କଟକ: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ବୁଧବାର ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି। ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ ଅଭିଯୋଗ ନେଇ ବାରିପଦା ଟାଉନ ଥାନାରେ ରୁଜୁ ମାମଲାରେ ଆଗୁଆ ଜାମିନ ଲୋଡ଼ି ଟୁଡୁ ଦାଖଲ କରିଥିବା ଆବେଦନର ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ତଦନ୍ତ ସମୟରେ ସାକ୍ଷୀକୁ ପ୍ରଭାବିତ ନ କରିବାକୁ ହାଇକେର୍ଟ ନିର୍ଦେଶ ଦେଇଛନ୍ତି। ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ମାଡ଼ ମାରିଥିବା ନେଇ ମନ୍ତ୍ରୀ ଟୁଡୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଟୁଡୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ପ୍ଲାଷ୍ଟିକ୍ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା। ଉଭୟ କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ବାରିପଦା ଟାଉନ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ପୀଡିତଙ୍କ ବୟାନ ରେକର୍ଡ କରିବା ସହିତ ତଦନ୍ତ ଚଳାଇଥିବା ବେଳେ ଟୁଡୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।



