Patra electronics

ଯୁଦ୍ଧ ମଧ୍ୟରେ ଶୁଭିଲା ଅର୍କେଷ୍ଟ୍ରାର ସ୍ବର

କିଭ୍‌: ୟୁକ୍ରେନ ରାଜଧାନୀ କିଭ୍‌ରେ ଘମାଘୋଟ ଯୁଦ୍ଧ ଜାରି ରହିଥିବା ବେଳେ ବୁଧବାର ସେଠାରେ ଏମିତି କିଛି ଦେଖିବାକୁ ମିଳିଛି ଯାହାକି ଅକଳ୍ପନୀୟ। କିଭ୍‌ର ମେନ ମେଡେନ ଇଣ୍ଡିପେଣ୍ଡେଣ୍ଟ ସ୍କୋୟାରରେ ଶାନ୍ତି ପାଇଁ ଏକ ଅର୍କେଷ୍ଟ୍ରା ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା, ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରାଯିବା ଉଚିତ। ଏଥିରେ କିଭ୍‌ କ୍ଲାସିକ୍‌ ଅର୍କେଷ୍ଟ୍ରା ଟିମ୍‌ କେବଳ ଲୋକଙ୍କ ମନୋବଳ ବଢାଇ ନାହାନ୍ତି, ବରଂ ଏହି ଯୁଦ୍ଧକୁ ତୁରନ୍ତ ବନ୍ଦ କରିବାରେ ସାହାଯ୍ୟ କରିବାକୁ ବିଶ୍ୱକୁ ନିବେଦନ କରିଛନ୍ତି। ଏହି ଦଳର ନେତୃତ୍ବ ନେଇଥିଲେ ହର୍ମନ ମାକ୍ରାଙ୍କୋ।

ଏହି ଅର୍କେଷ୍ଟ୍ରାର ଆୟୋଜନ ଏମିତି ସମୟରେ କରାଯାଇଥିଲା, ଯେତେବେଳେ ୟୁକ୍ରେନର ବିଭିନ୍ନ ସହରରୁ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ୁଥିଲେ। ସମଗ୍ର ୟୁକ୍ରେନରେ ଅଶାନ୍ତି ତଥା ବିଶୃଙ୍ଖଳାର ପରିସ୍ଥିତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି କହିଛନ୍ତି, ବୁଧବାର ୟୁକ୍ରେନର ବିଭିନ୍ନ ସହରରୁ ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଭଳି ପରିସ୍ଥିତିରେ ଏହି ଅର୍କେଷ୍ଟ୍ରାର ଆୟୋଜନ ବାସ୍ତବରେ ପ୍ରଶଂସାଯୋଗ୍ୟ। ଏହି ଅର୍କେଷ୍ଟ୍ରା ଦ୍ବାରା ବଜା ଯାଉଥିବା ସ୍ବରକୁ ଶୁଣିବା ଲୋକ କମ୍‌ ଥିଲେ ସତ କିନ୍ତୁ ଏହାକୁ ଶୁଣିବା ଲୋକ ହାଡ଼ ଭଙ୍ଗା ଶୀତରେ ସେଠାରେ ସେମିତି ଠିଆ ହୋଇ ରହିଥିଲେ।

ରୁଷ୍‌ର ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନର ଅନେକ ଲୋକ ଆଶ୍ରୟସ୍ଥଳୀ ଓ ବେସ୍‌ମେଣ୍ଟରେ ଶରଣ ନେଇଛନ୍ତି। କିନ୍ତୁ ଏହି ଅର୍କେଷ୍ଟ୍ରା ଶୁଶିବା ପାଇଁ ଲୋକେ ବଙ୍କରଗୁଡ଼ିକରୁ ବାହାରକୁ ଆସିଥିଲେ। କିଭର ଇଣ୍ଡିପେଣ୍ଡେଣ୍ଟ ସ୍କୋୟାରରେ ଏହି କାର୍ଯ୍ୟକ୍ରମ ପରେ ମାକ୍ରାଙ୍କୋ କହିଛନ୍ତି ଯେ, ଏହା ମାଧ୍ୟମରେ ସେ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ନିଜର ସମ୍ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି। ମାକ୍ରାଙ୍କୋ କହିଛନ୍ତି, ଜେଲେନ୍‌ସ୍କି ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ସମଗ୍ର ବିଶ୍ୱର ସମସ୍ତ ବଡ଼ ବଡ଼ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଫୋନ କରିଛନ୍ତି ଓ ଏହାକୁ ବନ୍ଦ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ପରିପ୍ରେକ୍ଷୀରେ ଜେଲେନସ୍କି ବାରମ୍ବାର ବିଶ୍ୱ ନେତାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଜେଲେନ୍‌ସ୍କି କହିଛନ୍ତି ଯେ, ସେ ରୁଷ ସହ କଥା ହେବାକୁ ପ୍ରସ୍ତୁତ ଅଛନ୍ତି। ୟୁକ୍ରେନରେ ଘଟୁଥିବା ନରସଂହାରକୁ ରୁଷ ବନ୍ଦ କରିବା ଉଚିତ ବୋଲି ସେ ନିବେଦନ କରିଛନ୍ତି।

Comments are closed.