇଥିଲେ। ସେତେବେଳେ ସେ ବିହାରର ଶରଣ ଆସନରୁ ସାଂସଦ ଥିଲେ।
ଜେ. ଜୟଲଳିତା
ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ୨୦୧୪ ସେପ୍ଟେମ୍ବରରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୪ବର୍ଷ କାରାଦଣ୍ଡାଦେଶ ପାଇବା ପରେ ବିଧାନସଭାର ସଭ୍ୟପଦ ହରାଇଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।
କୁଲଦୀପ ସିଂହ ସେନଗର
ଉତ୍ତର ପ୍ରଦେଶର ଉନ୍ନାଓ ଅନ୍ତର୍ଗତ ବାଙ୍ଗରମାଓ ବିଧାୟକ କୂଲଦୀପ ସିଂହ ସେନଗର ବହୁଚର୍ଚ୍ଚିତ ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୨୦ ଫେବୃଆରୀରେ ବିଧାନସଭା ସଭ୍ୟପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ।
ପ୍ରଦୀପ ଚୌଧୁରୀ
ହରିୟାଣାର କାଲକାରୁ ନିର୍ବାଚିତ କଂଗ୍ରେସ ବିଧାୟକ ପ୍ରଦୀପ ଚୌଧୁରୀ ୨୦୨୧ ଜାନୁଆରୀରେ ଏକ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ କାରାଦଣ୍ଡାଦେଶ ପାଇ ସଭ୍ୟ ପଦ ହରାଇଥିଲେ।
ଅନନ୍ତ ସିଂହ
ବିହାରର ମୋକାମା ଆସନରୁ ନିର୍ବାଚିତ ଆରଜେଡି ବିଧାୟକ ଅନନ୍ତ ସିଂହ ୨୦୨୨ ଜୁଲାଇରେ ନିଜ ପଦ ହରାଇଥିଲେ। ଘରେ ବେଆଇନ ଅସ୍ତ୍ର ରଖିବା ମାମଲାରେ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ହୋଇଥିଲା।
ଆଜମ ଖାଁ
ଉତ୍ତର ପ୍ରଦେଶର ରାମପୁର ସଦର ବିଧାୟକ ଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ବିଧାନସଭା ସଭ୍ୟପଦ ୨୦୨୨ ଅକ୍ଟୋବରରେ ରଦ୍ଦ ହୋଇଥିଲା। ୨୦୧୯ର ଏକ ଉତ୍ତେଜକ ମନ୍ତବ୍ୟ ମାମଲାରେ ତାଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ହୋଇଥିଲା।
ଅନିଲ କୁମାର ସାହାଣି
ବିହାରର କୁରହାଣି ଆସନର ଆରଜେଡି ବିଧାୟକ ଅନିଲ କୁମାର ସାହାଣିଙ୍କୁ ଏକ ଜାଲିଆତି ମାମଲାରେ ତିନି ବର୍ଷ କାରାଦଣ୍ଡାଦେଶ ହେବା ପରେ ୨୦୨୨ ଅକ୍ଟୋବରରେ ତାଙ୍କ ବିଧାନସଭା ସଭ୍ୟପଦ ରଦ୍ଦ ହୋଇଥିଲା। ୨୦୧୨ରେ ସେ ଜେଡି(ୟୁ)ରୁ ରାଜ୍ୟସଭା ସାଂସଦ ଥିଲାବେଳେ ଭ୍ରମଣ କରି ନଥିଲେ ମଧ୍ୟ ଜାଲ୍‌ ବିମାନ ଟିକଟ ଦାଖଲ କରି ୨୩ ଲକ୍ଷ ଟଙ୍କାର ଯାତ୍ରା ଖର୍ଚ୍ଚ ନେବା ଉଦ୍ୟମ କରିଥିଲେ।
ବିକ୍ରମ ସିଂହ ସାଇନି
ଉତ୍ତର ପ୍ରଦେଶର ବିଜେପି ବିଧାୟକ ବିକ୍ରମ ସିଂହ ସାଇନି ୨୦୨୨ ଅକ୍ଟୋବରରେ ବିଧାୟକ ପଦ ହରାଇଥିଲେ। ୨୦୧୩ ମୁଜାଫର ନଗର ଦଙ୍ଗା ମାମଲାରେ ଖଟାଉଲି ବିଧାୟକ ସାଇନ ଦୁଇ ବର୍ଷ କାରାଦଣ୍ଡାଦେଶ ପାଇଥିଲେ।
ପି ପି ମହମ୍ମଦ ଫୈଜଲ
ଲାକ୍ଷାଦ୍ବୀପର ଏକମାତ୍ର ସାଂସଦ ଏନ୍‌ସିପି ସଦସ୍ୟ ପି ପି. ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଅଦାଲତ ୨୦୨୩ ଜାନୁଆରୀରେ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ଅବଶ୍ୟ ପରେ କେରଳ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେଇଥିଲେ। ସେ ତାଙ୍କର ସଭ୍ୟ ପଦ ଫେରି ପାଇଥିଲେ ମଧ୍ୟ ଲୋକସଭା ସଚିବାଳୟ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ନାହିଁ।
ଅବଦୁଲା ଆଜମ ଖାଁ
ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ନେତା ଆଜମ ଖାଁଙ୍କ ପୁଅ ଅବଦୁଲା ଖାଁ ୨୦୨୩ ଫେବୃଆରୀରେ ବିଧାନସଭା ସଭ୍ୟପଦରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ରାମପୁର ସୁଆର ଆସନରୁ ନବନିର୍ବାଚିତ ଅବଦୁଲା ୨୦୦୭ରେ ରାଜପଥରେ ପୁଲିସ ଯାଞ୍ଚ ଚାଲିଥିବାବେଳେ ଧାରଣା ଦେବା ଓ ପୁଲିସ ଉପରେ ଆକ୍ରମଣ ମାମଲାରେ ଦୁଇ ବର୍ଷ କାରାଦଣ୍ଡାଦେଶ ପାଇଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories